ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ଜାତୀୟ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିନେତା, ଅଭିନେତ୍ରୀ ଓ ଅନ୍ୟାନ୍ୟ ଚଳଚ୍ଚିତ୍ର ପ୍ରତିଭାମାନଙ୍କୁ ପୁରସ୍କୃତ କରିଛନ୍ତି। ଚଳିତବର୍ଷର ଦାଦା ସାହେବ ଫାଲ୍କେ ପୁରସ୍କାର ବିଜେତା ବିଗ୍ ବି ଅମିତାଭ ବଚନ ସ୍ବାସ୍ଥ୍ୟଗତ କାରଣରୁ ପୁରସ୍କାର ଗ୍ରହଣ ଉତ୍ସବରେ ଉପସ୍ଥିତ ରହି ପାରି ନଥିଲେ। ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ‘ହେଲ୍ଲାରୋ’ (ଗୁଜୁରାଟୀ)କୁ ପୁରସ୍କୃତ କରାଯାଇଥିବା ବେଳେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଆଦିତ୍ୟ ଧର୍ (ହିନ୍ଦୀ ଚଳଚ୍ଚିତ୍ର ‘ଉରି’), ଇନ୍ଦିରା ଗାନ୍ଧି ଶ୍ରେଷ୍ଠ ନବାଗତ ଫିଲ୍ମ ନିର୍ଦ୍ଦେଶକ ଭାବେ ସୁଧାକର ରେଡ୍ଡୀ ୟାକାନ୍ତି (ମରାଠୀ ଚଳଚ୍ଚିତ୍ର ‘ନାଲ୍’), ଶ୍ରେଷ୍ଠ ଅଭିନେତ୍ରୀ ଭାବେ କୀର୍ତ୍ତି ସୁରେଶ ( ତେଲୁଗୁ ଚଳଚ୍ଚିତ୍ର ‘ମହନତି’), ଶ୍ରେଷ୍ଠ ଅଭିନେତା ଭାବେ ଆୟୁଷ୍ମାନ୍ ଖୁରାନା (ଅନ୍ଧାଧୁନ୍) ଏବଂ ଭିକି କୌଶଳ (ଉରି)ଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ସୁରେଖା ସିକ୍ରି (ବଧାଇ ହୋ)ଙ୍କୁ ପୁରସ୍କୃତ କରାଯାଇଥିବାବେଳେ ଶ୍ରେଷ୍ଠ ସହ ଅଭିନେତା ଭାବେ ସ୍ବନନ୍ଦ କିର୍କିରେ (ମରାଠୀ ଚଳଚ୍ଚିତ୍ର ‘ଚୁମ୍ବକ’), ଶ୍ରେଷ୍ଠ ଶିଶୁ କଳାକାର ଭାବେ ପି.ଭି. ରୋହିତ (ଓଣ୍ଡାଲ୍ଲା ଏରାଡାଲ୍ଲା), ସମୀପ ସିଂହ (ହାର୍ଜିତ), ତହ୍ଲା ଆର୍ସଦ ରେସି (ହମିଦ୍) ଏବଂ ଶ୍ରୀନିବାସ ପୋକାଲେ (ନାଲ୍)ଙ୍କୁ ପୁରସ୍କୃତ କରାଯାଇଥିଲା। ‘ସର୍କାରୀ ଏରିଆ ପ୍ରାଥମିକ ଶାଲେ କସରଗଡ଼’କୁ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯାଇଥିଲା। କନ୍ନଡ଼ ଚଳଚ୍ଚିତ୍ର ‘ଓଣ୍ଡାଲ୍ଲା ଏରାଡାଲ୍ଲା’କୁ ଜାତୀୟ ଏକତା ପାଇଁ ନର୍ଗିସ ଦତ୍ତ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ହିନ୍ଦୀ ଚଳଚ୍ଚିତ୍ର ‘ବଧାଇ ହୋ’କୁ ଶ୍ରେଷ୍ଠ ଲୋକପ୍ରିୟ ମନୋରଞ୍ଜନ ଧର୍ମୀ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ପରିବେଶ ସୁରକ୍ଷା ଓ ସଂରକ୍ଷଣ ପାଇଁ ମରାଠୀ ଚଳଚ୍ଚିତ୍ର ‘ପାନି’କୁ ପୁରସ୍କୃତ କରାଯାଇଥିବା ବେଳେ ହିନ୍ଦୀ ଚଳଚ୍ଚିତ୍ର ‘ପ୍ୟାଡ୍ ମ୍ୟାନ୍’କୁ ଶ୍ରେଷ୍ଠ ସାମାଜିକ ପ୍ରସଙ୍ଗଭିତ୍ତିକ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜିର ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଉପସ୍ଥିତ ରହି ଭାରତୀୟ ଚଳଚ୍ଚିତ୍ରର ସ୍ବର୍ଣ୍ଣିମ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଭବନ ପରିସରରେ ଆସନ୍ତା ୨୯ ତାରିଖରେ ଏକ ହାଇ ଟି ପାର୍ଟିର ଆୟୋଜନ ବିଜେତାଙ୍କ ପାଇଁ ଆୟୋଜନ କରାଯିବ। ସେଠାରେ ଅମିତାଭ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଦାଦା ସାହେବ୍ ଫାଲ୍କେ ସମ୍ମାନ ପ୍ରଦାନ କରାଯିବ।
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆୟୁଷ୍ମାନ୍ ଶ୍ରେଷ୍ଠ ଅଭିନେତା, କୀର୍ତ୍ତି ଶ୍ରେଷ୍ଠ ଅଭିନେତ୍ରୀ
୨୯ରେ ଅମିତାଭଙ୍କୁ ମିଳିବ ‘ଦାଦା ସାହେବ ଫାଲ୍କେ’ ସମ୍ମାନ
/sambad/media/post_attachments/wp-content/uploads/2019/12/gjdg564j798dg7jdg654j65dg4jsdgjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)