ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ସାତଦିନିଆ ରାଷ୍ଟ୍ରୀୟ ଶୋକ; ଟୁଇଟ୍‌ କରି ଶୋକ ପ୍ରକାଶ କଲେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ: ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଭାରତ ସରକାର ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଦିବଂଗତ ମୁଖାର୍ଜୀଙ୍କ ସମ୍ମାନାର୍ଥେ ୭ ଦିନିଆ ‌(୩୧. ୮. ୨୦୨୦ରୁ ୦୬. ୦୯. ୨୦୨୦ ) ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ରାଷ୍ଟ୍ରୀୟ ଶୋକ ସମୟରେ ନିୟମିତ ଜାତୀୟ ପତାକା ଉଡୁଥିବା ସମଗ୍ର ଭାରତର ଅଟ୍ଟାଳିକାମାନଙ୍କ ଉପରେ ତାହା ଅର୍ଦ୍ଧନମିତ ହୋଇରହିବ। କୌଣସି ପ୍ରକାର ରାଷ୍ଟ୍ରୀୟ ମନୋରଞ୍ଜନ ଆୟୋଜନ ହୋଇପାରିବ ନାହିଁ। ରାଜ୍ୟ ସରକାର ମଧ୍ୟ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ୭ ଦିନିଆ ରାଜ୍ୟସ୍ତରୀୟ ଶୋକ ପାଳନ ଲାଗି ଘୋଷଣା କରିଛନ୍ତି।

ଆଜି ଏହି ଦୁଃଖଦ ସମାଚାର ଶୁଣିବା ପରେ ଦେଶର ବହୁ ପ୍ରମୁଖ ବ୍ୟକ୍ତି ଟୁଇଟ୍ କରି ସେମାନଙ୍କର ଶୋକବାର୍ତ୍ତା ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି ଶୁଣି ଦୁଃଖିତ। ତାଙ୍କ ମୃତ୍ୟୁରେ ଗୋଟିଏ ଯୁଗର ଅବସାନ ଘଟିଲା। ଅନ୍ୟତମ ଗୁଣବାନ୍‌ ପୁତ୍ରକୁ ହରାଇ ଜାତି ଶୋକାତୁର ହୋଇପଡ଼ିଛି। ସର୍ବସାଧାରଣଙ୍କ ଜୀବନର ଏହି ମହାନାୟକ ଋଷିପ୍ରତିମ ଉଦ୍ଦୀପନାରେ ଭାରତ ମାତୃକାର ସେବା କରିଥିଲେ। ତାଙ୍କ ପରିବାର, ବନ୍ଧୁ ଓ ସମସ୍ତ ନାଗରିକଙ୍କୁ ମୋର ସମବେଦନା।

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ସେ (ମୁଖାର୍ଜୀ) ସାଧାରଣ ପଦବୀରୁ ଜୀବନ ଆରମ୍ଭ କରି କଠିନ ଶ୍ରମ, ଶୃଙ୍ଖଳା ଏବଂ ଉତ୍ସର୍ଗ ବଳରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଲେଖିଛନ୍ତି, ଭାରତରତ୍ନ ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଭାରତ ଶୋକାତୁର ହୋଇପଡ଼ିଛି। ଆମ ଜାତିର ବିକାଶ ମାର୍ଗରେ ସେ ଅଲିଭା ଚିହ୍ନ ରଖିଯାଇଛନ୍ତି। ଜଣେ ଅନନ୍ୟ  ପଣ୍ଡିତ, ଦକ୍ଷ ରାଜନୀତିଜ୍ଞ ଭାବେ ସେ ରାଜନୈତିକ ମତବାଦ ନିର୍ବିଶେଷରେ ଏବଂ ସମାଜର ସବୁ ବର୍ଗଙ୍କ ଦ୍ବାରା ପ୍ରଶଂସିତ ହେଉଥିଲେ।

କେତେ ଦଶନ୍ଧି ବ୍ୟାପୀଥିବା ତାଙ୍କ ରାଜନୈତିକ ଜୀବନରେ ଶ୍ରୀ ପ୍ରଣବ ମୁଖାର୍ଜୀ ପ୍ରମୁଖ ଅର୍ଥନୈତିକ ଏବଂ ଯୋଜନା ମନ୍ତ୍ରାଳୟ ପ୍ରତି ତାଙ୍କର ଅବଦାନ ଦୀର୍ଘସ୍ଥାୟୀ। ସେ ଥିଲେ ଜଣେ ବିଚକ୍ଷଣ ସାଂସଦ, ସର୍ବଦା ସମର୍ଥ, ପ୍ରଖର ବାଗ୍ମୀ ଏବଂ ବୁଦ୍ଧିଦୀପ୍ତ ବ୍ୟକ୍ତତ୍ବ।

ଜଣେ ରାଷ୍ଟ୍ରପତି ଭାବେ ସେ ରାଷ୍ଟ୍ରପତି ଭବନକୁ ସାଧାରଣ ନାଗରିକମାନଙ୍କ ଲାଗି ଆହୁରି ଉନ୍ମୁକ୍ତ କରିଥିଲେ। ସେ ରାଷ୍ଟ୍ରପତି ଭବନକୁ ଏକ ଶିକ୍ଷା, ଉଦ୍ଭାବନ, ସଂସ୍କୃତି, ବିଜ୍ଞାନ ଓ ସାହିତ୍ୟ କେନ୍ଦ୍ର କରିଥିଲେ। ପ୍ରମୁଖ ନୀତି ନିର୍ଦ୍ଧାରଣରେ ତାଙ୍କର ବିଜ୍ଞ ପରାମର୍ଶ ମୁଁ କଦାପି ଭୁଲି ପାରିବି ନାହିଁ।

୨୦୧୪ରେ ମୁଁ ନୂଆଦିଲ୍ଲୀ ଯାଇଥିଲି। ପ୍ରଥମ ଦିନରୁ ମୁଁ ପ୍ରଣବ ମୁଖାର୍ଜୀଙ୍କର ମାର୍ଗଦର୍ଶନ, ସମର୍ଥନ ଓ ଆଶିଷ ପାଇବାର ସୌଭାଗ୍ୟ ଅର୍ଜନ କରିଥିଲି। ତାଙ୍କ ସହ କରିଥିବା ଭାବବିନିମୟକୁ ମୁଁ ସର୍ବଦା ଶ୍ରଦ୍ଧାର ସହ ସ୍ମରଣ ରଖିବି। ତାଙ୍କ ପରିବାର, ବନ୍ଧୁ, ପ୍ରଶଂସକ ଏବଂ ଭାରତବ୍ୟାପୀ ସମର୍ଥକଙ୍କ ପ୍ରତି ମୋର ସମବେଦନା। ଓଁ ଶାନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୋକବାର୍ତ୍ତାରେ ଟୁଇଟ୍ କରିଛନ୍ତି, ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଶ୍ରୀ ପ୍ରଣବ ମୁଖାର୍ଜୀ ଜୀଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ। ସେ ଥିଲେ ପରମ ନିଷ୍ଠା ସହକ‌ାରେ ଜାତିର ସେବା କରିଥିବା ଜଣେ ଅତି ଅଭିଜ୍ଞ ନେତା। ପ୍ରଣବ ଦା’ଙ୍କର ସୁବିଦିତ କର୍ମଧାରା ସମଗ୍ର ଦେଶ ଲାଗି ଗର୍ବର ବିଷୟ।

ଦ୍ବିତୀୟ ଟୁଇଟ୍‌ରେ ସେ ଲେଖିଛନ୍ତି, ଆମ ଦେଶମାତୃକା ଲାଗି ତ୍ରୁଟିରହିତ ସେବା ଅବିସ୍ମରଣୀୟ ଅବଦାନ ନିମନ୍ତେ ପ୍ରଣବ ଦା’ଙ୍କର ଜୀବନ ସର୍ବଦା ଶ୍ରଦ୍ଧାର ସହ ସ୍ମରଣ ରହିବ। ତାଙ୍କର ମୃତ୍ୟୁ ଭାରତୀୟ ରାଜନୀତିରେ ବିରାଟ ଶୂନ୍ୟତା ସୃଷ୍ଟି କଲା। ଏହି ଅପୂରଣୀୟ କ୍ଷତିରେ ତାଙ୍କ ପରିବାର ଏବଂ ଅନୁଗତମାନଙ୍କୁ ମୋର ଗଭୀର ସମବେଦନା। ଓଁ ଶାନ୍ତି ଶାନ୍ତି ଶାନ୍ତି।

ଶ୍ରୀ ମୁଖାର୍ଜୀଙ୍କ ବିୟୋଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୋକ ପ୍ରକାଶପୂର୍ବକ ଟୁଇଟ୍‌ କରିଛନ୍ତି, ତାଙ୍କ ବିୟୋଗରେ ମୋର ବ୍ୟକ୍ତିଗତ କ୍ଷତି ହେଲା। ଭାରତ ଇତିହାସ, କୂଟନୀତି, ସର୍ବସାଧାରଣ ନୀତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ବ୍ୟାପକ ଜ୍ଞାନ ଥିଲା।

ଲୋକସଭା ବାଚସ୍ପତି ଓମ୍ ବିର୍ଲା ଟୁଇଟ୍‌ କରି ଲେଖିଛନ୍ତି, ଆମର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି। ସେ ଥିଲେ ଜଣେ ତୀକ୍ଷ୍ମଧିଶକ୍ତିସମ୍ପନ୍ନ ରାଜନୀତିଜ୍ଞ ଏବଂ ଖୁବ୍ ବିଜ୍ଞ ବ୍ୟକ୍ତି। ସେ ସର୍ବଦା ନିଜର ବ୍ୟକ୍ତିଗତ ଜୀବନକୁ ପେସାଦାର ଜୀବନ ଠାରୁ ପୃଥକ୍ ରଖୁଥିଲେ। ସେ ଥିଲେ ଜଣେ ଅନୁଭବୀ ଶାସକ।

କଂଗ୍ରେସ ନେତା ରାହୁଳ ଗାନ୍ଧୀ ଟୁଇଟ୍ କରି ଲେଖିଛନ୍ତି, ଖୁବ୍‌ ଦୁଃଖର ସହ ଜାତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଦୁଃଖଦ ବିୟୋଗ ଖବର ପାଇଛି। ଦେଶବାସୀଙ୍କ ସହ ମିଶି ମୁଁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଶୋକାତୁର ପରିବାର ଓ ବନ୍ଧୁମାନଙ୍କ ପ୍ରତି ମୋର ଗଭୀର ସମବେଦନା।

 

ସମ୍ବନ୍ଧିତ ଖବର