ନୂଆଦିଲ୍ଲୀ : ବରିଷ୍ଠ ଏନ୍‌ସିପି ନେତା ଶରଦ ପାୱାର ଆଜି ଦିଲ୍ଲୀରେ ଏନ୍‌ସିପିର ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ କରିଛନ୍ତି। ଶରଦ ପାୱାର ଆଜି ଏହ‌ି ବୈଠକରେ ବିଦ୍ରୋହୀ ନେତା ଅଜିତ ପାୱାରଙ୍କୁ ସମର୍ଥନ କରିଥିବା ନେତା ପ୍ରଫୁଲ ପଟେଲ, ସୁନିଲ ତତ୍‌କରେ, ଏସ୍‌ଆର କୋହଲି ଏବଂ ଅନ୍ୟ ବିଦ୍ରୋହୀ ନେତାଙ୍କୁ ବହିଷ୍କାର କରିଛନ୍ତି। ଶରଦଙ୍କ ନେତୃତ୍ବାଧୀନ ଏନ୍‌ସିପି ଆଜିର ବୈଠକରେ ଅଜିତ ପାୱାରଙ୍କ ନେତୃତ୍ବାଧୀନ ଗୋଷ୍ଠୀ ବିରୋଧରେ ଏକ ପ୍ରସ୍ତାବ ଗୃହୀତ କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ଶରଦ ପାୱାର କହିଛନ୍ତି- ‘ମୁଁ ହିଁ ଏନ୍‌ସିପିର ଜାତୀୟ ସଭାପତି। ଅଜିତ ଗୋଷ୍ଠୀ ଦଳରେ ବିଭାଜନ କରିବାକୁ ବିଭ୍ରାନ୍ତି ସୃଷ୍ଟି କରୁଛି। ସେହି ଗୋଷ୍ଠୀର ଯାହା କହିବାର ଅଛି ସେମାନେ ଇସି (ନିର୍ବାଚନ କମିସନ୍‌)ଙ୍କ ନିକଟରେ କୁହନ୍ତୁ । ଆଜିର ବୈଠକ ଆମର ନୈତିକ ମନୋବଳ ସୁଦୃଢ଼ କରିବାପାଇଁ ଥିଲା। ମୋ ବୟସକୁ ନେଇ ଏବେ ପ୍ରଶ୍ନ କରାଯାଉଛି । ମୋ ବୟସ ୮୨ ହେଉ କି ୯୨ ହେଉ । ଏହା କିଛି ମାନେ ରଖେନା। ମୁଁ ଏବେ ବି ସେ ସକ୍ରିୟ ଏବଂ କାର୍ଯ୍ୟକ୍ଷମ ଅଛି।’

Advertisment
୮୨ ହେଉ କି ୯୨ ଏବେ ବି ମୁଁ ସକ୍ରିୟ ଅଛି
ପ୍ରଫୁଲ୍ଲ ପଟେଲ ଏବଂ ଅନ୍ୟ ବିଦ୍ରୋହୀ ବହିଷ୍କୃତ
ବୈଠକ ବେଆଇନ, କୌଣସି ବୈଧତା ନାହିଁ: ଅଜିତ ଗୋଷ୍ଠୀ

ଇତିମଧ୍ୟରେ ଏନ୍‌ସିପି ନେତା ପିସି ଚାକୋ କହିଛନ୍ତି, ଶରଦ ପାୱାରଙ୍କ ନେତୃତ୍ବରେ ଦଳ ଏବେ ବି ସୁଦୃଢ଼ ଅଛି। ସେମାନେ ଏବେ ବି ଶରଦ ପାୱାରଙ୍କ ସହ ରହିଛନ୍ତି। ଶରଦ ପାୱାର ହିଁ ଦଳର ଜାତୀୟ ସଭାପତି। ଅନ୍ୟ କେହି ନିଜକୁ ଦଳର ଜାତୀୟ ସଭାପତି ଦାବି କଲେ ଆମେ ସେକଥାକୁ ଗ୍ରହଣ କରୁନୁ ବୋଲି ପିସି ଚାକୋ କହିଛନ୍ତି। ସମସ୍ତ ବିରୋଧୀ ଦଳଙ୍କ ସମର୍ଥନ ଆମ ସହିତ ରହିଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ ଅଜିତ ପାୱାରଙ୍କ ଗୋଷ୍ଠୀ ଏକ ବିବୃତି ଜାରି କରି କହିଛି ଯେ ଆଜିର ବୈଠକର କୌଣସି ନ୍ୟାୟିକ ବୈଧତା ନାହିଁ। ବୈଠକରେ ନିଆଯାଇଥିବା କୌଣସି ନିଷ୍ପତ୍ତିର ନ୍ୟାୟିକ ଆଧାର ନାହିଁ ଏବଂ ଏହା ବେଆଇନ। ନିର୍ବାଚନ କମିସନ ଯେ ପର୍ଯ୍ୟନ୍ତ ଦଳର ନାମ ଏବଂ ଚିହ୍ନ ବ୍ୟବହାର ନେଇ କୌଣସି ଗୋଟିଏ ଗୋଷ୍ଠୀକୁ ଅଧିକାର ନଦେଇଛନ୍ତି ସେପର୍ଯ୍ୟନ୍ତ ଦଳର କେହି ବି ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ କରିପାରିବେନି ବୋଲି ଅଜିତ ଗୋଷ୍ଠୀ କହିଛି। ଆଜି ଏନ୍‌ସିପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ଶରଦ ପାୱାର ତାଙ୍କ ନୂଆଦିଲ୍ଲୀ ବାସଭବନରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏନ୍‌ସିପିରେ ବିଦ୍ରୋହ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ।