ନୂଆଦିଲ୍ଲୀ: ଗତ ୫ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତି ୫୨ ପ୍ରତିଶତ ବୃଦ୍ଧି ପାଇଛି। ମୋଦୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨.୫୧ କୋଟି ହୋଇଥିବା ବେଳେ ତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ରହିଛି ୧.୪୧ କୋଟି ଟଙ୍କା। ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ମୋଦୀଙ୍କ ସମ୍ପତ୍ତିର ମୂଲ୍ୟ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ବୋଲି ରିପୋର୍ଟ ରହିଛି। ଶୁକ୍ରବାର ସେ ବାରଣାସୀ ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥୀପତ୍ର ଦାଖଲ ବେଳେ ସତ୍ୟପାଠ ଦାଖଲ କରିବା ପରେ ଏ ସଂପର୍କରେ ଜାଣିବାକୁ ମିଳିଛି।
ସତ୍ୟପାଠରେ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପାଖରେ ସମୁଦାୟ ୨.୫୧ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ଅସ୍ଥାବର ସମ୍ପତ୍ତି ମଧ୍ୟରେ ସବୁଠାରୁ ଅଧିକ ପରିମାଣ ହେଉଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ରେ ସେ କରିଥିବା ଫିକ୍ସଡ୍ ଡିପୋଜିଟ୍। ମୋଦୀ ଏସ୍ବିଆଇରେ ୧.୨୭ କୋଟି ଜମା ରଖିଥିବା ସୂଚନା ରହିଛି।
ତେବେ, ଜାଣିବାକୁ ମିଳିଛି ଯେ ୨୦୧୪ ମସିହା ତୁଳନାରେ ପ୍ରଧାନମନ୍ତ୍ରୀଙ୍କ ଅସ୍ଥାବର ସମ୍ପତ୍ତି ୧୧୪.୧୫ ପ୍ରତିଶତ ବଢ଼ିଛି। ତାଙ୍କର ରୋଜଗାର ମୁଖ୍ୟ ଉତ୍ସ ହେଉଛି ତାଙ୍କର ସରକାରୀ ଦରମା ଓ ସେ ଟଙ୍କାରୁ ମିଳୁଥିବା ବ୍ୟାଙ୍କ୍ ସୁଦ୍ଧ। ତେବେ, ୨୦୧୯ ଲୋକସଭା ନିର୍ବାଚନ ପାଇଁ ସେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଳେଖ କରାଯାଇଛି ଯେ ତାଙ୍କ ବିରୋଧରେ କୌଣସି ଅପରାଧୀକ ମାମଲା ନାହିଁ।