ନୂଆଦିଲ୍ଲୀ: ୟୁଟ୍ୟୁବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବସ୍କ୍ରାଇବର ୧ କୋଟି ପହଞ୍ଚି ଯାଇଛି। ୧ କୋଟି ସବସ୍କ୍ରାଇବର ହାସଲ କରିବାରେ ନରେନ୍ଦ୍ର ମୋଦୀ ବିଶ୍ଵର ପ୍ରଥମ ନେତାର ମାନ୍ୟତା ପାଇଛନ୍ତି। ମୋଦୀଙ୍କ ପରେ ବ୍ରାଜିଲର ରାଷ୍ଟ୍ରପତି ଜାଇର୍ ବଲସୋନାରୋଙ୍କ ବିଶ୍ଵରେ ଦ୍ଵିତୀୟ ସର୍ବାଧିକ ୩୬ ଲକ୍ଷ ସବସ୍କ୍ରାଇବର୍ ଅଛନ୍ତି। ମେକ୍ସିକର ରାଷ୍ଟ୍ରପତି ଆନ୍ଦ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡର୍ ୩୦ ଲକ୍ଷ ୭ ହଜାରରୁ ଅଧିକ ସବସ୍କ୍ରାଇବର ସହିତ ତୃତୀୟ ସ୍ଥାନରେ ଅଛନ୍ତି। ମୋଦିଙ୍କ ୟୁଟ୍ୟବ ଚ୍ୟାନେଲର ନାମ ନରେନ୍ଦ୍ର ମୋଦି।

Advertisment

ପ୍ରଧାନମନ୍ତ୍ରୀ ମୋଦୀ ୨୬ ଜୁଲାଇ ୨୦୦୭ରେ ୟୁଟ୍ୟବ ଚ୍ୟାନେଲ ଖୋଲିଥିଲେ। ତେବେ ତାଙ୍କ ୟୁଟ୍ୟବ ଚ୍ୟାନେଲରେ ସେ ପ୍ରଥମ ଭିଡିଓ ୧୮ ମାର୍ଚ୍ଚ ୨୦୧୧ରେ ଅପଲୋଡ୍ କରିଥିଲେ। ଏହି ଭିଡିଓ ଗୁଜରାଟର ୨୦୧୧-୧୨ବଜେଟର ଥିଲା। ଏହାପରେ ତାଙ୍କ ୟୁଟ୍ୟବ ଚ୍ୟାନେଲରେ କ୍ରମାଗତ ଭିଡିଓ ଅପଲୋଡ ହେଉଛି।

ମୋଦୀଙ୍କ ଚ୍ୟାନେଲରେ ସବୁଠାରୁ ଅଧିକ ଥର ଏକ ୧୪ ସେକେଣ୍ଡର ଭିଡିଓକୁ ଦେଖା ହୋଇଛି। ଏହି ୧୪ ସେକେଣ୍ଡର ଭିଡିଓରେ ଜଣେ ଦିବ୍ୟାଙ୍ଗ ଯୁବକ ପ୍ରଥମେ ମୋଦୀଙ୍କ ସହିତ କଥା ହେଉଛି ଓ ପରେ ତାଙ୍କ ପାଦସ୍ପର୍ଶ କରୁଛି। ଏହି ଭିଡିଓ ବାରଣାସୀର ଅଟେ। ଏହାକୁ ୧୯ ଫେବୃଆରି ୨୦୧୯ ରେ ଅପଲୋଡ କରାଯାଇଥିଲା। ଏହି ଭିଡିଓକୁ ୭ କୋଟିରୁ ଅଧିକ ଲୋକ ଦେଖିଛନ୍ତି ଓ ୧୧ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି। ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲର ଭିଡିଓଗୁଡିକୁ ମୋଟ ୧୬୪ କୋଟି ୬୦ ଲକ୍ଷରୁ ଅଧିକ ଥର ଦେଖା ହୋଇଛି। ମୋଦୀଙ୍କ ଚ୍ୟାନେଲରୁ ପିଏମଓ ଇଣ୍ଡିଆ, ଭାରତୀୟ ଜନତା ପାର୍ଟି, ଯୋଗ ଓ୍ଵିଥ୍ ମୋଦି, ଏଗ୍ଜାମ୍ ଓ୍ଵାରିଅର୍ସ୍ ମନ୍ତ୍ରସ୍ ୟୁଟ୍ୟବ ଚ୍ୟାନେଲଗୁଡିକର ବିଜ୍ଞାପନ ମଧ୍ୟ କରାଯାଇଥାଏ। ସରକାରଙ୍କ ସହିତ ଜଡିତ ସ୍କିମ୍, ଲାଇଭ୍ ଇଭେଣ୍ଟକୁ ମଧ୍ୟ ମୋଦିଙ୍କ ଚ୍ୟାନେଲରେ ଦେଖା ଯାଇଥାଏ।

publive-image

ଭାରତର ନେତାଙ୍କ ମଧ୍ୟରେ ମୋଦୀଙ୍କ ପରେ ରାହୁଲ ଗାନ୍ଧୀଙ୍କ ଦ୍ଵିତୀୟ ସର୍ବାଧିକ ସବସ୍କ୍ରାଇବର ଅଛନ୍ତି। ରାହୁଲ ଗାନ୍ଧିଙ୍କ ଚ୍ୟାନେଲରେ ୫ ଲକ୍ଷ ୨୫ ହଜାରରୁ ଅଧିକ ସବସ୍କ୍ରାଇବର ଅଛନ୍ତି। ୪ ଲକ୍ଷ ୩୯ ହଜାରରୁ ଅଧିକ ସବସ୍କ୍ରାଇବର ସହିତ ଶଶି ଥରୁର ତୃତୀୟ ସ୍ଥାନରେ ଅଛନ୍ତି।