ଚନ୍ଦ୍ରର ଗତିପଥରେ ପରିବର୍ତ୍ତନ ଯୋଗୁଁ ବିଶ୍ବରେ ଦେଖାଯିବ ଭୟଙ୍କର ବନ୍ୟା : ନାସା

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଆଜିକାଲି ବନ୍ୟା ବାତ୍ୟା ଆଦି ପ୍ରାକୃତିକ ବିପର୍ୟ୍ୟୟ ନିୟମିତ ଭାବେ ଦେଖାଦେଉଛି । ଓଡ଼ିଶାରେ ସାମୁଦ୍ରିକ ବାତ୍ୟା ଆସିବା ଏକ ସାଧାରଣ କଥା ହୋଇଗଲାଣି । ବିଶ୍ବର ଅନ୍ୟ ଅଞ୍ଚଳଗୁଡ଼ିକ ବି ସମାନ ବିପଦର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ବୈଜ୍ଞାନିକମାନଙ୍କ ମତରେ ଆଗକୁ ଏପରି ପ୍ରାକୃତିକ ବିପର୍ୟ୍ୟୟ ସଂଖ୍ୟା ଆହୁରି ବଢିବ । ଏହା ପଛରେ ରହିଛି ପୃଥିବୀର ଏକମାତ୍ର ଉପଗ୍ରହ ଚନ୍ଦ୍ର ।

ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ଏକ ଗବେଷଣା ଅନୁସାରେ ୨୦୩୦ ଦଶକ ବେଳକୁ ଚନ୍ଦ୍ରର ଗତିପଥରେ କେତେକ ଅନିୟମିତତା ଦେଖାଯିବ । ଏହାର ପ୍ରଭାବରୁ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହେବ ଓ ବଡ଼ ବଡ଼ ବନ୍ୟା ଆସିବ । ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଫଳରେ ଉପକୂଳ ଅଂଚଳଗୁଡ଼ିକ ଜଳମଗ୍ନ ହେବ । ଉପକୂଳରେ ଥିବା ସହର ଓ ଜନପଦଗୁଡ଼ିକର ସ୍ଥିଚି ପ୍ରତି ବିପଦ ଦେଖାଯିବ ।

ଏହି ଗବେଷଣା ସଂଦର୍ଭ ଲୋକପ୍ରିୟ ଜର୍ନାଲ ନେଚର କ୍ଲାଇମେଟ୍ ଚେଞ୍ଜରେ ପ୍ରକାଶ ପାଇଛି । ଏହି ଗବେଷଣା କରିଥିବା ନାସା ବୈଜ୍ଞାନିକ ବିଲ୍ ନେଲସନ କହିଛନ୍ତି ଯେ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି, ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ରର ଜଳପତ୍ତନ ବୃଦ୍ଧି ଯୋଗୁଁ ୨୦୩୦ ଦଶକ ମଧ୍ୟ ବେଳକୁ ସ୍ଥିତି ବେଶ ଚିନ୍ତାଜନକ ହୋଇପଡ଼ିବ ।

ସମ୍ବନ୍ଧିତ ଖବର