ଜାତୀୟ ଶିକ୍ଷା ନୀତି ଦାସତ୍ୱ ମାନସିକତାରୁ ମୁକ୍ତି ଦେବ: ଧର୍ମେନ୍ଦ୍ର

ଭୁବନେଶ୍ବର : ଆମ ଦେଶର ଐତିହ୍ୟକୁ ନେଇ ଗର୍ବିତ ହେବା ଏବଂ ଦାସତ୍ୱ ମାନସିକତାରୁ ମୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟତା ସହ ଯୋଡ଼ି ହୋଇଥିବା ରାଷ୍ଟ୍ରୀୟ ଶିକ୍ଷା ନୀତି ଦେଶରେ ପ୍ରଣୟନ କରାଯାଇଛି। ଶନିବାର ଗୁଜରାଟର ବଡ଼ନଗରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ବହମୁଖୀ ସଭାଗୃହର ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନମନ୍ତ୍ରୀଙ୍କ ବାପାଙ୍କ ଚା’ ଦୋକାନ ଥିବା ସ୍ଥାନ ଦେଖିଲେ
ବଡ଼ନଗରଠାରେ ପ୍ରେରଣା ସ୍କୁଲ ପ୍ରକଳ୍ପ ସମୀକ୍ଷା କରିବା ସହ ପରିଦର୍ଶନ କଲେ

ଏହି ଅବସରରେ ଶ୍ରୀ ପ୍ରଧାନ କହିଲେ, ୨ ହଜାର ୫୦୦ ବର୍ଷ ପୁରୁଣା ବଡ଼ନଗର ସମୃଦ୍ଧ ଇତିହାସ, ଧାର୍ମିକ ସ୍ୱତନ୍ତ୍ରତା ଏବଂ ସହିଷ୍ଣୁତାର ମୁକସାକ୍ଷୀ । ବଡ଼ନଗର ଭଳି ଆମ ଦେଶର ସମୃଦ୍ଧ ଐତିହ୍ୟକୁ ଆହୁରି ଆଗକୁ କିଭଳି ନିଆଯାଇପାରିବ, ଏ ଦିଗରେ ନୂଆପିଢିକୁ ଚିନ୍ତା କରିବାର ଆବଶ୍ୟକତା ରହିଛି । ବିକଶିତ ଭାରତର କଳ୍ପନାକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ବହୁତ ବଡ଼ ସଂକଳ୍ପ ନେବାର ଆବଶ୍ୟକତା ରହିଛି । ନୂଆ ଜାତୀୟ ଶିକ୍ଷା ନୀତିରେ ନୂଆପିଢିଙ୍କୁ ବୈଶ୍ୱିକ ନାଗରିକ ଭାବେ ପରିଣତ କରିବାର ସାମର୍ଥ୍ୟ ରହିଛି। ଜ୍ଞାନ, ଆଧ୍ୟାତ୍ମିକ, ବୈଭବ, ସଭ୍ୟତା ଏବଂ ସଂସ୍କୃତିର ଏକ ଜୀବନ୍ତ କେନ୍ଦ୍ର ହେଉଛି ବଡନଗର । ଏକବିଂଶ ଶତାବ୍ଦୀର ନେତୃତ୍ୱ ପ୍ରଦାନ କରିବାକୁ ଥିବା ବିଦ୍ୟାର୍ଥୀଙ୍କ ପାଇଁ ଆଜି ବହୁମୁଖୀ ସଭାଗୃହ ଭଳି ସୁବିଧାର ଲୋକାର୍ପଣ କରାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯଦି ଇଚ୍ଛାଶକ୍ତି ଅଛି ତେବେ ବ୍ୟବସ୍ଥା ମାଧ୍ୟମରେ ବଡ଼ ପରିଣାମ ଆସିପାରିବ। ବଡ଼ନଗରର ଏହି ନବୋଦୟ ବିଦ୍ୟାଳୟ ଏହାର ଜ୍ୱଳନ୍ତ ଉଦାହରଣ । ଏଠାକୁ ସାଧାରଣ ପୃଷ୍ଠଭୂମିରୁ ଆସୁଥିବା ପିଲାମାନେ ପାଠପଢ଼ି ଭଲ ମଣିଷ ହୁଅନ୍ତି । ବଡନଗରରେ ଏହି ସଂସ୍କାର ଅଛି ଯେ, ସାଧାରଣ ଘରର ଲୋକ ଆଜି ଦେଶର ପ୍ରଧାନମନ୍ତ୍ରୀ ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଆଜି ମୋଦୀ ଭାରତର ନୁହଁ ବରଂ ବିଶ୍ୱ ନେତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେହିପରି ବଡନଗର ଷ୍ଟେସନ ପରିସରରେ ପ୍ରଧାନମନ୍ତ୍ରୀଙ୍କ ବାପାଙ୍କ ଚା’ ଦୋକାନ ଥିବା ସ୍ଥାନ କେନ୍ଦ୍ରମନ୍ତ୍ରୀ ବୁଲିଛନ୍ତି । ଏ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଯେଉଁଠାରୁ ପ୍ରେରଣାଦାୟୀ ଜୀବନ ଯାତ୍ରା ଆରମ୍ଭ କରିଥିଲେ, ସେ ସ୍ଥାନ ଦେଖିବା ମୋ ପାଇଁ ଗର୍ବର କଥା । ବଡନଗର ରେଳ ଷ୍ଟେସନ ନିକଟସ୍ଥ ଚା’ ଦୋକାନ ଯେଉଁଠାରେ ଛୋଟବେଳେ ପ୍ରଧାନମନ୍ତ୍ରୀ ତାଙ୍କ ବାପାଙ୍କୁ ଚା’ ବିକ୍ରିରେ ସହଯୋଗ କରୁଥିଲେ । ଏହା ହେଉଛି ନିଷ୍ଠା, ସାହସ ଏବଂ ପରିଶ୍ରମର ଏକ ପ୍ରମାଣ। ତତ୍‌ସହ ଏହା ପ୍ରମାଣ ହେଉଛି, ଯେକୌଣସି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଜଣେ ସଫଳ ହୋଇପାରିବ ଏବଂ ଲକ୍ଷାଧିକ ଲୋକଙ୍କ ଆଶାର କିରଣ ହୋଇପାରିବ। ଏହି ଗୁଜରାଟ ଗସ୍ତ କାଳରେ ଶ୍ରୀ ପ୍ରଧାନ ଶିକ୍ଷା କ୍ଷେତ୍ର ସହ ସମ୍ବନ୍ଧିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବଡ଼ନଗରସ୍ଥିତ ପ୍ରେରଣା ସ୍କୁଲ ପ୍ରକଳ୍ପ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ । ପ୍ରେରଣା ସ୍କୁଲ ପ୍ରକଳ୍ପ ନେଇ ଗୁଜରାଟର ମୁଖ୍ୟ ଶାସନ ସଚିବ ଏବଂ ଶିକ୍ଷା ଅଧିକାରୀଙ୍କ ସହ ବୈଠକ କରିଥିଲେ। ଏହାବ୍ୟତିତ ବଡନଗର ସ୍ଥିତ ହଟକେଶ୍ୱର ମହାଦେବ ମନ୍ଦିରକୁ ଯାଇ ଦର୍ଶନ କରିବାର ଲାଭ କରିଥିଲେ ।

ସମ୍ବନ୍ଧିତ ଖବର