ରାଷ୍ଟ୍ରୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀର ଜ୍ଞାନର ଦସ୍ତାବିଜ୍: ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଶିକ୍ଷା ନୀତି ହେଉଛି ଏକବିଂଶ ଶତାବ୍ଦୀର ଜ୍ଞାନର ଦସ୍ତାବିଜ୍। ଭାରତୀୟତା ଦର୍ଶନଶାସ୍ତ୍ରର ମୂଳ ପଥପ୍ରଦର୍ଶକ। ରାଷ୍ଟ୍ରୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ନେଇ ଆୟୋଜିତ ଗୋଲଟେବୁଲ କର୍ମଶାଳାରେ ଯୋଗଦେଇ ଏହା କହିଛନ୍ତି ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିମ‌୍‌ବାୟୋସିସ୍ ଇଣ୍ଟରନ୍ୟାସନାଲ୍‌ ଡିମଡ୍ ୟୁନିଭରର୍ସିଟି (ଏସ୍‌ଆଇୟୁ) ଦ୍ୱାରା ଆଜି ଏହି କର୍ମଶାଳା ଆୟୋଜିତ ହୋଇଥିଲା।

ଏହି ଅବସରରେ ଶ୍ରୀ ପ୍ରଧାନ କହିଲେ ଯେ ବ୍ୟକ୍ତିର ପୂର୍ଣ୍ଣାଙ୍ଗ ବିକାଶକୁ ପ୍ରୋତ୍ସାହନ ଦେବା ସହ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ଏହି ନୀତିର ଲକ୍ଷ୍ୟ । ଭାରତ ଜ୍ଞାନ ଆଧାରିତ ଅର୍ଥନୀତିର କେନ୍ଦ୍ର ବିନ୍ଦୁ ହୋଇଛି ଏବଂ ବିଶ୍ୱ ଅର୍ଥନୀତିରେ ଆମର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷାକୁ ସର୍ବବ୍ୟାପୀ ଓ ଦକ୍ଷତା ବିକାଶ କରିବା, ଶିକ୍ଷା ଆହରଣର ଫଳାଫଳକୁ ସାଧନ କରିବା, ବିଦ୍ୟାର୍ଥୀଙ୍କ କ୍ଷମତା ବୃଦ୍ଧି, ଭାରତକୁ ବିଶ୍ୱଗୁରୁ କରିବା ଏବଂ ଆମ ସଭ୍ୟତାର ତ୍ରୁଟିକୁ ସୁଧାରିବା ପାଇଁ ସମାଧାନର ବାଟ ବାହାର କରିବା ଆମର ଉଦ୍ଦେଶ୍ୟ । ଗୁରୁ ଶିକ୍ଷା ପରମ୍ପରା ଆମର ଶିକ୍ଷା ବ୍ୟବସ୍ଥାର ଅବିଚ୍ଛେଦ୍ୟ ଅଙ୍ଗ । ନିଜ ସଭ୍ୟତାର ପୁନରୁଦ୍ଧାର କରିବା, ଚରକ, ସୁଶ୍ରୁତ, ଆର୍ଯ୍ୟଭଟ୍ଟ, ଭାସ୍କରାଚାର୍ଯ୍ୟ, ପାଣିନୀ, ବରାହମିହିର, ମୈତ୍ରୀ, ଗାର୍ଗୀ ଏବଂ ତିରୁବଲ୍ଲବର ଭଳି ଗୁରୁଙ୍କ ସମୃଦ୍ଧ ଉତ୍ତରାଧିକାରୀକୁ ଆଗକୁ ନେବା ହିଁ ରାଷ୍ଟ୍ରୀୟ ଶିକ୍ଷା ନୀତିର ପ୍ରୟାସ।

ଗୁରୁ କେବଳ ଏକ ବ୍ୟକ୍ତି ନୁହେଁ ବରଂ ଅନ୍ଧକାର ଏବଂ ଅଜ୍ଞତାକୁ ଦୂର କରିବାର ଏକ ଶ୍ରେଷ୍ଠ ମାଧ୍ୟମ । ଆମ ଶିକ୍ଷକ ତଥା ଗୁରୁ ହେଉଛନ୍ତି ରାଷ୍ଟ୍ରୀୟ ଶିକ୍ଷା ନୀତିର କାର୍ଯ୍ୟକାରିତାରେ ମୂଳ ଅଂଶୀଦାର ଓ ଶିକ୍ଷା ନୀତିର ସଫଳତାର ଆବାହକ। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ସମୟରେ ପୁନେରେ ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରିବା ଖୁସିର ବିଷୟ । ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ ଅର୍ଥନୀତି ଆଜି ବିଶ୍ୱକୁ ଏକ ଛୋଟ ଦୁନିଆରେ ପରିଣତ କରିଛି। ଆଜି ଆମେ ବୈଶ୍ୱିକ ଦୃଶ୍ୟପଟ୍ଟରେ ଦୋ ଛକିରେ ଠିଆହୋଇଛୁ । ଅଟୋମେସନ ଏବଂ ଉଭା ହେଉଥିବା ପ୍ରଯୁକ୍ତିବିଦ୍ୟା ଆଗାମୀ ଦିନରେ ନୂତନ କାର୍ଯ୍ୟଶୈଳିର ମାଧ୍ୟମ ହେବ ଏବଂ ନୂଆ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବ । ଆମ ସମସ୍ତେ ବିଶେଷ ଭାବରେ ଆମର ଶିକ୍ଷା ସମାଜ ପାଇଁ ଅପାର ସୁଯୋଗ ରହିଛି । ଭାରତ ଆଜି ଶିକ୍ଷା ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ହୋଇଛି । ବିଶ୍ୱରେ ଭାରତକୁ ସଠିକ୍ ସ୍ଥାନରେ ସ୍ଥାନିତ କରିବା ଦିଗରେ ଶିକ୍ଷାବିତଙ୍କ ସହ ଆମ ସମସ୍ତଙ୍କର ବଡ଼ ଭୂମିକା ରହିଛି ଏବଂ ଏ ଦିଗରେ ରାଷ୍ଟ୍ରୀୟ ଶିକ୍ଷା ନୀତି ପଥ ପ୍ରଦର୍ଶକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କର୍ମଶାଳାରେ ସିମ୍‌ବାୟୋସିସ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ଓ ଫାଉଣ୍ଡର ପ୍ରଫେସର ଏସ୍‌ବି ମଜୁମଦାର ଏବଂ ମହାରାଷ୍ଟ୍ରର ବିଭିନ୍ନ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଶିକ୍ଷାବିତ, ଶିଳ୍ପ ସଂସ୍ଥାର ପ୍ରମୁଖ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର