ଦେଶବାସୀ ଆପଣଙ୍କ କଥା ଓ କାମରେ ଥିବା ପାର୍ଥକ୍ୟ ଦେଖୁଛନ୍ତି: ବିଲ୍‌କିସ୍‌ ବାନୋଙ୍କ ଦୁଷ୍କର୍ମକାରୀଙ୍କ ମୁକ୍ତି ବିଷୟରେ କହିଲେ ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ଗୁଜରାଟ ସରକାରଙ୍କ ଜେଲ୍‌ରୁ ମୁକ୍ତ କରାଯିବା ନୀତି ଅନୁଯାୟୀ ବିଲ୍‌କିସ୍‌ ବାନୋଙ୍କ ଦୁଷ୍କର୍ମକାରୀମାନେ ଗୋଧ୍ରା ଉପକାରାଗାରରୁ ମୁକ୍ତି ପାଇବା କିଛି ସମୟ ପରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ତାଙ୍କ କଥା ଓ କାର୍ଯ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ଦେଖୁଛନ୍ତି।

ଟୁଇଟ୍‌ କରି ସେ ଲେଖିଛନ୍ତି, ଯେଉଁମାନେ ୫ ମାସର ଅନ୍ତଃସତ୍ତ୍ବା ମହିଳାଙ୍କ ସହିତ ଦୁଷ୍କର୍ମ କରି ତାଙ୍କର ୩ ବର୍ଷୀୟ ଝିଅକୁ ହତ୍ୟା କଲେ, ସେମାନଙ୍କୁ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ବେଳେ ମୁକ୍ତ କରାଗଲା। ନାରୀ ଶକ୍ତି ବିଷୟରେ ମିଥ୍ୟା କଥା କହୁଥିବା ଲୋକେ ଏମିତି କରି ଦେଶର ନାରୀମାନଙ୍କୁ କି କଥା କହୁଛନ୍ତି? ପ୍ରଧାନମନ୍ତ୍ରୀ, ଆପଣଙ୍କ କଥା ଓ କାମ ଭିତରେ ଥିବା ପାର୍ଥକ୍ୟକୁ ସମଗ୍ର ଦେଶବାସୀ ଦେଖୁଛନ୍ତି।

Image Courtesy of NDTV

ସୂଚନାଯୋଗ୍ୟ, ୨୦୦୨ ଗୋଧ୍ରା ପର ବିଲ୍‌କିସ୍‌ ବାନୋ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରାଯିବା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ଜଣଙ୍କୁ ଗୁଜରାଟ ସରକାରଙ୍କ ‘ରେମିସନ୍‌ ପଲିସି’ ଅନୁଯାୟୀ ସୋମବାର ଦିନ ଗୋଧ୍ରା ଉପକାରାଗାରରୁ ମୁକ୍ତ କରାଯାଇଛି।

୭୬ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଲାଲ୍‌ କିଲା ପ୍ରାଚୀର ଉପରୁ ଦେଶବାସୀଙ୍କୁ ଦେଇଥିବା ଉଦ୍‌ବୋଧନରେ କହିଥିଲେ କି, ନାରୀମାନଙ୍କ ପ୍ରତି ଥିବା ମନୋଭାବ ପରିବର୍ତ୍ତନ କର ଏବଂ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କର। କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଉପରୋକ୍ତ କଥାକୁ ସମାଲୋଚନା କରି ଏହି ଟୁଇଟ୍‌ କରିଛନ୍ତି।

ସେହି ମର୍ମରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର