ନୂଆଦିଲ୍ଲୀ: ଜଣେ ଭାରତୀୟ-ଆମେରିକୀୟ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗର ଯାଞ୍ଚ କରାଯିବ, କିନ୍ତୁ ଗୋଟିଏ ଦୁଇଟି ଘଟଣା ଭାରତ-ଆମେରିକା ସମ୍ପର୍କକୁ ପ୍ରଭାବିତ କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି। ଗତମାସରେ ଆମେରିକାର ଫେଡ଼େରାଲ ପ୍ରସିକ୍ୟୁଟରମାନେ ଭାରତୀୟ ନିଖିଲ ଗୁପ୍ତାଙ୍କ ବିରୋଧରେ ହତ୍ୟା ଷଡ଼୍‌ଯନ୍ତ୍ର ଅଭିଯୋଗ ଆଣିବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରଥମ ସାର୍ବଜନୀନ ମନ୍ତବ୍ୟରେ ଏହା କହିଛନ୍ତି।

Advertisment

ଏକ ବ୍ରିଟିସ ଦୈନିକ ଫାଇନାନ୍ସିଆଲ ଟାଇମ୍ସକୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯଦି କେହି ଆମକୁ କିଛି ସୂଚନା ଦିଅନ୍ତି, ଆମେ ନିଶ୍ଚିତ ଭାବରେ ଏହାର ଅନୁଧ୍ୟାନ କରିବୁ। ଆଇନର ଶାସନ ପ୍ରତି ଆମର ପ୍ରତିବଦ୍ଧତା ରହିଛି। ତେବେ ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ମଧ୍ୟ ଦୃଢ଼ ଦ୍ୱିପାକ୍ଷିକ ସମର୍ଥନ ରହିଛି, ଯାହା ଏକ ପରିପକ୍ୱ ଏବଂ ସ୍ଥିର ଭାଗୀଦାରିର ସ୍ପଷ୍ଟ ସୂଚକ। ୨୦୧୪ ମସିହାରୁ ବାରମ୍ବାର ଆମେରିକା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ସୁରକ୍ଷା ଓ ସହଯୋଗକୁ ଏହି ଭାଗୀଦାରିର ପ୍ରମୁଖ ଅଂଶ ବୋଲି ଦର୍ଶାଇ କହିଛନ୍ତି, କିଛି ଘଟଣାକୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସହ ଯୋଡ଼ିବା ଉଚିତ ନୁହେଁ।

ଆମେରିକୀୟ କର୍ତ୍ତୃପକ୍ଷ କହିଛନ୍ତି ଯେ ୫୨ ବର୍ଷୀୟ ନିଖିଲ ଗୁପ୍ତା ଏବଂ ସିସି-୧ କୋଡ୍‌ ନମ୍ବର ବିଶିଷ୍ଟ ଜଣେ ଭାରତୀୟ ସରକାରୀ କର୍ମଚାରୀ ଗତ ମେ ମାସରୁ ପରସ୍ପର ଯୋଗାଯୋଗରେ ଥିଲେ। ସିସି-୧ ଗୁପ୍ତାଙ୍କୁ ପନ୍ନୁ ହତ୍ୟା ଯୋଜନା କରିବାକୁ କହିଥିଲେ। ଗୁପ୍ତା ପନ୍ନୁକୁ ହତ୍ୟା କରିବା ପାଇଁ ଜଣେ ହିଟ୍‌ମ୍ୟାନକୁ ନିୟୋଜିତ କରିବାକୁ ଚେଷ୍ଟା କରି ଧରାପଡ଼ିଥିଲେ। ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।