‘ମଦମୁକ୍ତ ଭାରତ’ ଦାବିରେ ଦିଲ୍ଲୀରେ ରାଷ୍ଟ୍ରୀୟ ସମ୍ମିଳନୀ, ଗଣଧାରଣା : ନୀତୀଶ କୁମାର ଓ ଯୋଗେନ୍ଦ୍ର ଯାଦବ ଯୋଗଦେଲେ

୧୧ ସୂତ୍ରୀ ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ : ସମଗ୍ର ଦେଶରୁ ମଦ ବନ୍ଦ ଦାବିରେ ନୂଆଦିଲ୍ଲୀଠ‌ାରେ ଗଣଧାରଣା ସହିତ ଏକ ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମଦ ବିରୋଧୀ ସଂଗଠନ ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)’ ସହ ବିଭିନ୍ନ ୨୨ଟି ରାଜ୍ୟର ମଦ ବିରୋଧୀ ସଂଗଠନ ଏଥିରେ ସାମିଲ୍‌ ହୋଇଥିଲେ। ୫୦୦ରୁ ଅଧିକ ସ୍ବେଚ୍ଛାସେବୀ, ସାମାଜିକ କର୍ମକର୍ତ୍ତା, ରାଜନେତା ଏକାଠି ହୋଇ ‘ମଦମୁକ୍ତ ଭାରତ’ ଗଠନ ନିମ‌ନ୍ତେ ନିଃସର୍ତ୍ତ ସମର୍ଥନ ପ୍ରଦାନ କରିଥିଲେ।

ଗତ ରବିବାର ଦିଲ୍ଲୀର ଇସ୍‌କନ୍‌ ଅଡିଟୋରିୟମ ଠାରେ ‘ମଦମୁକ୍ତ ଭାରତ’ ସଂଗଠନର ଆବାହକ ପଦ୍ମଚରଣ ନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି ରାଷ୍ଟ୍ରୀୟ ସମ୍ମିଳନୀ ତଥା ଆଲୋଚନା ସଭାରେ ବିହାରର ମୁଖ୍ୟମନ୍ତ୍ରୀ ତଥା ମଦ ବିରୋଧୀ ନେତା ନୀତୀଶ କୁମାର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ଏଥିରେ ସଭାପତିତ୍ବ କରିଥିଲେ। ପ୍ରଖ୍ୟାତ ଗାନ୍ଧୀବାଦୀ ସୁଶ୍ରୀ ରାଧାଭଟ୍ଟ, ସମାଜବାଦୀ ନାରୀନେତ୍ରୀ ବାଣୀ ଦାସ, ସୁପ୍ରିମକୋର୍ଟ ବାର୍‌ ଆସୋସିଏନ ସଭାପତି ଆଦିଶ ଅଗ୍ରୱାଲ, ରାଜସ୍ଥାନ ମଦ ବିରୋଧୀ ମହିଳା ସଂଗଠିକା ପୂଜା ଛାବ୍ରା ଏବଂ ପି.ବିଆଇ.ର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ସନ୍ତୋଷାନନ୍ଦଜୀ ପ୍ରମୁଖଙ୍କ ସମେତ ଅନେକ ଗାନ୍ଧୀବାଦୀ, ସାମାଜିକ ସଂଗଠକ, କର୍ମକର୍ତ୍ତା ଅଂଶଗ୍ରହଣ କରି ସମଗ୍ର ଦେଶରୁ ମଦମୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ।

ଦ୍ବିତୀୟ ଅଧିବେଶନରେ ସ୍ବରାଜ ଇଣ୍ଡିଆର ଆବାହକ ଯୋଗେନ୍ଦ୍ର ଯାଦବ ସଞ୍ଚାଳକ ସଭାପତି ଭାବେ ଯୋଗଦେଇ ‘ମଦମୁକ୍ତ ଭାରତ’ ନିମନ୍ତେ ନିଜର ନିଃସର୍ତ୍ତ ସମର୍ଥନ ଘୋଷଣା କରିବା ସହିତ ପୂର୍ଣ୍ଣ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଦିଲ୍ଲୀ ଘୋଷଣାପତ୍ର ଭାବେ ଏକ ୧୧ ସୂତ୍ରୀ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା।

ଦ୍ବିତୀୟ ଦିବସରେ ଦିଲ୍ଲୀର ଜନ୍ତରମନ୍ତରଠାରେ ଏକ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ରାଜ୍ୟରୁ ପ୍ରାୟ ୩୦୦ରୁ ଊର୍ଧ୍ବ ସ୍ବେଚ୍ଛାସେବୀ ଏହି ପଦଯାତ୍ରାରେ ଯୋଗ ଦେଇ ପାର୍ଲାମେଣ୍ଟ ନିକଟସ୍ଥ ରକାବଗଞ୍ଜ ଗୁରୁଦ୍ବାର ଠାରୁ ବାହାରି ଜନ୍ତରମନ୍ତର ଠାରେ ପହଞ୍ଚିଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ ଗଣଧାରଣାର ସାଧାରଣ ସଭାରେ ବିଭିନ୍ନ ରାଜ୍ୟସହ ଓଡ଼ିଶାରୁ ଆସିଥିବା ଯୁବ ଓ ମହିଳା ସାଥୀଙ୍କୁ ନେଇ ବିଭିନ୍ନ ପଥପ୍ରାନ୍ତ ନାଟକ, ସଂଗ୍ରାମୀ ସଂଗୀତ ଗାନ ହେବା ସହ ସମଗ୍ର ଦେଶକୁ ମଦମୁକ୍ତ କରିବାକୁ ଶପଥ ନେଇଥିଲେ। ଏଥିନିମନ୍ତେ ନିଜ ନିଜ ରାଜ୍ୟକୁ ଫେରିଯାଇ ପର୍ଯ୍ୟାୟକ୍ରମେ ତୃଣମୂଳସ୍ତରରୁ ସଂଗଠନକୁ ମଜଭୁତ କରିବାକୁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏଥିସହିତ, ଆସନ୍ତା ଅକ୍ଟୋବର ୨ ତାରିଖରେ ପୁଣିଥରେ ରାଜଧାନୀ ଦିଲ୍ଲୀଠାରେ ଏକ ବିଶାଳ ରାଲି ଏବଂ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର