ନେସନାଲ ହେରାଲ୍‌ଡ ମନି ଲଣ୍ଡରିଂ ମାମଲା: ମୋତିଲାଲ ଭୋରାଙ୍କୁ ଦାୟୀ କଲେ ରାହୁଲ

ଅଭିଯୋଗକୁ ଭିତ୍ତିହୀନ କହିଲେ ଭୋରାଙ୍କ ପୁଅ, ଜୁନ୍‌ ୨୦ ପର୍ଯ୍ୟନ୍ତ ଜେରା ସ୍ଥଗିତ ରଖିବାକୁ ରାହୁଲଙ୍କ ଅନୁରୋଧ

ନୂଆଦିଲ୍ଲୀ: ନେସନାଲ ହେରାଲଡ ମନି ଲଣ୍ଡରିଂ ମାମଲା ନେଇ ଇଡି ଜେରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଦଳର ଦିବଙ୍ଗତ ନେତା ମୋତିଲାଲ ‌ଭୋରାଙ୍କୁ ବିଭିନ୍ନ ଅନିୟମିତତା ପାଇଁ ଦାୟୀ କରିଛନ୍ତି। ଇଡି ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ରାହୁଲ ଏଜେଏଲ୍‌ (ଆସୋସିଏଟେଡ୍‌ ଜର୍ଣ୍ଣାଲ୍‌ସ ଲିମିଟେଡ୍‌) ଏବଂ ୟଙ୍ଗ୍‌ ଇଣ୍ଡିଆନ ମଧ୍ୟରେ ହୋଇଥିବା ସମସ୍ତ ଆର୍ଥିକ କାରବାର କଂଗ୍ରେସର ପୂର୍ବତନ କୋଷାଧ୍ୟକ୍ଷ ମୋତିଲାଲ ଭୋରାଙ୍କ ଦ୍ବାରା ହୋଇଥିବା କହିଛନ୍ତି। ଏଜେଏଲ୍‌ ଏବଂ ୟଙ୍ଗ ଇଣ୍ଡିଆନ ମଧ୍ୟରେ ଆର୍ଥିକ କାରବାର ପାଇଁ ସମସ୍ତ କ୍ଷମତା ଭୋରାଙ୍କୁ ଦିଆଯାଇଥିଲା ବୋଲି ରାହୁଲ କହିଛନ୍ତି। କିନ୍ତୁ ମୋତିଲାଲ ଭୋରାଙ୍କ ପୁଅ ଅରୁଣ ଭୋରା କହିଛନ୍ତି, ରାହୁଲ ଗାନ୍ଧିଙ୍କ ଏଭଳି ଅଭିଯୋଗ ଭିତ୍ତିହୀନ ଏବଂ ରାହୁଲ ତଥ୍ୟ ଆଧାରରେ ତାଙ୍କ ବୟାନ ରଖିବା ଉଚିତ। ଏହା ସହିତ ଇଡି ଜେରା ସମୟର ଏହି ତଥ୍ୟ ଏଭଳି ଭାବେ ପଦାକୁ ନଆସିବା ଉଚିତ ବୋଲି ସେ କହିଛନ୍ତି। ଏହି ମାମଲାରେ ସତ୍ୟର ବିଜୟ ହେବ ଏବଂ ରାହୁଲ ଗାନ୍ଧି ତାଙ୍କ ପିତାଙ୍କ ବିରୋଧରେ ଏଭଳି ଅଭିଯୋଗ କରିପାରିବେନି ବୋଲି ସେ କହିଛନ୍ତି।

ଜୁନ୍‌ ୨୦ ପର୍ଯ୍ୟନ୍ତ ଜେରା ସ୍ଥଗିତ ରଖିବାକୁ ରାହୁଲଙ୍କ ଅନୁରୋଧ
ନୂଆଦିଲ୍ଲୀ : ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଗତ ୩ ଦିନ ଧରି ଇଡି ଜେରା କରୁଛି। ଆସନ୍ତାକାଲି ପୁଣିଥରେ ରାହୁଲଙ୍କୁ ସମନ୍‌ କରାଯାଇଛି। କିନ୍ତୁ ରାହୁଲ ଆଜି ଇଡିଙ୍କୁ ଚିଠି ଲେଖି ତାଙ୍କ ଜେରା ଆସନ୍ତା ସୋମବାର (ଜୁନ୍‌ ୨୦) ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ରାହୁଲଙ୍କୁ ଗତ ୩ ଦିନ ଧରି ୩୦ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଛି। ରାହୁଲଙ୍କ ମା’ ସୋନିଆ ଗାନ୍ଧି ଅସୁସ୍ଥ ଅଛନ୍ତି। ସେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ରାହୁଲ ମା’ଙ୍କ ପାଖରେ ରହିବାପାଇଁ ଆଜି ଗୋଟିଏ ଦିନ ବିରତି ଚାହିଥିଲେ। ତେଣୁ ଆସନ୍ତାକାଲି ତାଙ୍କୁ ଜେରା ପାଇଁ ସମନ କରାଯାଇଥିଲା। କିନ୍ତୁ ରାହୁଲ ଏଥିପାଇଁ ଅଧିକ ସମୟ ମାଗିଛନ୍ତି ଏବଂ ଇଡି ରାହୁଲଙ୍କ ଏହି ଅନୁରୋଧକୁ ଗ୍ରହଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର