୨୦୧୯ରେ ଗୋଟିଏ ଦିନରେ ୨୭ଟି ମାଙ୍କଡ଼ଙ୍କୁ ପରୀକ୍ଷାଗାରରେ ଯନ୍ତ୍ରଣାମୁକ୍ତ ମୃତ୍ୟୁ ଦେଇଛି ‘ନାସା’: ରିପୋର୍ଟ

ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲ୍‌ ଏରୋନଟିକ୍ସ୍‍ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ରେ (ନାସା) ରଖାଯାଇଥିବା ସମୁଦାୟ ୨୭ଟି ମାଙ୍କଡ଼ଙ୍କୁ ଗତବର୍ଷ ଗୋଟିଏ ଦିନରେ ହତ୍ୟା କରାଯାଇଥିବା କଥା ‘ଗାର୍ଡିଆନ୍‌’ ନାମକ ଖବରକାଗଜ ରିପୋର୍ଟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ୨୦୧୯ ମସିହା ଫେବ୍ରୁଆରି ୨ ତାରିଖ ଦିନ କାଲିଫର୍ଣ୍ଣିଆର ସିଲିକନ୍‌ ଭେଲିସ୍ଥିତ ‘ନାସା’ର ‘ଆମେସ୍‌ ଗବେଷଣା କେନ୍ଦ୍ରରେ ଏହି ମାଙ୍କଡ଼ମାନଙ୍କୁ ଯନ୍ତ୍ରଣାମୁକ୍ତ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ପ୍ରାଣୀ ମଙ୍ଗଳ ପ୍ରଚାରକମାନଙ୍କୁ ଉତ୍‌କ୍ଷିପ୍ତ କରିଛି। ଏତାଦୃଶ କାର୍ଯ୍ୟ ପାଇଁ ପ୍ରାଣୀ ଅଧିକାରକର୍ମୀମାନେ ‘ନାସା’କୁ ନିନ୍ଦା କରିଛନ୍ତି।

ଗତବର୍ଷ ହତ୍ୟା କରାଯାଇଥିବା ଏହି ମାଙ୍କଡ଼ସବୁ ବୁଢ଼ା ହୋଇଯାଇଥିଲେ ଏବଂ ଅଧିକାଂଶ ପାର୍କିନ୍‌ସନ୍‌ସ୍‌ ରୋଗାକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ମହାକାଶ ଅଭିଯାନ କିଂବା ଗବେଷଣାରେ ବ୍ୟବହାର କରାଯାଇ ନ ଥିଲା। ‘ଆମେସ୍‌’ରେ ଜାଗା ଭଡ଼ା ନେଇଥିବା ଘରୋଇ ଗବେଷଣା କମ୍ପାନି ‘ଲାଇଫ୍‌ସୋର୍ସ ବାୟୋମେଡିକାଲ୍‌’ ଏବଂ ‘ନାସା’ ମିଳିତ ଭାବେ ଉକ୍ତ ମାଙ୍କଡ଼ମାନଙ୍କୁ ରଖିଥିଲେ।

Image Courtesy of Daily Mail

ବାର୍ଦ୍ଧକ୍ୟ ଯୋଗୁ ସ୍ୱାସ୍ଥ୍ୟ ନଷ୍ଟ ହୋଇ ଯାଉଥିବା ଏହି ମାଙ୍କଡ଼ମାନଙ୍କୁ ଥଇଥାନ କରିବା ଅସମ୍ଭବ ହୋଇ ପଡ଼ିବାରୁ ସେମାନଙ୍କର ସେବାଯତ୍ନ କରିବାକୁ ଆମେ ବର୍ଷେ ତଳେ ରାଜି ହୋଇଥିଲୁ ବୋଲି ‘ଲାଇଫ୍‌ସୋର୍ସ ବାୟୋମେଡିକାଲ୍‌’ର ନିର୍ଦେଶିକା ଷ୍ଟିଫେନି ସଲିସ୍‌ କହିଛନ୍ତି। ନିଜ ଖର୍ଚ୍ଚରେ ସେହି ମାଙ୍କଡ଼ମାନଙ୍କର ସମସ୍ତ ଦେଖାଶୁଣା କରାଇଥିଲୁ। ବହୁ ଦିନ ପରେ ଜରାଜୀର୍ଣ୍ଣ ଜୀବନରୁ ମୁକ୍ତି ଦେବାକୁ ସେମାନଙ୍କୁ ଯନ୍ତ୍ରଣାମୁକ୍ତ ମରଣ ଦେବାକୁ ସ୍ଥିର କରାଯାଇଥିଲା। ସେମାନଙ୍କୁ କୌଣସି ଗବେଷଣାରେ ବ୍ୟବହାର କରାଯାଇ ନ ଥିବା କଥା ମଧ୍ୟ ସଲିସ୍‌ କହିଛନ୍ତି।

ସୂଚନାଯୋଗ୍ୟ କି, ୨୦୧୭ରେ ଯୁକ୍ତରାଷ୍ଟ୍ର ଆମେରିକାରେ ରେକର୍ଡସଂଖ୍ୟକ ୭୪, ୦୦୦ ମାଙ୍କଡ଼ଙ୍କୁ ଗବେଷଣାରେ ବ୍ୟବହାର କରାଯାଇଥିଲା। କିନ୍ତୁ, ପରେ ଆମେରିକା ମାଙ୍କଡ଼ଙ୍କୁ ପରୀକ୍ଷା ଏବଂ ଗବେଷଣାରେ ବ୍ୟବହାର କରିବାରୁ ବିରତ ରହିଥିଲା। ଫଳରେ କୋଭିଡ୍‌-୧୯ ଟିକା ପରୀକ୍ଷଣରେ ବ୍ୟବହାର ପାଇଁ ଆବଶ୍ୟକସଂଖ୍ୟକ ମାଙ୍କଡ଼ ମିଳିଲେ ନାହିଁ ବୋଲି ‘ଆଟ୍‌ଲାଣ୍ଟିକ୍‌’ ରିପୋର୍ଟ କରିଛି।

ସମ୍ବନ୍ଧିତ ଖବର