ମିଳିତ ସାମ୍ମୁଖ୍ୟ ପ୍ରୟାସରେ ମମତା:ଦିଲ୍ଲୀରେ ବିଭିନ୍ନ ଦଳର ନେତାଙ୍କୁ ଭେଟିଲେ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ମିଳିତ ସାମ୍ମୁଖ୍ୟ ଗଠନ ଦିଗରେ ପ୍ରୟାସ ଜୋର୍‌ଦାର କରିଛନ୍ତି। ଆଜି ମମତା ଦିଲ୍ଲୀରେ ବିଭିନ୍ନ ଦଳର ନେତାଙ୍କୁ ଭେଟିବା ପରେ ଏହାକୁ ନେଇ ରାଜନୈତିକ ମହଲରେ ସରଗରମ ଚର୍ଚ୍ଚା ଆରମ୍ଭ ହୋଇଛି। ମମତାଙ୍କୁ ଆଜି ସଂସଦ ଭବନ ଟିଏମ୍‌୍‌ସି କାର୍ଯ୍ୟାଳୟରେ ଏନ୍‌୍‌ଡିଏର ସହଯୋଗୀ ଦଳ ଶିବସେନା ସାଂସଦ ସଂଜୟ ରାଉତ, ତେଲେଙ୍ଗାନା ରାଷ୍ଟ୍ର ସମିତିର ସାଂସଦ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା, ଆର୍‌ଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ମିସା ଭାରତୀ, କଂଗ୍ରେସ ନେତା ଅଶ୍ୱିନୀ କୁମାର, ସାମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବ ପ୍ରମୁଖ ସାକ୍ଷାତ କରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ପ୍ରସଙ୍ଗରେ ଆଲୋଚନା କରିଥିଲେ। ମମତା ସଂସଦ ଭବନର ତୃତୀୟ ମହଲାରେ ଥିବା ଏନ୍‌୍‌ସିପି କାର୍ଯ୍ୟାଳୟକୁ ଯାଇ ସେଠାରେ ଶରଦ ପାଓ୍ଵାରଙ୍କ ସହିତ ପ୍ରାୟ ଘଣ୍ଟାଏ ଧରି ଆଲୋଚନା କରିଥିଲେ।
ମମତାଙ୍କୁ ସାକ୍ଷାତ କରିବା ପାଇଁ ବିଜେଡି ସାଂସଦ ପିନାକୀ ମିଶ୍ର ଏବଂ ଅନୁଭବ ମହାନ୍ତି ଟିଏମ୍‌୍‌ସି କାର୍ଯ୍ୟାଳୟକୁ ଯାଇଥିଲେ। ତେବେ ଏହି ସାକ୍ଷାତ କେବଳ ସୌଜନ୍ୟମୂଳକ ଥିଲା ଏବଂ ଏହାର ରାଜନୈତିକ ଅର୍ଥ ବାହାର କରିବା ଉଚିତ ନୁହେଁ ବୋଲି ଅନୁଭବ କହିଥିଲେ।

ମମତାଙ୍କ ଦ୍ୱାରା ମିଳିତ ସାମ୍ମୁଖ୍ୟ ଗଠନ ନେଇ ଯେଉଁ ପ୍ରୟାସ ଚାଲିଛି ସେ ସଂପର୍କରେ ଦଳର ସୁପ୍ରିମୋ ହିଁ ସ୍ପଷ୍ଟ କରିପାରିବେ ବୋଲି ବିଜେଡି ସଂସଦୀୟ ଦଳର ମୁଖପାତ୍ର କଳିକେଶ ନାରାୟଣ ସିଂହଦେଓ କହିଛନ୍ତି। ବିଜେଡି ଉଭୟ କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତା ବଜାୟ ନୀତିରେ କାଏମ ରହିଛି ବୋଲି ସେ କହିଛନ୍ତି। ମମତା ବାନାର୍ଜୀ ଆଜି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କିମ୍ବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିପାରିନଥିଲେ। ଆସନ୍ତାକାଲି ସେ ବିଜେପିର ଅସନ୍ତୁଷ୍ଟ ନେତା ଯଶବନ୍ତ ସିହ୍ନା, ଶତ୍ରୁଘ୍ନ ସିହ୍ନା ଏବଂ ଅରୁଣ ସୌରୀଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଚଳିତ ମାସରେ ବିରୋଧୀ ଦଳ ଏକାଠି ହେବା ଏହା ଦ୍ୱିତୀୟ ଘଟଣା। ଗତ ୧୩ ତାରିଖରେ ସୋନିଆ ଗାନ୍ଧୀଙ୍କ ବାସଭବନରେ ଆୟୋଜିତ ରାତ୍ରିଭୋଜନରେ ୧୮ଟି ଦଳର ନେତା ଯୋଗଦେଇଥିଲେ। ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ଵାରଙ୍କ ସହ ଆଜି ଆଲୋଚନା ପରେ ମମତା କହିଛନ୍ତି ଯେ ଆଗକୁ ବିଜେପି ପାଇଁ କଠିନ ସମୟ ଆସୁଛି। ବିଜେପିର ସହଯୋଗୀମାନେ ବିଜେପିଠାରୁ ଅଲଗା ହେବା ଆରମ୍ଭ କଲେଣି। ଏଭଳି ସ୍ଥିତିରେ ସମସ୍ତ ବିରୋଧୀ ଦଳମାନଙ୍କୁ ଏକାଠି ହୋଇ ଲଢ଼େଇ କରିବାକୁ ମମତା ଆହ୍ଵାନ ଦେଇଛନ୍ତି। ମୋଦି ସରକାର ବିରୋଧରେ ଦେଶବ୍ୟାପୀ ପ୍ରବଳ ଅସନ୍ତୋଷ ରହିଛି ଏବଂ ବିରୋଧୀ ଦଳର ମିଳିତ ପ୍ରୟାସ ହିଁ ଏନ୍‌୍‌ଡିଏକୁ କ୍ଷମତାଚ୍ୟୁତ କରିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର