ନଭେମ୍ବର ୧୩ ପର୍ଯ୍ୟନ୍ତ ଚିଦମ୍ବରମଙ୍କୁ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀର ଏକ ଅଦାଲତ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଜଡ଼ିତ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କୁ ନଭେମ୍ବର ୧୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ଏଥିସହିତ ନ୍ୟାୟାଧିକାରୀ ଅଜୟ କୁମାର କୁହାର ପଚରାଉଚରା ପାଇଁ ଚିଦମ୍ବରମ୍‌ଙ୍କୁ ଗୋଟିଏ ଦିନର ହେପାଜତକୁ ନେବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅନୁରୋଧକୁ ବି ଖାରଜ କରି ଦେଇଛନ୍ତି।

ଅଦାଲତ ତିହାରର ଅଧିକାରୀଙ୍କୁ ଚିଦମ୍ବରମଙ୍କୁ ଔଷଧ, ପଶ୍ଚାତ୍ୟ ଶୈଳୀର ଶୌଚାଳୟ, ସୁରକ୍ଷା ଓ ଅଲଗା କୋଠରୀ ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅଦାଲତ କହିଛନ୍ତି କି, କଂଗ୍ରେସର ବରିଷ୍ଠ ନେତାଙ୍କ ସ୍ୱାସ୍ଥ୍ୟର ସ୍ଥିତିକୁ ଧ୍ୟାନରେ ରଖି ଘର ତିଆରି ଖାଦ୍ୟ ଖାଇବାକୁ ଅନୁମତି ଦିଆଯାଇଛି।

ଅଦାଲତ ଗତ ଶୁଣାଣି ଆଧାରରେ ଚିଦମ୍ବରମ୍‌ଙ୍କୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଇଡିଙ୍କ ହେପାଜତକୁ ପଠାଇଥିଲେ। ଆଜି ଏହି ସମୟସୀମା ଶେଷ ହେବା ପରେ କୋର୍ଟ ୧୪ଦିନ ପାଇଁ ତାଙ୍କ ନ୍ୟାୟିକ ହେପାଜତକୁ ବର୍ଦ୍ଧିତ କରି ଦେଇଛନ୍ତି। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଜଡ଼ିତ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କୁ ସିବିଆଇ ଅଗଷ୍ଟ ୨୧ରେ ଦିଲ୍ଲୀସ୍ଥିତ ତାଙ୍କ ଘରୁ ଗିରଫ କରିଥିଲା। ଏହାପର ଠାରୁ ଚିଦମ୍ବରମ୍‌ ଜେଲରେ ରହିଛନ୍ତି।

ସମ୍ବନ୍ଧିତ ଖବର