ନେସନାଲ ହେରାଲ୍ଡ ମାମଲା: ସୋନିଆଙ୍କୁ ୩ ଘଣ୍ଟା ଇଡି ଜେରା

ନୂଆଦିଲ୍ଲୀ: ନେସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ଇଡି (ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ)ରେ ହାଜର ହୋଇଥିଲେ। ପ୍ରଥମ ଦିନରେ ସୋନିଆଙ୍କୁ ଆଜି ୩ ଘଣ୍ଟା‌ ଜେରା କରାଯାଇଛି ଏବଂ ଅାସନ୍ତା ସୋମବାର ପୁଣି ହାଜର ହେବାକୁ କୁହାଯାଇଛି। ସୋନିଆ ନିକଟ‌ରେ କରୋନାରୁ ସୁସ୍ଥ ହୋଇଥିବାରୁ ତାଙ୍କ ଅନୁରୋଧକ୍ରମେ ଜେରାକୁ ୩ ଘଣ୍ଟାରେ ବନ୍ଦ କରାଯାଇଥିଲା। କଂଗ୍ରେସ ନେତା ଏବଂ କର୍ମୀମାନଙ୍କ ଆନ୍ଦୋଳନ ମଧ୍ୟରେ ୭୫ ବର୍ଷୀୟା ସୋନିଆ ଆଜି ଅପରାହ୍ନ ୧୨ଟା ପରେ କେନ୍ଦ୍ରୀୟ ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡ୍‌ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହୋଇଥିଲେ। ଅପରାହ୍ନ ପ୍ରାୟ ୧୨.୩୦ ପରେ ସୋନିଆଙ୍କ ବୟାନ ରେକର୍ଡ କରାଯାଇଥିଲା ତେବେ ସୋନିଆଙ୍କ ଅନୁରୋଧକ୍ରମେ ସ୍ବାସ୍ଥ୍ୟଗତ କାରଣରୁ ୩ ଘଣ୍ଟା ପରେ ଜେରା ବନ୍ଦ ରଖାଯାଇଥିଲା।

ସୋନିଆଙ୍କୁ ଜଣେ ମହିଳା ଅତିରିକ୍ତ ନିର୍ଦ୍ଦେଶକ ଏବଂ ଜଣେ ଅଧିକାରୀ ଜେରା କରିଥିଲେ। ଅତିରିକ୍ତ ନିର୍ଦ୍ଦେଶକ ମୋନିକା ଶର୍ମାଙ୍କ ନେତୃତ୍ବରେ ଜେରା ହୋଇଥିଲା। ସୋନିଆ ଇଡି ଅଧିକାରୀଙ୍କୁ ପୂର୍ବରୁ କିଛି ସ୍ବତନ୍ତ୍ର ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧକ୍ରମେ ଝିଅ ପ୍ରିୟଙ୍କା ଗାନ୍ଧିଙ୍କୁ ଜେରା ସମୟରେ ଇଡି ମୁଖ୍ୟାଳୟରେ ଉପସ୍ଥିତ ରହିବା ଅନୁମତି ମିଳିଥିଲା। ‌ସୋନିଆ ଉତ୍ତମ ‌ବାୟୁ ଚଳାଚଳ ହେଉଥିବା ଗୃହରେ ଜେରା ପାଇଁ ଅନୁରୋଧ କରିଥିଲେ। ତାଙ୍କୁ ଯେଉଁମ‌ାନେ ଜେରା କରିବେ ସେମାନଙ୍କର କରୋନା ଟେଷ୍ଟ୍‌ ପାଇଁ ସୋନିଆ ଅନୁରୋଧ କରିଥିଲେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ନେସନାଲ ହେରାଲ୍ଡ ମାମଲାରେ ୫ ଦିନରେ ୫୦ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଥିଲା।

ସମ୍ବନ୍ଧିତ ଖବର