ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହଲ୍ଲାଦ ସିଂ ପଟେଲ ଓ ରେଣୁକା ସିଂ ସରୁତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି। ଏବେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କୃଷି ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ରାଜୀବ ଚନ୍ଦ୍ରଶେଖରଙ୍କୁ ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାରଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୩ଟି ବଡ଼ ରାଜ୍ୟ ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜୟ ହାସଲ କରିଛି। ତେବେ ନିର୍ବାଚନ ଫଳାଫଳ ପ୍ରକାଶର ୪ ଦିନ ହୋଇଯାଇଥିଲେ ବି ବିଜେପି ମୁଖ୍ୟମନ୍ତ୍ରୀ ଚୟନ କରିପାରିନାହିଁ । ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଶିବରାଜ ସିଂ ଚୌହାନଙ୍କ ବ୍ୟତୀତ ନରେନ୍ଦ୍ର ସିଂ ତୋମାର ମଧ୍ୟ ଅଛନ୍ତି । ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆ ବି ଦୌଡ଼ରେ ଅଛନ୍ତି ।
ଅନ୍ୟପକ୍ଷରେ ରାଜସ୍ଥାନ ଓ ଛତିଶଗଡ଼ରେ ବି ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଅକଳରେ ପଡ଼ିଯାଇଛି ବିଜେପି । ରାଜସ୍ଥାନରେ ବସୁନ୍ଧରାଙ୍କ ସମେତ ଯୋଗୀ ବାଳକନାଥ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବି ଦୌଡରେ ଅଛନ୍ତି ।