ୟୁଏଫଓର ରହସ୍ୟ ଭେଦ କରିବ ନାସା

ଓ୍ବାସିଂଟନ : ୟୁଏଫଓ ବା ଅଚିହ୍ନା ଉଡ଼ନ୍ତା ବସ୍ତୁ କିମ୍ବା ଲୋକପ୍ରିୟ ଭାଷାରେ ଉଡ଼ନ୍ତା ଥାଳିଆକୁ ନେଇ ଗତ ପ୍ରାୟ ଏକ ଶତାବ୍ଦୀ ଧରି ବିଶ୍ବରେ ତର୍କ ବିତର୍କ ଲାଗି ରହିଛି । କିନ୍ତୁ ଆଜି ବି ଏହି ପ୍ରସଙ୍ଗ ବେଶ୍ ରହସ୍ୟମୟ ହୋଇ ରହିଛି । ଏପରିକି କେତେକ ବୈଜ୍ଞାନିକ ଜଗତରେ ଏହାକୁ ଏକ କଳ୍ପନା ବୋଲି ଏପର୍ଯ୍ୟନ୍ତ ମନେ କରାଯ଼ାଉଛି । ତେବେ ଆମେରିକା ମହାକାଶ ସଂସ୍ଥାର ନୂଆ ମୁଖ୍ୟ ବିଲ୍ ନିଲସନ ଏହାକୁ ଆଦୌ କଳ୍ପନାପ୍ରସୂତ କିମ୍ବା ଭାବନ୍ତି ନାହିଁ । ୟୁଓଫଓ ସମ୍ପର୍କରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଗବେଷଣା କରିବାକୁ ସେ ନାସାର ବୈଜ୍ଞାନିକମାନଙ୍କୁ କହିଛନ୍ତି ।

ଗତ ବର୍ଷ ଏପ୍ରିଲ ମାସରେ ଆମେରିକାର ପ୍ରତିରକ୍ଷା ବିଭାଗ ପକ୍ଷରେ କେତେକ ଅତ୍ୟନ୍ତ ଗୋପନୀୟ ରିପୋର୍ଟକୁ ସାର୍ବଜନୀନ କରାଯାଇଥିଲା । ଏସବୁ ରିପୋର୍ଟରେ କୁହାଯାଇଥିଲା ଯେ ଆମେରିକା ନୌସେନାର ପାଇଲଟମାନେ ୟୁଏଫଓ ପରି କେତେକ ବସ୍ତୁ ଦେଖିଛନ୍ତି । ଏ ସମ୍ପର୍କିତ ଏକ ଭିଡିଓ ପୂର୍ବରୁ ହିଁ ଗଣମାଧ୍ୟମରେ ଲିକ ହୋଇଯ଼ାଇଥିଲା । ପରେ ଆମେରିକୀୟ ନୌସେନା ପକ୍ଷରୁ ଏ ସମ୍ପର୍କରେ ଆଉ କେତେକ ସବିଶେଷ ରିପୋର୍ଟ ପ୍ରକାଶ କରାଗଲା । ଏବେ ନାସା ଏ ସମ୍ପର୍କରେ ଗବେଷଣା କରିବାକୁ ପ୍ରସ୍ତୁତ ହେଉଥିବାରୁ ଆଗକୁ ଆହୁରି ଚମକପ୍ରଦ ତଥ୍ୟ ମିଳିବାର ସମ୍ଭାବନା ରହିଛି । ଏପରିକି ଯ଼ଦି ୟୁଏଫଓ ଗୁଡ଼ିକ ସତ ବୋଲି ପ୍ରମାଣିତ ହୁଏ ତେବେ ଏଲିଏନ ବା ବାହାର ଗ୍ରହର ଜୀବ ଏହାକୁ ଚଳାଉଥିବା ମଧ୍ୟ ପ୍ରମାଣିତ ହୋଇପାରିବ ।

ସମ୍ବନ୍ଧିତ ଖବର