ପିଏମ୍ କିଷାନ୍ ଯୋଜନାର ଲାଭ ପାଇବେ ଓଡ଼ିଶାର ସମସ୍ତ ଯୋଗ୍ୟ ଚାଷୀ, ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ପ୍ରତିଶ୍ରୁତି ଦେଲେ କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: ଓଡିଶାର ସମସ୍ତ ଯୋଗ୍ୟ ଚାଷୀ ପିଏମ କିଷାନ ନିଧି ସମ୍ମାନ ଯୋଜନାର ଲାଭ ପାଇବେ । ଏ ନେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପାଇବା ପରେ ତତକ୍ଷଣାତ ପଦକ୍ଷେପ ନେଇ କେନ୍ଦ୍ର କୃଷି ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଟ୍ୱିଟ୍ କରି କହିଛନ୍ତି ଯେ, ଯଥାଶୀଘ୍ର ଓଡ଼ିଶାର ସମସ୍ତ ଚାଷୀ ପିଏମ କିଷାନ ସମ୍ମାନ ନିଧିର ଲାଭ ପାଇପାରିବେ।ସେ ସମ୍ବନ୍ଧରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ପିଏମ କିଷାନର କିସ୍ତି ଟଙ୍କା ଓଡ଼ିଶାର ସମସ୍ତ ଯୋଗ୍ୟ ଚାଷୀଙ୍କୁ ମିଳିବା ନେଇ ତତକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ପ୍ରତିଶ୍ରୁତି ଦେଇଥିବାରୁ କୃଷିମନ୍ତ୍ରୀଙ୍କୁ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି । ସମସ୍ତ ପ୍ରଶାସନିକ ତଥା ପିଏମ କିଷାନ ସହିତ ଜଡ଼ିତ ବିଷୟଗୁଡ଼ିକୁ ତୁରନ୍ତ ସମାଧାନ କରିବା ହେଉଛି ସରକାରଙ୍କ ପ୍ରାଥମିକତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶା ସମେତ ଭାରତବର୍ଷର ଚାଷୀଙ୍କ କଲ୍ୟାଣ ପାଇଁ ନିରନ୍ତର କାମ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ କିପରି ମିଳିପାରିବ ସେ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଥିଲେ । ଉକ୍ତ ଚିଠିରେ ରାଜ୍ୟ ସରକାରଙ୍କୁ ଅତିରିକ୍ତ ବଲ୍କ ୱିଣ୍ଡୋ କ୍ଲିୟରାନ୍ସ କରିବା ପାଇଁ ଅନୁମତି ଦିଆଯାଉ, ଯାହା ଦ୍ୱାରା ହିତାଧିକାରୀଙ୍କ ସ୍ଥଗିତ ଥିବା କିସ୍ତି ଟଙ୍କାକୁ ଠିକ୍ କରାଯାଇ ତୁରନ୍ତ ବ୍ୟାଙ୍କ୍ ଖାତାକୁ ପଠାଯାଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ । ଏହାସହ ପ୍ରତିଥର ପିଏମ କିଷାନରେ କିସ୍ତି ଦିଆଯିବା ପୂର୍ବରୁ ରାଜ୍ୟମାନଙ୍କ ପାଇଁ କିଛି ପରିବର୍ତ୍ତନ କରିବା କାରଣରୁ ପିଏମ କିଷାନ ହିତାଧିକାରୀଙ୍କ ତଥ୍ୟ ଖୋଲାଯାଏ । ଓଡ଼ିଶା ସରକାର ଚାଷୀଙ୍କ ପ୍ରକୃତ ଯାଞ୍ଚ କରିବା ପାଇଁ ପାଖାପାଖି ୧୪.୫ ଲକ୍ଷ ଚାଷୀଙ୍କ କିସ୍ତି ନ ଦେବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ, ଯାହା ଭାରତର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅସାଧାରଣ । ଏହାଦ୍ୱାରା ଓଡ଼ିଶାରେ କେବଳ ୨୩ ଲକ୍ଷ ପିଏମ କିଷାନ ହିତାଧିକାରୀ ଲାଭ ପାଇପାରିଥିଲେ ବୋଲି ସେ କହିଥିଲେ ।

ଗତ ୧ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଓଡ଼ିଶାରେ ପିଏମ କିଷାନରେ ପଞ୍ଜିକୃତ ସମସ୍ତ ଓଡ଼ିଆ ଚାଷୀ ଯେପରି ଭାବରେ ଏହାର ଲାଭ ପାଇପାରିବେ ସେ ନେଇ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଅଧିକାରୀ ତଥା ପ୍ରଶାସନ ଦ୍ୱାରା ଆବଶ୍ୟକୀୟ ପ୍ରକ୍ରିୟାକୁ ଅନୁପାଳନ ନକରିବା ଯୋଗୁଁ ପିଏମ କିଷାନ ଯୋଜନାରେ ଅନ୍ତର୍ଭୃକ୍ତ ଓଡ଼ିଶାର ଚାଷୀ ଲାଭ ପାଇପାରୁନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର