ୱାସିଂଟନ: ଚଳିତ ବର୍ଷ ଚନ୍ଦ୍ର ଗବେଷଣା କାର୍ଯ୍ୟକ୍ରମ ତ୍ବରାନ୍ବିତ ହେବାକୁ ଯାଉଛି ଏବଂ ଏହି ପ୍ରକ୍ରିୟାରେ ୩ଟି ରୋବୋଟିକ୍ ମହାକାଶଯାନ ଏହାର ପୃଷ୍ଠରେ ଅବତରଣ କରିବା ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ନାସା ପକ୍ଷରୁ ଘରୋଇ ସଂସ୍ଥା ଫାୟାରଫ୍ଲାଇ ଏରୋସ୍ପେସ୍‌ର ‘ବ୍ଲୁ ଘୋଷ୍ଟ୍‌ ଲୁନାର୍‌ ଲ୍ୟାଣ୍ଡର୍‌’ ଆଜି ଚନ୍ଦ୍ରରେ ସଫଳ ଅବତରଣ କରି ଇତିହାସ ରଚିଛି। ଏହି ଅଭିଯାନ ଚନ୍ଦ୍ର ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଏହା ନାସାର ବ୍ୟାପକ ଆର୍ଟେମିସ୍ କାର୍ଯ୍ୟକ୍ରମର ଏକ ଅଂଶ, ଯାହାର ଲକ୍ଷ୍ୟ ଚନ୍ଦ୍ରରେ ଏକ ନିରନ୍ତର ମାନବ ଉପସ୍ଥିତି ପ୍ରତିଷ୍ଠା କରିବ। ବ୍ଲୁ ଘୋଷ୍ଟ୍‌ ଚନ୍ଦ୍ରର ଏକ ବିଶାଳ ସମତଳ ଭୂମି ‘ମେର୍‌ କ୍ରିସିୟମ’ ଅଭିମୁଖେ ଯାତ୍ରା କରିଥିଲା ଏବଂ ଆଜି ଲକ୍ଷ୍ୟ ପୂରଣରେ ସଫଳ ହୋଇଛି। ଏକ ପ୍ରାଚୀନ ଗ୍ରହାଣୁ ପ୍ରଭାବ ଦ୍ୱାରା ସୃଷ୍ଟି ହୋଇଥିବା ଏକ ବିଶାଳ ଖାଲରେ ଲାଭା ଭର୍ତ୍ତି ହେବାରୁ ଏହି ଅଞ୍ଚଳ ସୃଷ୍ଟି ହୋଇଥିଲା ଏବଂ ଏହା ବୈଜ୍ଞାନିକ ଗବେଷଣା ପାଇଁ ଏକ ଆଦର୍ଶ ସ୍ଥାନରେ ପରିଣତ ହୋଇଛି। ବ୍ଲୁ ଘୋଷ୍ଟ୍‌ ଲ୍ୟାଣ୍ଡରରେ ନାସାର  ବିଭିନ୍ନ ବୈଜ୍ଞାନିକ ଓ ବୈଷୟିକ ପେଲୋଡ୍ ରହିଛି। ଚନ୍ଦ୍ରପୃଷ୍ଠ ଏବଂ ମହାକାଶ ପରିବେଶର ବିଭିନ୍ନ ଦିଗ ଯଥା ଚନ୍ଦ୍ରର ଆଭ୍ୟନ୍ତରୀଣ ଅଂଶରୁ ଉତ୍ତାପ ପ୍ରବାହ ସହିତ  ଚନ୍ଦ୍ରର ଚୁମ୍ବକୀୟ ଏବଂ ବୈଦ୍ୟୁତିକ କ୍ଷେତ୍ରର ଅନୁସନ୍ଧାନ କରିବା ପାଇଁ ଏହି ପେଲୋଡ୍ ଡିଜାଇନ୍ କରାଯାଇଛି। 

Advertisment

ଉଲ୍ଲେଖନୀୟ ପେଲୋଡଗୁଡ଼ିକ ମଧ୍ୟରେ ଚନ୍ଦ୍ରର କୋର୍‌ରୁ ଏହାର ପୃଷ୍ଠକୁ ଥର୍ମାଲ ପ୍ରବାହ ମାପିବା ପାଇଁ ଏକ ଡ୍ରିଲ୍, ପୃଷ୍ଠକୁ ସଫା କରିବା ପାଇଁ ଏକ ଇଲେକ୍ଟ୍ରୋଡାଇନାମିକ୍ ଧୂଳି ଢାଲ ଏବଂ ପୃଥିବୀର ମ୍ୟାଗ୍ନେଟୋସ୍ଫିୟରର ଇମେଜିଂ ପାଇଁ ଏକ ଏକ୍ସ-ରେ କ୍ୟାମେରା ରହିଛି । ଏହି ଉପକରଣଗୁଡ଼ିକ ବାଣିଜ୍ୟିକ ଲୁନାର୍‌ ପେଲୋଡ୍ ସର୍ଭିସ୍‌ର ଏକ ଅଂଶ। ନାସା ଏବେ ଫାୟାରଫ୍ଲାଇ ଏରୋସ୍ପେସ୍ ଭଳି ଘରୋଇ କମ୍ପାନି ସହିତ ମିଳିତ ପ୍ରୟାସରେ କମ୍ ଖର୍ଚ୍ଚରେ ଚନ୍ଦ୍ରକୁ ଉପକରଣ ପହଞ୍ଚାଇବାରେ ସଫଳ ହୋଇଛି।

ନାସାର ଚନ୍ଦ୍ର ଗ‌ବେଷଣା ଲକ୍ଷ୍ୟ ପାଇଁ ଏହି ମିସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହାର ସଫଳ ଅବତରଣ ଉପରେ ପୂରା ବିଶ୍ବର ନଜର ରହିଥିଲା।  ବ୍ଲୁ ଘୋଷ୍ଟ୍‌ ମିସନ ଏପର୍ଯ୍ୟନ୍ତ ପ୍ରାୟତଃ ତ୍ରୁଟିହୀନ ରହିଥିବା ବେଳେ ଆଗକୁ ପେଲୋଡ୍‌ଗୁଡ଼ିକର କାର୍ଯ୍ୟକାରିତା ଉପରେ ଅନେକ କିଛି ନିର୍ଭର କରିବ। ଜାନୁଆରି ୧୫, ୨୦୨୫ରେ ଉତକ୍ଷେପଣ ହୋଇଛି ଏହି ମହାକାଶଯାନ ଚନ୍ଦ୍ରକୁ ଯାତ୍ରା କରିବା ପୂର୍ବରୁ ୨୫ ଦିନ ଧରି ପୃଥିବୀ ପରିକ୍ରମା କରି ଫେବ୍ରୁଆରି ୧୩ରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଥିଲା।