ମଙ୍ଗଳଗ୍ରହରେ ପ୍ରଥମ କରି ଅମ୍ଳଜାନ ଉତ୍ପାଦନ କଲା ‘ନାସା’ର ରୋଭର୍‌ ‘ପର୍ସୁଭିୟରନ୍‌ସ୍‌’

ଓ୍ଵାସିଂନଟନ୍‌: ‘ନାସା’ର ୬ଚକିଆ ରୋବର୍ଟ ‘ପର୍ସୁଭିୟରନ୍‌ସ୍‌’ ପ୍ରଥମ କରି ମଙ୍ଗଳ ଗ୍ରହ ବାୟୁମଣ୍ଡଳର କିଛି ‘କାର୍ବନ୍‌ ଡାଇଅକ୍ସାଇଡ୍‌’କୁ ଅମ୍ଳଜାନରେ ପରିଣତ କରିଛି।

ବୁଧବାର ଦିନ ‘ନାସା’ର ‘ସ୍ପେସ୍‌ ଟେକ୍ନୋଲୋଜି ମିସନ୍‌ ଡାଇରେକ୍ଟୋରେଟ୍‌’ର ସହକାରୀ ପ୍ରଶାସକ ଜିମ୍‌ ରଏଟର୍ସ କହିଛନ୍ତି, ମଙ୍ଗଳପୃଷ୍ଠରେ ‘କାର୍ବନ୍‌ ଡାଇଅକ୍ସାଇଡ୍‌’କୁ ଅମ୍ଳଜାନରେ ପରିଣତ କରିବା ହେଉଛି ପ୍ରଥମ ଜଟିଳ ପଦକ୍ଷେପ।

ଏପ୍ରିଲ୍‌ ୨୦ ତାରିଖ ଦିନ ଏହି ‘ଟେକ୍ନୋଲୋଜି ଡେମୋନ୍‌ଷ୍ଟ୍ରେସନ୍‌’ କରାଯାଇଥିଲା। ଏଥିରେ ବ୍ୟବହାର କରାଯାଇଥିବା ପରୀକ୍ଷାମୂଳକ ଯନ୍ତ୍ରପାତି ଭବିଷ୍ୟତରେ ମଙ୍ଗଳପୃଷ୍ଠକୁ ମାନବ ଯାତ୍ରା ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି।

Image Courtesy of Jet Propulsion Laboratory

ଏହି ପ୍ରକ୍ରିୟାଦ୍ୱାରା କେବଳ ଭବିଷ୍ୟତର ମହାକାଶଚାରୀଙ୍କ ନିମନ୍ତେ ଅମ୍ଳଜାନ ଉତ୍ପାଦନ କରି ହେବ ତାହା ନୁହେଁ, ମଙ୍ଗଳ ଗ୍ରହରୁ ଫେରିବା ନିମନ୍ତେ ରକେଟ୍‌ ପାଇଁ ଆବଶ୍ୟକ ବିପୁଳ ପରିମାଣର ଅମ୍ଳଜାନ ମଧ୍ୟ ପୃଥିବୀରୁ ବୋହି ନେବାକୁ ପଡ଼ିବ ନାହିଁ।

ମଙ୍ଗଳ ପୃଷ୍ଠରେ ‘କାର୍ବନ୍‌ ଡାଇଅକ୍ସାଇଡ୍‌’କୁ ଅମ୍ଳଜାନରେ ପରିଣତ କରିଥିବା ଏହି ଉପକରଣଟି ହେଉଛି ‘ମାର୍ସ ଅକ୍ସିଜେନ୍‌ ଇନ୍‌-ସିଟୁ ରିସୋର୍ସ ୟୁଟିଲାଇଜେସନ୍‌ ଏକ୍ସପେରିମେଣ୍ଟ୍‌’ ବା ‘ମୋକ୍ସି’। କାର୍‌ ବ୍ୟାଟେରି ଆକୃତିର ଏହି ସୁବର୍ଣ୍ଣ ରଙ୍ଗର ବାକ୍ସଟି ‘ରୋଭର୍‌’ର ସମ୍ମୁଖ ଭାଗର ଡାହାଣ ପାର୍ଶ୍ୱ ଭିତରେ ଅବସ୍ଥିତ। ପ୍ରଥମ କରି ‘ମୋକ୍ସି’ ୫ ଗ୍ରାମ୍‌ ଅମ୍ଳଜାନ ପ୍ରସ୍ତୁତ କରିଛି। ଜଣେ ମହାକାଶଚାରୀଙ୍କ ସ୍ୱାଭାବିକ କାର୍ଯ୍ୟକଳାପ ବେଳେ ଏହା ୧୦ ମିନିଟ୍‌ ପର୍ଯ୍ୟନ୍ତ ନିଃଶ୍ୱାସପ୍ରଶ୍ୱାସ ନେବାରେ ସହାୟକ ହେବ।

‘ମେକାନିକାଲ୍‌ ଟ୍ରି’ ବୋଲି କୁହାଯାଉଥିବା ଏହି ଯନ୍ତ୍ରଟି ‘କାର୍ବନ୍‌ ଡାଇଅକ୍ସାଇଡ୍‌’ ମଲିକ୍ୟୁଲ୍‌କୁ ଫଟାଇବା ନିମନ୍ତେ ବିଦ୍ୟୁତ୍‌ ଓ ରସାୟନ ବ୍ୟବହାର କରୁଛି। ‘କାର୍ବନ୍‌ ଡାଇଅକ୍ସାଇଡ୍‌’ରେ ଦୁଇଟି ‘କାର୍ବନ୍‌ ଆଟମ୍‌’ ଏବଂ ଦୁଇଟି ‘ଅକ୍ସିଜେନ୍‌ ଆଟମ୍‌’ ଥାଏ।

ଏହି ପଦ୍ଧତିରେ ‘କାର୍ବନ୍‌ ଡାଇଅକ୍ସାଇଡ୍‌’ ଅମ୍ଳଜାନରେ ପରିଣତ ହେବା ସହ କିଛି ‘କାର୍ବନ୍‌ ମନୋଅକ୍ସାଇଡ୍‌’ ମଧ୍ୟ ଉତ୍ପାଦିତ ହେଉଛି।

ସମ୍ବନ୍ଧିତ ଖବର