ନ୍ୟୁୟର୍କ: ଆମେରିକୀୟ ମହାକାଶ ଏଜେନ୍ସି ନାସା ମହାକାଶୀୟ ଶବ୍ଦଗୁଚ୍ଛର ଏକ ଚମତ୍କାର ସଂଗୀତମୟ ସଂସ୍କରଣ ଜାରି କରିଛି। ସଙ୍ଗୀତ ନିର୍ଦ୍ଦେଶକ ସୋଫି କାଷ୍ଟନରଙ୍କ ସହାୟତାରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ବୋଲି ନାସା ନିଜ ୱେବ୍ସାଇଟରେ କହିଛି। ଏହା ସହ ଶ୍ରୀମତୀ କାଷ୍ଟନରଙ୍କ ସହାୟତାରେ ତିଆରି ହୋଇଥିବା ମ୍ୟୁଜିକ୍ ନୋଟ୍ଗୁଡ଼ିକର ଫଟୋ ମଧ୍ୟ ପୋଷ୍ଟ କରି ନାସା କହିଛି ଯେ, ଏହାର ଟେଲିସ୍କୋପ ଦ୍ୱାରା କଏଦ ହୋଇଥିବା ତଥ୍ୟ ମୂଳ ସଙ୍ଗୀତର ଆଧାର ପାଲଟିଛି ଯାହାକୁ ମଣିଷ ବଜାଇପାରିବ। ଟେଲିସ୍କୋପରୁ ମିଳିଥିବା ତଥ୍ୟକୁ ସୋନିଫିକେସନ୍ ନାମକ ଏକ ପ୍ରକ୍ରିୟା ଦ୍ୱାରା ନୋଟ୍ ଓ ଶବ୍ଦରେ ପରିଣତ କରାଯାଏ।
ନାସା ପାଖରେ ବର୍ଷ ବର୍ଷ ଧରି ରେକର୍ଡ ହୋଇଥିବା ଏଭଳି ଶବ୍ଦର ଭଣ୍ଡାର ରହିଛି, ଯାହାକୁ ଏହାର ୱେବ୍ସାଇଟରେ ସୋନିଫିକେସନ୍ ପ୍ଲେଲିଷ୍ଟ ଭାବରେ ପୋଷ୍ଟ କରାଯାଇଛି। ସଦ୍ୟତମ ପ୍ରୋଜେକ୍ଟରେ ଶ୍ରୋତାମାନେ ତଥ୍ୟକୁ ଚିତ୍ର ଭାବରେ ଦେଖିବା ପରିବର୍ତ୍ତେ ଶ୍ରବଣ ଶକ୍ତି ମାଧ୍ୟମରେ ଅନୁଭବ କରିପାରିବେ। ଏହା ଏକ କାଳ୍ପନିକ କାହାଣୀ ଲେଖିବା ପରି ଯାହା ମୁଖ୍ୟତଃ ବାସ୍ତବ ତଥ୍ୟ ଉପରେ ଆଧାରିତ। ମହାକାଶର ଯେଉଁ ତଥ୍ୟକୁ ଶବ୍ଦରେ ରୂପାନ୍ତରିତ କରାଯାଇଛି ତାହାକୁ ଆମେ ସଂଗୀତରେ ରୂପାୟିତ କରୁଛୁ ବୋଲି କାଷ୍ଟନର କହିଛନ୍ତି।