ନୂଆଦିଲ୍ଲୀ: ଭାରତୀୟ ଅଲ୍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ସର୍ବିୟା ନର୍ତ୍ତକୀ ନତାଶା ଷ୍ଟାଙ୍କୋଭିକ୍ଙ୍କ ଆନୁଷ୍ଠାନିକ ବିବାହ ବିଚ୍ଛେଦ ଘଟିଛି। ଏହି ଖବରକୁ ଗୁରୁବାର ହାର୍ଦିକ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ସ୍ପଷ୍ଟ କରିଛନ୍ତି। ଆପୋସ ବୁଝାମଣା ମଧ୍ୟରେ ଆମେ ପରସ୍ପରଠାରୁ ଅଲଗା ହେଉଛୁ କିନ୍ତୁ ପୁତ୍ର ଅଗସ୍ତ୍ୟର ଯୁଗ୍ମଅଭିଭାବକ ରହିବୁ ବୋଲି ହାର୍ଦିକ ଦର୍ଶାଇଛନ୍ତି। ଅଗସ୍ତ୍ୟର ଖୁସି ଓ ଭବିଷ୍ୟତ ପାଇଁ ସବୁକିଛି କରିବୁ। ୪ ବର୍ଷର ସମ୍ପର୍କ ପରେ ଆମେ ଏବେ ପରସ୍ପରର ସ୍ବାର୍ଥ ପାଇଁ ଅଲଗା ହେଉଛୁ। ଶ୍ରେଷ୍ଠ ପ୍ରୟାସ ସତ୍ତ୍ବେ ବିବାହକୁ ବଞ୍ଚାଇ ପାରିଲୁ ନାହିଁ। କିନ୍ତୁ ପରସ୍ପରକୁ ସମ୍ମାନ ଦେଉଛୁ ବୋଲି ହାର୍ଦିକ ଉଲ୍ଲେଖ କରିଛନ୍ତି। ଏଥି ସହିତ ଦୀର୍ଘ ଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି।
ହାର୍ଦିକଙ୍କ ଘୋଷଣା ପୂର୍ବରୁ ନତାଶା ପୁଅ ଅଗସ୍ତ୍ୟଙ୍କୁ ନେଇ ସର୍ବିୟା ଚାଲିଯାଇଛନ୍ତି। ବୁଧବାର ସକାଳେ ଏହି ମା’ ପୁଅ ମୁମ୍ବାଇ ବିମାନବନ୍ଦରରେ ଥିବା ବେଳର ଭିଡିଓ ଓ ଏକାଧିକ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେବା ପରେ କେଉଁଆଡ଼େ ଯାଉଛନ୍ତି ପ୍ରଶଂସକଙ୍କ ମନରେ ସନ୍ଦେହ ଉପୁଜିଥିଲା। ସର୍ବିୟାରେ ପହଞ୍ଚିବା ପରେ ନତାଶା ନିଜ ଘରର ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏହାର ଶିରୋନାମ ରଖିଥିଲେ ‘ହୋମ୍ ସ୍ବିଟ୍ ହୋମ୍’। ହାର୍ଦିକ ଓ ନତାଶାଙ୍କ ସମ୍ପର୍କ କୋଭିଡ୍-୧୯ ଲକ୍ଡାଉନ୍ ସମୟରେ ଆରମ୍ଭ ହୋଇଥିଲା। ଉଭୟ ୨୦୨୦ରେ ବିବାହ କରିଥିଲେ। ସେହିବର୍ଷ ସେମାନଙ୍କ ପୁତ୍ର ସନ୍ତାନ ଅଗସ୍ତ୍ୟ ଜନ୍ମଗ୍ରହଣ କରିଥିଲା। ୨୦୨୩ରେ ଉଦୟପୁରରେ ଉଭୟ ପୁଣି ଥରେ ଖ୍ରୀଷ୍ଟିଆନ୍ ଓ ହିନ୍ଦୁ ପରମ୍ପରାରେ ବିବାହ କରିଥିଲେ। କିଛି ଦିନ ତଳେ ନତାଶା ତାଙ୍କ ଇନ୍ଷ୍ଟାଗ୍ରାମ ପୃଷ୍ଠାରୁ ହାର୍ଦିକଙ୍କୁ ହଟାଇ ଦେଇଥିଲେ। ଫଳରେ ସେମାନଙ୍କ ପ୍ରଶଂସକଙ୍କ ମନରେ ଛାଡ଼ପତ୍ର ନେଇ ଚର୍ଚ୍ଚା ହୋଇଥିଲା। ନିକଟରେ ଅନନ୍ତ ଅମ୍ବାନିଙ୍କ ବିବାହ ଉତ୍ସବରେ ନତାଶାଙ୍କ ବିନା ହାର୍ଦିକ ଯୋଗ ଦେଇଥିଲେ।