ନୂଆଦିଲ୍ଲୀ: ୨୦୨୪ ମେ ୨୯ରେ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରି ଚାପଖେଳ ଚାଲିଥିବାବେଳେ ଘଟିଥିବା ବାଣ ବିସ୍ଫୋରଣ ମାମଲାରେ ପୁରୀ ଜିଲ୍ଲାପାଳଙ୍କ ଦ୍ବାରା ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ (ଏନ୍ଜିଟି)ରେ ଅନୁପାଳନ ସତ୍ୟପାଠ ଦାଖଲ କରାଯାଇଛି। ଏନ୍ଜିଟିଙ୍କ ୨୦୨୫ ଜାନୁଆରି ୯ ଆଦେଶ ଆଧାରରେ ପୁରୀ ଜିଲ୍ଲାପାଳ ଅନୁପାଳନ ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ମୋଟ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା ତଥା ପୋଡ଼ି ଆହତ ହୋଇଥିବା ୪୨ ଜଣଙ୍କ ମଧ୍ୟରୁ ୨୭ ଜଣ ଗୁରୁତର ଆହତଙ୍କୁ ଉଚିତ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଉଚ୍ଚ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କୁ ସ୍ଥାନାନ୍ତର କରଯାଇଥିଲା। ଏଥି ସହିତ ରାଜ୍ୟ ସରକାରଙ୍କ ଦ୍ବାରା ଆହତଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବହନ କରାଯାଇଥିଲା। ବିସ୍ଫୋରଣରେ ପ୍ରାଣ ହରାଇଥିବା ୧୭ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କ ନିକଟତମ ପରିଜନଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଇଛି।
ଚିହ୍ନଟ ହୋଇପାରିନଥିବା ଜଣେ ମୃତକ ତଥା ଆଉ ଜଣଙ୍କ ମାମଲାରେ ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ ମଞ୍ଜୁରି ପରେ କ୍ଷତିପୂରଣ ରିଲିଜ୍ କରାଯାଇଥିବା ସତ୍ୟପାଠରେ କୁହାଯାଇଛି। ସେହିଭଳି କିଛି ମୃତକଙ୍କ ନିକଟତମ ପରିଜନଙ୍କୁ ରେଡକ୍ରସ୍ ପାଣ୍ଠିରୁ ୪୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ରେଡକ୍ରସ୍ ପାଣ୍ଠିରୁ କିଛି ଆହତଙ୍କୁ ୨୦ ରୁ ୪୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ବାଣ ବିସ୍ଫୋରଣ ଘଟାଇଥିବା ତଥା ତାଙ୍କୁ ସହଯୋଗ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଓଡ଼ିଶା ଫାୟାର୍ ୱାର୍କସ୍ ଆଣ୍ଡ୍ ଲାଉଡ୍ ସ୍ପିକର୍ ରେଗୁଲେସନ୍ ଆକ୍ଟ, ୧୯୫୮ ଅନୁସାରେ କୁମ୍ଭାରପଡ଼ା ପୁଲିସ ମାମଲା ରୁଜୁ କରିଥିଲା। ଟୁଟୁ କୁମାର ସ୍ବାଇଁ, ପ୍ରଶାନ୍ତ କୁମାର ନାୟକ, ବୁଦ୍ଧିଆ ଭୋଇ, ଗୋବିନ୍ଦ ନାୟକ ଓ ଚନ୍ଦନ ଭୋଇଙ୍କୁ ଗିରଫ କରାଯାଇ କୋର୍ଟ ଫରୱାର୍ଡ କରାଯାଇଥିଲା। ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି।
ବାଣ ପ୍ରଦର୍ଶନ ପାଇଁ କେହି ବି ଅନୁମତି ଲୋଡ଼ିନଥିଲେ କିମ୍ବା କାହାରିକୁ ବାଣ ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇନଥିଲା। ଓଏଚ୍ଆର୍ସିଙ୍କ ୨୦୨୪ ମେ ୩୦ ଆଦେଶ ଅନୁସାରେ ପୁରୀ ପୁଲିସ ଅଧୀକ୍ଷକ ଓ ପୁରୀ ଡେପୁଟି ଫାୟାର୍ ଅଫିସର୍ଙ୍କୁ ଜନଗହଳି ସ୍ଥାନରେ ବାଣ ପ୍ରଦର୍ଶନକୁ ଅନୁମତି ନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟ ଓ ଏନ୍ଜିଟିଙ୍କ ନିର୍ଦ୍ଦେଶକୁ ପାଳନ କରାଯିବା ସହିତ ପୁରୀ ପୁଲିସ ଅଧୀକ୍ଷକ, ଫାୟାର୍ ଅଫିସର ଓ ତହସିଲଦାର ତଥା ଅନ୍ୟ ଲାଇନ୍ ବିଭାଗକୁ ମାର୍ଗଦର୍ଶିକା ପାଳନ କରିବା ସହିତ ଆବଶ୍ୟକତା ସମୟରେ ପ୍ରବର୍ତ୍ତନ ପାଇଁ ନିର୍ଦ୍ଦେଶ ଦିଆଯାଉଛି।
ଏଥି ସହିତ ଜନସାଧାରଣଙ୍କୁ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି। ସମସ୍ତଙ୍କୁ ଦୀପାବଳି ସମୟରେ ଧ୍ବନିକୁ ପ୍ରଶମିତ କରିବା ପାଇଁ ଗ୍ରିନ୍ ଆତସବାଜି ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଉଛି। ଅସ୍ଥାୟୀ ଆତସବାଜି ଦୋକାନ ଲାଇସେନ୍ସ ପ୍ରଦାନ ନେଇ ସୁ୍ପ୍ରିମକୋର୍ଟଙ୍କ ୨୦୨୧ ଅକ୍ଟୋବର ୨୯ର ଆଦେଶକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି ବୋଲି ସତ୍ୟପାଠରେ କୁହାଯାଇଛି। ଏଥି ସହିତ ବାଣ ବିସ୍ଫୋରଣ ସମ୍ବନ୍ଧୀୟ ସମାନ୍ତରାଳ ମାମଲା ଜାତୀୟ ମାନବାଧିକାର ଆୟୋଗ (ନୂଆଦିଲ୍ଲୀ) ଓ ଓଏଚ୍ଆର୍ସି (ଭୁବନେଶ୍ବର)ରେ ଜାରି ରହିଥିବା ସତ୍ୟପାଠରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/rOlUzDhED7ip3bzO4JlU.jpg)