ଜାତୀୟ ସଂଗୀତ ‘ଜନ ଗଣ ମନ…’ର ସଂଶୋଧନ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି ସୁବ୍ରମଣ୍ୟମ୍ ସ୍ୱାମୀ

ନୂଆଦିଲ୍ଲୀ: ଜାତୀୟ ସଂଗୀତ ‘ଜନ ଗଣ ମନ …. ’ରେ ଥିବା ପ୍ରଥମ ତିନିଟି ଶବ୍ଦ ( ଜନ-ଗଣ-ମନ)କୁ  ପରିବର୍ତ୍ତନ କରିବାକୁ ବିଜେପିର ବରିଷ୍ଠ ନେତା ତଥା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଏଥିସହ ସୁବ୍ରମଣ୍ୟମ୍ ସ୍ୱାମୀ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିର ଏକ ନକଲ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି ।

ଏହାକୁ ନେଇ ସେ ଲେଖିଛନ୍ତି,  ଅକ୍ଟୋବର ୨୧, ୧୯୪୩ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ବରେ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମି ମଣିପୁର ଦଖଲ କରିବା ପରେ ‘ଜନଗଣ ମନ..’କୁ  ରାଷ୍ଟ୍ରୀୟ ଗାନ/ଜାତୀୟ ସଂଗୀତ ମାନ୍ୟତା ଦେଇ ଗାନ କରିଥିଲା । ତେବେ ଏଥିଲାଗି ମୂଳ କବିତାରେ ନେତାଜୀ କିଛି ପରିବର୍ତ୍ତନ କରିଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ ନେତାଜୀ ଓ ଆଇଏନଏ ଦ୍ବାରା ଗାନ କରାଯାଇଥିବା ସଂଶୋଧିତ ଗୀତଟି ଅଧିକ ପ୍ରଯୁଜ୍ୟ ମନେହୁଏ। ତେଣୁ ‘ଜନ-ଗଣ-ମନ’ ମୂଳଗୀତରେ ଆବଶ୍ୟକ ସଂଶୋଧନ ଅଣାଯାଉ।

ସମ୍ବିଧାନ ସଭାରେ ଜନ-ଗଣ-ମନକୁ ଜାତୀୟ ସଂଗୀତର ସ୍ବୀକୃତି ପ୍ରଦାନ କରିବା ସମୟରେ କୁହାଯାଇଥିଲା କି ଆବଶ୍ୟକସ୍ଥଳେ ଏହି ଗୀତର ଶବ୍ଦକୁ ବଦଳାଯାଇପାରିବ । ଏହି ଜାତୀୟ ସଂଗୀତର ରଚୟିତା ଥିଲେ ବିଶ୍ବକବି ରବୀନ୍ଦ୍ରନାଥ୍ ଠାକୁର  । ସେ ଲେଖିଥିବା ଏହି କବିତାକୁ ୧୯୧୧ ମସିହା ଡିସେମ୍ବର ମାସ ୨୭ ତାରିଖରେ କଲିକତାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ପ୍ରଥମେ ଗାନ କରାଯାଇଥିଲା । ତେବେ ଏହି କବିତାରେ ଜନ-ଗଣ-ମନ ଅଧିନାୟକ କାହାକୁ ସମ୍ବୋଧିତ କରାଯାଇଛି ତାହା ସ୍ପଷ୍ଟ ହୋଇ ନ ଥିବାରୁ ନେତାଜୀ ସୁଭାଷଙ୍କ ଦ୍ବାରା ଗାନ କରାଯାଇଥିବା ଗୀତର ରୂପକୁ ଗ୍ରହଣ କରିବା ଲାଗି ଚିଠିରେ ପ୍ରସ୍ତାବ ଦେଇଛନ୍ତି ରାଜ୍ୟସଭା ସାଂସଦ ।

ଏହି ଗୀତଟି ରବୀନ୍ଦ୍ର ନାଥଙ୍କ ଦ୍ୱାରା ରଚିତ ‘ଭାରତ ଭାଗ୍ୟବିଧାତା’ କବିତାର ୧୩ଟି ଧାଡିରୁ ଉଦ୍ଧୃତ କରାଯାଇ ଏହାକୁ ରାଷ୍ଟ୍ରଗାନର ମାନ୍ୟତା ଦିଆଯାଇଥିଲା । ଏହି ଗୀତକୁ ଗାନ କରିବାକୁ ମୋଟ ୫୨ ସେକେଣ୍ଡ ସମୟ ଲାଗିଥାଏ ।  ସେପଟେ ଏହାକୁ ପରିବର୍ତ୍ତନ କରିବାକୁ ଚାହିଁଲେ ବିଜେପି ସୁବିଧାରେ ଲୋକସଭାରେ ଏହି ପ୍ରସ୍ତାବକୁ ପାରିତ କରିପାରିବ । ହେଲେ ରାଜ୍ୟସଭାରେ ଏହା ପାରିତ ହେବା କଷ୍ଟ ବୋଲି ସମ୍ବିଧାନ ବିଶାରଦ ମାନେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର