ସୂର୍ଯ୍ୟର ରହସ୍ୟ ଭେଦିବ ସୌରଯାନ

‘ପାର୍କର ସୋଲାର ପ୍ରୋବ୍‌’ର ସଫଳ ପ୍ରକ୍ଷେପଣ, ସୂର୍ଯ୍ୟ ଅଭିଯାନ ପଛରେ ଭାରତୀୟ ବୈଜ୍ଞାନିକ

ନୂଆଦିଲ୍ଲୀ : ମାନବ ଇତିହାସରେ ପ୍ରଥମଥର ପାଇଁ ସୂର୍ଯ୍ୟଙ୍କ ନିକଟବର୍ତ୍ତୀ ହେବାକୁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ଅଭିଯାନ ଆରମ୍ଭ ହୋଇଯାଇଛି। ଆଜି ନାସା ପକ୍ଷରୁ ‘ ପାର୍କର ସୋଲାର୍‌ ପ୍ରୋବ୍‌’ ନାମକ ମହକାଶ ଯାନର ସଫଳ ପ୍ରକ୍ଷେପଣ କରାଯାଇଛି। ନାସାର ଏହି ଐତିହାସିକ ସୋଲାର ପ୍ରୋବ୍‌ ସୂର୍ଯ୍ୟଠାରୁ ୪୦ ଲକ୍ଷ କିଲୋମିଟର ଦୂରରେ ପ୍ରଦକ୍ଷିଣ କରିବ। ଏହି ମିସନ୍‌ ଯେତେବେଳେ ସୂର୍ଯ୍ୟର ସବୁଠାରୁ ନିକଟ ଦେଇ ଗତି କରିବ ସେତେବେଳେ ଏହାର ତାପମାତ୍ରା ୨୫୦୦ ଡିଗ୍ରି ସେଲ୍‌ସିୟସ ପର୍ଯ୍ୟନ୍ତ ରହିବ।

ଆମେରିକା ପଠାଇଥିବା ଏହି ସୌରଯାନଟି ସୂର୍ଯ୍ୟ ଠାରୁ ଏହାର ପରିକ୍ରମଣ ଦୂରତାକୁ ପର୍ଯ୍ୟାୟ କ୍ରମେ କମାଇବା ଉଦ୍ଦେଶ୍ୟରେ ଆଗାମୀ ୭ ବର୍ଷ ଭିତରେ ଶୁକ୍ର ଗ୍ରହକୁ ଅନ୍ତତଃ ୭ ଥର ଅତିକ୍ରମ କରିବ। ଏହି ସମୟ ମଧ୍ୟରେ ଏହା ୨୪ ଥର ସୂର୍ଯ୍ୟପୃଷ୍ଠର ଅତି ନିକଟତର(୬୨ ଲକ୍ଷ କିମି ଦୂର) ହେବ। ଏହି ଅବସରରେ ସେଠାରେ ସଂଘଟିତ ସୌରଝଡ଼ର ଚିତ୍ର ଉତ୍ତୋଳନ କରିବା ସହ ସୂର୍ଯ୍ୟର ବିଦ୍ୟୁତ୍‌-ଚୁମ୍ବକୀୟ କ୍ଷେତ୍ର ସମ୍ପର୍କରେ ବିଶଦ ତଥ୍ୟ ସଂଗ୍ରହ କରିବ। ବିଶେଷ କରି ଅତ୍ୟୁଚ୍ଚ ଚୁମ୍ବକୀୟ କ୍ଷେତ୍ର ସଂପନ୍ନ ସୌର ଆଭାର କାର୍ଯ୍ୟକାରିତା ଏବଂ ସେଥିରେ ରହିଥିବା ଶକ୍ତିଶାଳୀ କଣିକା ସମ୍ବନ୍ଧରେ ମଧ୍ୟ ତଥ୍ୟ ଯୋଗାଡ଼ କରିବା ଲାଗି ନାସା ଏହି ସୌର ଯାନରେ ଆବଶ୍ୟକ ଯନ୍ତ୍ରପାତି ଖଞ୍ଜିଛି। ସୂର୍ଯ୍ୟର ନିକଟତର ହେଲା ବେଳେ ଭୀଷଣ ଅକଳ୍ପନୀୟ ତାପମାତ୍ରାରୁ ସୁରକ୍ଷିତ ରହିବା ପାଇଁ ଏହାର ଚାରିପାଖେ ଅତି ଶକ୍ତିଶାଳୀ ଆବରଣ ଦିଆଯାଇଛି ଯାହା କି ଭୂପୃଷ୍ଠର ବିକିରଣ ଠାରୁ ୫୦୦ ଗୁଣ ଅଧିକ ସହ୍ୟ କରିପାରିବ। ଆସନ୍ତା ନଭେମ୍ବର ମାସର କୌଣସି ଦିନ ଏହା ଆକଳନ ଅନୁଯାୟୀ ସୂର୍ଯ୍ୟପୃଷ୍ଠର ନିକଟତର ହେବ ବୋଲି କୁହାଯାଇଛି। ଏହା ପୂର୍ବରୁ କୌଣସି ଅନ୍ତରୀକ୍ଷ ଯାନ ଏତେ ଅଧିକ ତାପମାତ୍ରା ଏବଂ ଆଲୋକକୁ ସାମ୍ନା କରିନଥିଲା। ସୂର୍ଯ୍ୟର ଚାରିପାଖରେ ଏତେ ଶକ୍ତି ଏବଂ ତାପାମାତ୍ରା କିଭଳି ରହିଛି ତାହା ଜାଣିବା ଏହି ଅଭିଯାନର ଉଦ୍ଦେଶ୍ୟ। ସୂର୍ଯ୍ୟ ଅଭିଯାନ ପ୍ରକଳ୍ପକୁ ସାକାର କରିବା ପାଇଁ ନାସା ୧୦୩ କୋଟି ଡଲାର ଖର୍ଚ୍ଚ କରିଛି ।

ମହାନ୍‌ ବୈଜ୍ଞାନିକ ୟୁଜିନ୍‌ ପାର୍କରଙ୍କ ନାମରେ ଏହି ମିସନ୍‌କୁ ରଖାଯାଇଛି । ତେବେ ନାସାର ‘ସୋଲାର ପାର୍କର ପ୍ରୋବ୍‌’ ତିଆରି ପଛରେ ଜଣେ ଭାରତୀୟ ବୈଜ୍ଞାନିକଙ୍କ ହାତ ରହିଛି। ପାର୍କର ୧୯୫୮ ମସିହାରେ ସୂର୍ଯ୍ୟଙ୍କ ଅସ୍ତିତ୍ୱ ଏବଂ ବାୟୁ ମଣ୍ଡଳର ସ୍ଥିତି ନେଇ ଏକ ରିପୋର୍ଟ ମହାକାଶ ବିଜ୍ଞାନ କ୍ଷେତ୍ରରେ ସର୍ବାଧିକ ପ୍ରତିଷ୍ଠିତ ପତ୍ରିକା ‘ଏଷ୍ଟ୍ରୋଫିଜିକାଲ ଜର୍ଣ୍ଣାଲ’କୁ ଦେଇଥିଲେ । ସେତେବେଳେ ଏହାକୁ ଅନେକ ଖାରଜ କରିଥିଲେ ଓ ଭିନ୍ନମତ ଦେଇଥିଲେ। ତେବେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶ ବିଜ୍ଞାନୀ ସୁବ୍ରମଣ୍ୟନ ଚନ୍ଦ୍ରଶେଖର ପାର୍କରଙ୍କ ତତ୍ତ୍ୱକୁ ଗ୍ରହଣ କରି ପ୍ରବନ୍ଧ ପ୍ରକାଶ କରିଥିଲେ। ଏହା ସହିତ ସେ ଏ ବାବଦରେ ବିସ୍ତତ ସମୀକ୍ଷା କରି ନାସାର ସୌର ଅଭିଯାନର ମୂଳଦୁଆ ସ୍ଥାପନ କରିବାରେ ସହାୟକ ହୋଇଥିଲେ। ଚନ୍ଦ୍ରଶେଖରଙ୍କୁ ୧୯୮୩ରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର