ଭୋପାଳ: ରବିବାର ଦିନ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଯାଉଥିବା ଲିଫ୍‌ଟ୍‌ଟି ଉପରକୁ ଉଠିବା ପରିବର୍ତ୍ତେ ଅକାମି ହୋଇ ୧୦ ଫୁଟ୍‌ ତଳକୁ ଖସିଯିବାରୁ ସେ ସମ୍ଭାବ୍ୟ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି। ତାଙ୍କ ସହ ସେ ଲିଫ୍‌ଟ୍‌ରେ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ଥିଲେ।

Advertisment

publive-image Image Courtesy of India Today

କମଲ ନାଥ ଇନ୍ଦୋରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ପୂର୍ବତନ ମନ୍ତ୍ରୀ ରାମେଶ୍ୱର ପଟେଲ୍‌ଙ୍କୁ ଦେଖିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ତାଙ୍କ ସହ ଥିଲେ କଂଗ୍ରେସ ନେତା ସାଜ୍ଜନ ସିଂହ ବର୍ମା ଏବଂ ଜିତୁ ପଟଓ୍ଵାରି। ଡାକ୍ତରଖାନାରେ ପହଞ୍ଚିବା ପରେ ସେମାନେ ଉପରେ ମହଲାରେ ଥିବା ପଟଓ୍ଵାରିଙ୍କ ଓ୍ଵାର୍ଡକୁ ଯିବା ନିମନ୍ତେ ଲିଫ୍‌ଟ୍‌ରେ ପଶିଥିଲେ। କିନ୍ତୁ ଲିଫ୍‌ଟ୍‌ ଉପରକୁ ଯିବା ପରିବର୍ତ୍ତେ ୧୦ ଫୁଟ୍‌ ତଳକୁ ଖସି ଯାଇଥିଲା।

publive-image Image Courtesy of India Today

ଏହା ଦେଖି କମଲ ନାଥଙ୍କ ନିରାପତ୍ତା ରକ୍ଷୀମାନେ ତଳ ମହଲାକୁ ଧାଇଁ ଯାଇଥିଲେ। ଲିଫ୍‌ଟ୍‌ର ଦରଜା ଜାମ୍‌ ହୋଇଯାଇଥିଲା। ତୁରନ୍ତ ଜଣେ ଲିଫ୍‌ଟ୍‌ ଇଞ୍ଜିନିୟର୍‌ଙ୍କୁ ଡକାଯାଇ ଲିଫ୍‌ଟ୍‌ ଦରଜା ଭାଙ୍ଗିବା ପରେ କମଲ୍‌ ନାଥ ଓ ଅନ୍ୟ ନେତାମାନଙ୍କୁ ଉଦ୍ଧାର କରାଯାଇଥିଲା। ସୌଭାଗ୍ୟକୁ ଲିଫ୍‌ଟ୍‌ରେ ଥିବା କୌଣସି ନେତା ଆହତ ହୋଇ ନ ଥିଲେ।

ଏହି ଅଘଟଣ କଥା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ଫୋନ୍‌ କରି କମଲ୍‌ ନାଥଙ୍କୁ କଥା କହିବା ସହ ଘଟଣାର ତଦନ୍ତ ନିମନ୍ତେ ଆଦେଶ ଦେଇଛନ୍ତି।