ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ କେତେକ ନେତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ବରିଷ୍ଠ କଂଗ୍ରେସ ନେତା ସାମ୍ ପିତ୍ରୋଡ଼ା ଏବଂ ସୁମନ ଦୁବେଙ୍କୁ ମଧ୍ୟ ଚାର୍ଜସିଟ୍ରେ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଗତ ଏପ୍ରିଲ ୯ ତାରିଖରେ ସ୍ବତନ୍ତ୍ର ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା, ଯାହାକୁ ସ୍ବତନ୍ତ୍ର ବିଚାରପତି ବିଶାଲ ଗୋଗନେ ବିଚାରକୁ ନେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୫, ୨୦୨୫କୁ ଧାର୍ଯ୍ୟ କରାଯାଇଛି।
ବିଚାରପତି ତାଙ୍କ ଆଦେଶରେ କହିଛନ୍ତି ଯେ ଦାଖଲ ହୋଇଥିବା ଅଭିଯୋଗ ଫର୍ଦ୍ଦ ଉପରେ ୨୫ ତାରିଖରେ ବିଚାର ହେବ। ସେହିଦିନ ଇଡିର ସ୍ୱତନ୍ତ୍ର ଓକିଲ ଏବଂ ତଦନ୍ତକାରୀ ଅଧିକାରୀଙ୍କୁ ମଧ୍ୟ କୋର୍ଟରେ କେସ୍ ଡାଏରୀ ଦାଖଲ କରିବାକୁ ପଡିବ। ଏହି ମାମଲାରେ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ଗାନ୍ଧୀ ପରିବାର ଠକେଇ କରି ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (ଏଜେଏଲ୍)ର କୋଟି କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରିଥିବା ଅଭିଯୋଗ ହୋଇଛି। ୟଙ୍ଗ୍ ଇଣ୍ଡିଆନ୍ରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କର ୩୮ ପ୍ରତିଶତ ଲେଖାଏଁ ଅଂଶଧନ ରହିଛି। ସୂଚନାଯୋଗ୍ୟ, ଏଜେଏଲ୍ ହେଉଛି ସେହି କମ୍ପାନି ଯାହା କି ‘ନ୍ୟାସନାଲ ହେରାଲ୍ଡ’ ଖବରକାଗଜ ଚଳାଉଥିଲା।
ସାମ୍ ପିତ୍ରୋଡ଼ା, ସୁମନ ଦୁବେ ବି ଅଭିଯୁକ୍ତ
କଂଗ୍ରେସ କହିଲା, ଆମକୁ ଡରାଉଛନ୍ତି
ନିକଟରେ ଇଡି ଏହି ମାମଲାରେ ୬୬୧ କୋଟି ଟଙ୍କାର ସମ୍ପତ୍ତି ଜବତ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଦିଲ୍ଲୀ, ମୁମ୍ବାଇ ଓ ଲକ୍ଷ୍ନୌରେ ଥିବା ଏହି ସମ୍ପତ୍ତିକୁ ନିଜ ଅକ୍ତିଆରକୁ ନେବା ପାଇଁ ସମ୍ପୃକ୍ତ ରେଜିଷ୍ଟ୍ରାରଙ୍କୁ ନୋଟିସ୍ ଜାରି କରାଯାଇଛି। ବିଶେଷ କରି ଦିଲ୍ଲୀର ବାହାଦୁର ଶାହ ଜାଫର ମାର୍ଗରେ ଥିବା ହେରାଲ୍ଡ ହାଉସକୁ ନେଇ କାର୍ଯ୍ୟାନୁଷ୍ଠାନ ତ୍ବରାନ୍ବିତ କରାଯାଇଛି। ମୁମ୍ବାଇର ବାନ୍ଦ୍ରା ଇଷ୍ଟ ଅଞ୍ଚଳରେ ଥିବା ହେରାଲ୍ଡ ହାଉସର ସପ୍ତମରୁ ନବମ ମହଲା ପର୍ଯ୍ୟନ୍ତ ଭଡ଼ାରେ ଜିନ୍ଦଲ ସାଉଥ ୱେଷ୍ଟ ପ୍ରୋଜେକ୍ଟସ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟାଳୟକୁ ମଧ୍ୟ ନୋଟିସ୍ ଦିଆଯାଇଛି। ଏ ବାବଦ ଭଡ଼ା ଏବେ ଇଡିକୁ ଦେବାକୁ ପଡ଼ିବ ବୋଲି ନୋଟିସ୍ରେ କୁହାଯାଇଛି।
ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ୨୦୧୪ରେ ପଟିଆଲା ହାଉସ୍ କୋର୍ଟରେ ଏ ବାବଦରେ ଏକ ମାମଲା ଦାଏର କରିଥିଲେ। ମାତ୍ର ୫୦ ଲକ୍ଷ ଟଙ୍କା ଦେଇ ଗାନ୍ଧୀ ପରିବାର ଓ ତାଙ୍କ ଘନିଷ୍ଠ ସହଯୋଗୀମାନେ ୨ ହଜାର କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଥିବା ଏଜେଏଲ୍ କମ୍ପାନିକୁ ନିଜ ଅକ୍ତିଆରକୁ ନେଇଥିବା ସେ ଅଭିଯୋଗ କରିଥିଲେ। ଇଡି ୨୦୨୩ ନଭେମ୍ବରରେ ୬୬୧ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଏବଂ ୯୦.୨ କୋଟି ଟଙ୍କାର ସେୟାରକୁ ଅସ୍ଥାୟୀ ଭାବେ ଜବତ କରିଥିଲା। ଏହାହକୁ ୨୦୨୪ ଏପ୍ରିଲରେ ମଧ୍ୟ ବିଚାରଣକାରୀ କର୍ତ୍ତୃପକ୍ଷ ଅନୁମୋଦନ କରିଥିଲେ। ଆଜି ଇଡିର ଚାର୍ଜସିଟ୍ ନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଏହା ପ୍ରତିଶୋଧମୂଳକ ରାଜନୀତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀ ଦଳମାନଙ୍କୁ ଭୟଭୀତ କରିବା ପାଇଁ ଏଭଳି ରଣନୀତି ଆପଣାଉଛନ୍ତି।