ନୂଆଦିଲ୍ଲୀ : ୨୦୨୧ରେ ଦେଶରେ ୪,୦୩,୧୧୬ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ୨୦୨୦ ତୁଳନାରେ ୨୦୨୧ରେ ସଡ଼କ ଦୁର୍ଘଟଣା ବଢ଼ିଛି ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ବି ବଢ଼ିଛି। ଏନ୍‌ସିଆରବି (ଜାତୀୟ ଅପରାଧ ରେକର୍ଡ‌୍‌ସ ବ୍ୟୁରୋ) ତଥ୍ୟ ଅନୁଯାୟୀ ୨୦୨୦ରେ ଦେଶରେ ୩, ୫୪,୭୯୬ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ୨୦୨୧ରେ ଏହା ୪,୦୩,୧୧୬କୁ ବୃଦ୍ଧି ପାଇଛି। ସଡ଼କ ଦୁର୍ଘଟଣା ମୃତ୍ୟୁସଂଖ୍ୟା ଗତବର୍ଷ ତୁଳନାରେ ଚଳିତବର୍ଷ ୧୬.୮ ପ୍ରତିଶତ ବୃଦ୍ଧି ପାଇଛି। ଗତବର୍ଷ ୧,୩୩,୨୦୧ ଜଣଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳ ୨୦୨୧ରେ ଏହା ୧,୫୫,୬୨୨କୁ ବୃଦ୍ଧି ପାଇଛି। ଅଧିକାଂଶ ଦୁର୍ଘଟଣା‌ ସନ୍ଧ୍ୟା ୬ରୁ ୯ଟା ମଧ୍ୟ‌ରେ ହେଉଛି। ମୋଟ୍‌ ୪,୦୩,୧୧୬ ଦୁର୍ଘଟଣାରୁ ୮୧,୪୧୦ଟି ଦୁର୍ଘଟଣା ସନ୍ଧ୍ୟା ୬ରୁ ୯ଟା ମଧ୍ୟରେ ରିପୋର୍ଟ କରାଯାଇଛି। ମୋଟ୍‌ ସଡ଼କ ଦୁର୍ଘଟଣାର ଏହା ୨୦.୨ ପ୍ରତିଶତ। ‌‌ଦେଶରେ ଜାତୀୟ ରାଜପଥଗୁଡ଼ିକ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଛି। ମୋଟ୍‌ ୬୩.୯ ଲକ୍ଷ କିମି ଜାତୀୟ ରାଜପଥରୁ ୧.୩୩ ଲକ୍ଷ କିମି ଜାତୀୟ ରାଜପଥରେ ସର୍ବାଧିକ ସଡ଼କ ଦୁର୍ଘଟଣା ହୋଇଛି। ମୋଟ୍‌ ସଡ଼କ ଦୁର୍ଘଟଣାର ୩୦.୩ ପ୍ରତିଶତ କେବଳ ଜାତୀୟ ରାଜପଥରେ ହୋଇଛି। ସେହିପରି ରାଜ୍ୟ ରାଜପଥରେ ବି ୨୩.୯ ପ୍ରତିଶତ ଦୁର୍ଘଟଣା ହୋଇଛି। ଏକ୍ସପ୍ରେସ୍‌ୱେରେ ମୋଟ୍‌ ୧୮୯୯ ସଡ଼କ ଦୁର୍ଘଟଣା ହୋଇଛି।

Advertisment

ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଯୋଗୁଁ ସର୍ବାଧିକ ୫୩,୬୧୫ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ରାଜ୍ୟ ରାଜପଥରେ ଦୁର୍ଘଟଣା ପାଇଁ ୩୯,୦୪୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ରାସ୍ତା ମାନଙ୍କରେ ୬୨,୯୬୭ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ଜାତୀୟ ରାଜପଥରେ ସର୍ବାଧିକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ (୭,୨୧୨) ହୋଇଥିବା ବେଳେ ଏହା ପଛକୁ ତାମିଲନାଡ଼ୁ (୫,୩୬୦), ମହାରାଷ୍ଟ୍ର (୩,୯୯୬), ରାଜସ୍ଥାନ(୩,୬୬୩) ଏବଂ ଆନ୍ଧ୍ରପ୍ର‌ଦେଶ (୩,୬୦୨)ରେ ସର୍ବାଧିକ ଦୁର୍ଘଟଣ‌ା ହୋଇଛି। ଦିଲ୍ଲୀ ରାସ୍ତା ସବୁଠୁ ବିପଜ୍ଜନକ। ଦେଶରେ ୫୩ ମେଗା ସହରରେ ହୋଇଥିବା ମୋଟ୍‌ ସଡ଼କ ଦୁର୍ଘଟଣାରୁ ଚେନ୍ନାଇରେ ସର୍ବାଧିକ ୯.୧ ପ୍ରତିଶତ, ଦିଲ୍ଲୀରେ ୮.୧ ପ୍ରତିଶତ ଏବଂ ବେଙ୍ଗାଲୁରୁରେ ୫.୮ ପ୍ରତିଶତ ରିପୋର୍ଟ କରାଯାଇଛି। ତେବେ ଦିଲ୍ଲୀରେ ସର୍ବାଧିକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। ଦ୍ରୁତ ଗାଡ଼ି ଚାଳନା ଅଧିକାଂଶ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଇଛି।