ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ନେସନାଲ ହେରାଲ୍ଡ ସହ ସମ୍ବନ୍ଧିତ ମନିଲଣ୍ଡରିଂ ମାମଲାକୁ ନେଇ ୩ ଦିନ ହେଲା ମାରାଥନ ଜେରାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ମାଆ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଇଡି ସମନ ଜାରି କରିଛି। କୋଭିଡ୍ ସଂକ୍ରମଣ ପାଇଁ ସେ ଏବେ ହସ୍ପିଟାଲରେ ଥିବାରୁ ଜୁନ୍ ୨୩ ତାରିଖରେ ତାଙ୍କୁ ଦିଲ୍ଲୀସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ଗାନ୍ଧି ପରିବାର ଉପରେ ଇଡି କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ବିଜେପି ସରକାର ବିରୋଧୀଙ୍କୁ ଦମନ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବ୍ୟବହାର କରୁଛି ବୋଲି ଅଭିଯୋଗ କରି ସାରା ଦେଶରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Advertisment

କୋର୍ଟ ଦ୍ବାରା ସୋନିଆ ଓ ରାହୁଲଙ୍କୁ ଜାମିନ
୨୦୧୪ରେ ଯେତେବେଳେ କେନ୍ଦ୍ରରେ ଭାଜପା ନେତୃତ୍ବାଧୀନ ସରକାର ଆସିଲା, ସେତେବେଳେ ନେସନାଲ ମାମଲାର ଯାଞ୍ଚ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆରମ୍ଭ କଲା। ସୋନିଆ ଓ ରାହୁଲଙ୍କ ମୁଣ୍ଡ ଉପରେ ଝୁଲିଲା କାର୍ଯ୍ୟାନୁଷ୍ଠାନର ଖଣ୍ଡା। ତେବେ ସେମାନେ କୋର୍ଟରେ ପହଞ୍ଚିଲେ ଆଗୁଆ ଜାମିନ ପାଇବା ପାଇଁ। ୧୯ ଡିସେମ୍ବର ୨୦୧୫ରେ ନିମ୍ନ ଅଦାଲତ ଦ୍ବାରା ତାଙ୍କୁ ଜାମିନ ମିଳିଗଲା। ୨୦୧୬ରେ ସୁପ୍ରିମ୍‌କୋର୍ଟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ କରିବା ପାଇଁ କରାଯାଇଥିବା ଆବେଦନକୁ ନାମଞ୍ଜୁର କରିଦେଇଥିଲେ। ୨୦୧୮ରେ କେନ୍ଦ୍ର ସରକାରଙ୍କ ଦ୍ବାରା ୫୬ ବର୍ଷର ପୁରୁଣା ସ୍ଥାୟୀ ପଟାକୁ ସମାପ୍ତ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଏହାଛଡ଼ା ହେରାଲ୍‌ଡ ହାଉସ ପରିସରରୁ ଏଜେଏଲ୍‌କୁ ବେଦଖଲ କରିବା ପାଇଁ ନିଷ୍ପତ୍ତି ନିଆଗଲା କାରଣ ଏହାଦ୍ବାରା ଆଉ କୌଣସି ମୁଦ୍ରଣ କାର୍ଯ୍ୟ ବା ପବ୍ଲିକେସନ ହେଉ ନ ଥିଲା, ଯେଉଁ କାର୍ଯ୍ୟ ପାଇଁ ୧୯୬୨ରେ ଏହି ବିଲ୍‌ଡିଂ ଆବଣ୍ଟନ କରାଯାଇଥିଲା। ୫ ଏପ୍ରିଲ ୨୦୧୯ରେ ସୁପ୍ରିମ୍‌କୋର୍ଟ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସାର୍ବଜନିକ ପରିସର (ଅନଧିକୃତ କବ୍‌ଜାକାରୀଙ୍କୁ ହଟାଇବା) ଅଧିନିୟମ, ୧୯୭୧ ଅନୁସାରେ ଏଜେଏଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବା ପାଇଁ ଆଦେଶ ଦେଇଦେଲେ। ବର୍ତ୍ତମାନ ଏହି ମାମଲାରେ ଇଡି ରାହୁଲ ଓ ସୋନିଆଙ୍କୁ ପଚରାଉଚରା ପାଇଁ ତଲବ କରିଛି।