ପଶୁ ଓ ମନୁଷ୍ୟ ସଂଘର୍ଷ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଜାରି କଲେ ଏସ୍ଓପି, ରାଜ୍ୟମାନଙ୍କୁ ତିନି ମାସରେ ଗଠନ କରିବାକୁ ପଡ଼ିବ କମିଟି

ନୂଆଦିଲ୍ଲୀ: ଦେଶରେ ଲଗାତାର ବୃଦ୍ଧି ହେଉଥିବା ମନୁଷ୍ୟ ଓ ପଶୁ ସଂଘର୍ଷକୁ ହ୍ରାସ କରିବା ପାଇଁ ‘ନ୍ୟାସନାଲ ବୋର୍ଡ ଫର ୱାଇଲଡଲାଇଫ’  ଦ୍ବାରା ୧୪ଟି ଏସ୍ଓପି ଓଡ଼ିଶା ସମେତ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ବନ୍ୟପ୍ରାଣୀ ପ୍ରମୁଖମାନଙ୍କୁ ଜାରି କରାଯାଇଛି। ଏସ୍ଓପିରେ ରାଜ୍ୟମାନଙ୍କୁ ତିନିମାସ ଭିତରେ କମିଟି ଗଠନ କରିବା ତଥା ଏଭଳି ସ୍ଥାନଗୁଡିକୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି, ଯେଉଁଠାରେ ମାନବ ଓ ପଶୁ ସଂଘର୍ଷର ସମ୍ଭାବନା ଅଧିକ ରହିଛି।

ଏସଓପିରେ କୁହାଯାଇଛି, ଏସବୁ ସ୍ଥାନ ମାନଙ୍କରେ ଜୈବିକ ବାଧକ ଗୁଡିକୁ ବିକଶିତ କରିବା ପାଇଁ ଜୋର ଦିଆଯାଉ ତଥା ଜଙ୍ଗଲକୁ ଲାଗି ରହିଥିବା ଜମି ଯଦିବା ତାହା ଗ୍ରାମ ସମାଜରେ ଥାଏ, ସେଠାରେ ପଶୁମାନଙ୍କ ପାଇଁ ଜୀବ ରୋପଣ କରାଯାଉ। ‘ନ୍ୟାସନାଲ ବୋର୍ଡ ଫର ୱାଇଲଡଲାଇଫ’ର ସ୍ଥାୟୀ କମିଟି ନୀଳଗାଇ, ଜଙ୍ଗଲୀ ବାର୍ହା, ହାତୀ, ବାଘ, କଲରାପତରିଆ ବାଘ, ସିଂହ, ଭାଲୁ ଆଦିର ସଂଘର୍ଷର ମାମଲା ବୃଦ୍ଧି ପାଉଥିବା ଦୃଷ୍ଟିରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ଏସ୍ଓପି ଜାରି କରାଯାଇ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି।

ନ୍ୟାସନାଲ ବୋର୍ଡ ଫର ୱାଇଲଡଲାଇଫ କମିଟି ଦ୍ବାରା ସୁପାରିଶରେ କୁହାଯାଇଛି ଯେ, ବନ୍ୟଜନ୍ତୁଙ୍କୁ ବଣ ଭିତରେ ପର୍ଯ୍ୟାପ୍ତ ଭୋଜନ ଏବଂ ଜଳ ଉପଲବ୍ଧ କରାଯାଉ, ଯାହାଦ୍ବାରା ବନ୍ୟଜନ୍ତୁ ଜଙ୍ଗଲରୁ ବାହାରକୁ କମ୍ ସଂଖ୍ୟାରେ ବାହାରିବେ। ବୈଜ୍ଞାନିକ ପଦ୍ଧତିରେ ଚିହ୍ନଟ କରାଯାଇଥିବା ଜଙ୍ଗଲୀ ଜୀବଜନ୍ତୁଙ୍କ ମାର୍ଗରେ ସୁରକ୍ଷିତ ଗମନାଗମନ ସୁନିଶ୍ଚିତ କରାଯାଉ, ଯାହାଦ୍ବାରା ମାନବ ହସ୍ତକ୍ଷେପ କମ୍ ରହିବ ବୋଲି ସୁପାରିଶରେ କୁହାଯାଇଛି। ରାଜ୍ୟମାନଙ୍କ ଦ୍ବାରା ଗଠିତ କମିଟିକୁ ଅତି କମରେ ଛଅମାସରେ ଥରେ ବୈଠକ କରିବାକୁ ପଡ଼ିବ। କମିଟି ପଶୁ ଓ ମନୁଷ୍ୟ ସଂଘର୍ଷକୁ କମ୍ କରିବା ଉଦ୍ଦେଶ୍ୟରେ ବିଶେଷଜ୍ଞମାନଙ୍କର ପରାମର୍ଶ ମଧ୍ୟ ନେଇପାରିବେ।

ଆବଶ୍ୟକତା ଅନୁସାରେ ଜଙ୍ଗଲୀ ବନ୍ୟଜନ୍ତୁମାନଙ୍କୁ ମାରିବା, ସେମାନଙ୍କୁ ଡରାଇବା ପାଇଁ ବିସ୍ପୋଟକର ପ୍ରୟୋଗ, ବିଜୁଳି ତାର ବିଛାଇବା ଭଳି ବିଭିନ୍ନ ବିଭାଗ ସହିତ ମିଶି ପଦକ୍ଷେପ ସୁନିଶ୍ଚିତ କରିବା କମିଟି ମନୁଷ୍ୟ-ବନ୍ୟ ଜୀବ ସଂଘର୍ଷରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ କ୍ଷତିପୂରଣ ସମ୍ବନ୍ଧୀୟ ମାମଲାରେ ତୁରନ୍ତ ନିଷ୍ପତ୍ତି ନେବାରେ ସକ୍ଷମ ହେବ। ଏତଦ୍ ବ୍ୟତୀତ ଏସ୍ଓପିରେ ରାଜ୍ୟମାନଙ୍କୁ ରାପିଡ ରେସ୍ପନ୍ସ ଟିମ୍ ଗୁଡିକ ସ୍ଥାପନ କରିବା ପାଇଁ କୁହାଯାଇଛି। ଯାହା ଦ୍ବାରା ଅତି ଶୀଘ୍ର ପ୍ରଭାବିତ ସ୍ଥାନ ଏବଂ ମନୁଷ୍ୟ ଓ ପଶୁର ସହାୟତା କରାଯାଇପାରିବ। ସମ୍ବେଦନଶୀଳ ସ୍ଥାନଗୁଡିକର ମନିଟରିଂ ସହିତ ୨୪x୭ ସାର୍ବଜନିକ ହେଲପଲାଇନ ଟୋଲ୍ ଫ୍ରି ନମ୍ବର ସହିତ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିବା ପାଇଁ ଏସ୍ଓପିରେ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର