ନୂଆଦିଲ୍ଲୀ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଏଭଳି ଏକ ବିମାନ ନିର୍ମାଣ କରିଛି ଯାହାର ବେଗ ଧ୍ୱନିର ଗତି ଠାରୁ ଦେଢ଼ ଗୁଣ ଅଧିକ ରହିଛି | ତେବେ ଯଦି ଏହି ବିମାନ ପରୀକ୍ଷଣ ସଫଳ ହୁଏ ତେବେ ନ୍ୟୁୟର୍କରୁ ଦିଲ୍ଲୀ ଯାତ୍ରା ମାତ୍ର ୮ ଘଣ୍ଟାରେ ସମ୍ପୂର୍ଣ୍ଣ କରିହେବ | ବର୍ତ୍ତମାନ ନ୍ୟୁୟର୍କରୁ ଦିଲ୍ଲୀ ଯିବାକୁ ୧୫ ଘଣ୍ଟା ସମୟ ଲାଗୁଛି | ନାସା ଏହି ବିମାନର ନାମ ଏକ୍ସ-୫୯ କ୍ୱେସ୍ତ ରଖିଥିବାବେଳେ ତିନି ଦଶକ ଧରି ନାସା ଏହି ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି |
ନାସା ପକ୍ଷରୁ କୁହାଯାଇଛି ଯେ ଏବେ ଆମେରିକା ସରକାର ଲକହିଡ଼ ମାର୍ଟିନ କମ୍ପାନୀକୁ ଏହି ବିମାନର ସାର୍ଵଜନିକ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି | ତେବେ ବିମାନର ଡିଜାଇନରେ ଭବିଷ୍ୟତରେ ପରିବର୍ତ୍ତନ କରାଯିବ ଯେପରିକି ଅଧିକ ସଂଖ୍ୟାରେ ଯାତ୍ରୀ ଏଥିରେ ବସିପାରିବେ | ନାସା ପକ୍ଷରୁ କୁହାଯାଇଛି ଯେ ପରୀକ୍ଷାରେ ସଫଳ ହୋଇଥିବା ବିମାନର ନିର୍ମାଣ କାର୍ଯ୍ୟ ୨୦୨୦ ଶେଷ ସୁଦ୍ଧା ସରିଯିବ |
୨୦୨୧ ସୁଦ୍ଧା ବିମାନର ପ୍ରଥମ ଉଡାଣ କରାଯିବା ନେଇ ନାସା ଆଶାବାଦୀ ରହିଛି | ଏହି ବିମାନଟି ୫୫ ହଜାର ଫୁଟ ଉଚ୍ଚତାରେ ଉଡ଼ିପାରିବାକୁ ସକ୍ଷମ ହୋଇଥିବାବେଳେ ବିମାନର ପରୀକ୍ଷଣ ଓ ବିକାଶ ପାଇଁ ୧୭୫୫ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହେବ | ଏକ୍ସ-୫୯ କ୍ୱେସ୍ତ ବିମାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୫୧୦ କିଲୋମିଟର ରହିବ | ଅର୍ଥାତ ନ୍ୟୁୟର୍କରୁ ଦିଲ୍ଲୀର ଦୂରତା (୧୧୭୬୫ କିଲୋମିଟର)କୁ ଏହି ବିମାନ ୮ ଘଣ୍ଟାରେ ସମ୍ପୂର୍ଣ୍ଣ କରିପାରିବ |