ସିକ୍କିମ : ନାଥୁ-ଲା ପାସ୍‌ ନିକଟରେ ଫସିରହିଥିବା ୧୫୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା

ଗାଙ୍ଗଟକ : ଦେଶରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି । ବିଶେଷକରି ଉତ୍ତର ଓ ଉତ୍ତର-ପୂର୍ବାଞ୍ଚଳରେ ସ୍ଥିତି ଚିନ୍ତାଜନକ ରହିଛି । ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସିକ୍କିମରେ ଏବେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିଯାଇଛି । ସିକ୍କିମରେ ଥିବା ନାଥୁ-ଲା ପାସ୍‌ ନିକଟରେ ସ୍ଥିତି ଆହୁରି ଚିନ୍ତାଜନକ ରହିଛି । ନା-ଥୁଲାରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଚାଲିଯିବା ପରେ ରାସ୍ତାଘାଟ ବରଫରେ ବୁଡ଼ିଯାଇଛି ।

Image Credit : ANI

ଶୁକ୍ରବାରଦିନ ନାଥୁ-ଲା ପାସ ଦେଖିବାକୁ ଯାଇଥିବା ପ୍ରାୟ ୧୫୦୦ ରୁ ୧୭୦୦ ଜଣ ପର୍ଯ୍ୟଟକ ସେଠାରେ ଫସିରହିଥିଲେ । ଖବର ପାଇ ସେନା ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ଏହି ପର୍ଯ୍ୟଟକଙ୍କ ମଧ୍ୟରେ ମହିଳା, ଶିଶୁ ଓ ବୟସ୍କ ନାଗରିକ ମଧ୍ୟ ରହିଛନ୍ତି । ପ୍ରବଳ ବରଫପାତ ଓ ଅମ୍ଳଜାନ ଅଭାବ ଯୋଗୁଁ କେତେକ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ପ୍ରାୟ ୫୭୦ ଜଣ ପର୍ଯ୍ୟଟକଙ୍କୁ ସେନା କ୍ୟାମ୍ପରେ ରଖି ଚିକିତ୍ସା କରାଯାଇଥିଲା । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଲୋକମାନଙ୍କୁ ସେନା ପକ୍ଷରୁ ଅମ୍ଳଜାନ ପ୍ରଦାନ କରାଯାଇଥିଲା । ସମସ୍ତ ପର୍ଯ୍ୟଟକଙ୍କୁ ସେନା ପକ୍ଷରୁ ଗରମ ପୋଷାକ, ଖାଦ୍ୟ ପ୍ରଦାନ କରାଯାଇଥିଲା ।

ଅନ୍ୟପକ୍ଷରେ ଘାଟି ରାସ୍ତାଗୁଡ଼ିକ ବରଫରେ ପୋତି ହୋଇଯାଇଥିବାରୁ ସେନା ପକ୍ଷରୁ ରାସ୍ତା ସଫା କରାଯାଉଛି । ଖୁବଶୀଘ୍ର ରାସ୍ତାଗୁଡ଼ିକୁ ଖୋଲିଦିଆଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର