ଜାତୀୟ ଶିକ୍ଷା ନୀତି ବିବେକାନନ୍ଦଙ୍କ ଦର୍ଶନରେ ଅନୁପ୍ରାଣିତ: ଧର୍ମେନ୍ଦ୍ର

ରାମକୃଷ୍ଣ ମିସନର ‘ଜାଗ୍ରତ ନାଗରିକ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ବର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ରାମକୃଷ୍ଣ ମିସନର ‘ଜାଗ୍ରତ ନାଗରିକ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ବାଲବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲଗୁଡ଼ିକରେ ମୂଲ୍ୟବୋଧ ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଏକ ପରାମର୍ଶ ରୂପରେଖ ପ୍ରସ୍ତୁତ କରିବାକୁ ସିବିଏସଇକୁ ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା ଜାତୀୟ ପ୍ରଗତି ଏବଂ ବିଶ୍ୱ କଲ୍ୟାଣ ପାଇଁ ପ୍ରତିବଦ୍ଧ ପ୍ରତିଭାବାନ ଯୁବବର୍ଗ ତିଆରି ହୋଇପାରିବେ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଲେ, ଜାତୀୟ ଶିକ୍ଷା ନୀତି ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନରେ ଗଭୀର ଭାବରେ ଅନୁପ୍ରାଣିତ । ସ୍ୱାମୀ ବିବେକାନନ୍ଦଙ୍କ ଠାରୁ ଶ୍ରୀ ଅରବିନ୍ଦ ଏବଂ ମହାତ୍ମା ଗାନ୍ଧୀଙ୍କ ପରି ଆମର ଅନେକ ମହାପୁରୁଷ ଏକ ସୁଦୃଢ଼ ଶିକ୍ଷା ବ୍ୟବସ୍ଥାର କଳ୍ପନା କରିଥିଲେ । ଏପରି ଏକ ଶିକ୍ଷା ଯାହା ପ୍ରଗତିଶୀଳ ହେବା ସହ ଆମ ସଭ୍ୟତାର ମୂଲ୍ୟବୋଧର ଆଧାରଶୀଳା ହୋଇ ଦେଶକୁ ଆଗକୁ ନେବ । ସାମାଜିକ ପରିବର୍ତ୍ତନ ହେଉଛି ଶିକ୍ଷାର ମୂଳ ଉଦ୍ଦେଶ୍ୟ । ଭୌତିକ ସମ୍ପଦ ଠାରୁ ଜ୍ଞାନ ଅଧିକ ମୂଲ୍ୟବାନ । ଭବିଷ୍ୟତ ପ୍ରସ୍ତୁତ ତଥା ସାମାଜିକ ସଚେତନ ପିଢ଼ି ତିଆରି କରିବା ପାଇଁ ମୂଲ୍ୟଭିତ୍ତିକ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ବ୍ୟାବହାରିକ ଶିକ୍ଷା ପ୍ରଦାନ କରିବାରେ ରାମକୃଷ୍ଣ ମିସନର ଗୌରବମୟ ଇତିହାସ ରହିଛି । ଯେତେବେଳେ ଆମେ ନୂଆ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ କରୁଛେ, ସେହି ସମୟରେ ରାମକୃଷ୍ଣ ମିସନକୁ ନବମ ରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ମୂଲ୍ୟ ଆଧାରିତ ଶିକ୍ଷା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ସହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅତିରିକ୍ତ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ହେବ । ଜାତୀୟ ଶିକ୍ଷା ନୀତି ବିଚାରରେ ମୂଲ୍ୟବୋଧ ଆଧାରିତ ଶିକ୍ଷା ଶିଶୁର ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ। ଆମ ଶିକ୍ଷା ବ୍ୟବସ୍ଥା ଜାତୀୟ ପ୍ରାଥମିକତା ସହିତ ସମାନ ହେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଥିଲେ । ସେ କହିଲେ, ଆମକୁ ଏକବିଂଶ ଶତାବ୍ଦୀରେ ସେହିଭଳି ନାଗରିକ ତିଆରି କରିବାକୁ ହେବ, ଯେଉଁମାନେ ବୈଶ୍ୱିକ ଦାୟିତ୍ୱ ନେବା ପାଇଁ ସକ୍ଷମ ହେବେ । ଜାତୀୟ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ନେତୃତ୍ୱାଧୀନ ସାମଗ୍ରିକ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର