ଜାତୀୟ ମେଡିକାଲ କମିସନ ବିଲ ଲୋକସଭାରେ ଆଗତ

ବିକଳ୍ପ ଚିକିତ୍ସା ବ୍ୟବସ୍ଥାର ଡାକ୍ତର ବି ମଡର୍ଣ୍ଣ ମେଡିସିନ୍‌ ଲେଖି ପାରିବେ ନିଯୁକ୍ତି ପୂର୍ବରୁ ସ୍ୱତନ୍ତ୍ର ପରୀକ୍ଷା

ନୂଆଦିଲ୍ଲୀ: ମେଡିକାଲ କାଉନ୍‌ସିଲ ଅଫ ଇଣ୍ଡିଆ(ଏମ୍‌ସିଆଇ)କୁ ପରିବର୍ତ୍ତନ କରି ଜାତୀୟ ମେଡିକାଲ କମିସନ(ଏନ୍‌ଏମ୍‌ସି) ଗଠନ କରିବା ନେଇ କେନ୍ଦ୍ର ସରକାରଙ୍କ ବିଧେୟକକୁ ଲୋକସଭାରେ ଆଗତ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡା ଏନ୍‌ଏମ୍‌ସି ବିଲ୍‌ ଲୋକସଭାରେ ଆଗତ କରି କହିଛନ୍ତି ଯେ,ଏହି ଜାତୀୟ ମେଡିକାଲ କମିସନ ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପୂର୍ବାପେକ୍ଷା ଅଧିକ ଦକ୍ଷ ଓ ପାରଦର୍ଶୀ କରିବ। ଏହା ସହିତ ମେଡିକାଲ ନିଯୁକ୍ତି ସଂକ୍ରାନ୍ତ ଅନେକ ଆଇନରେ ମଧ୍ୟ ପରିବର୍ତ୍ତନ ହେବ। ଯାହା ଫଳରେ ଉଭୟ ଡାକ୍ତରୀ ପାଠ୍ୟକ୍ରମ ଓ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ସ୍ୱଚ୍ଛ ରହିବ। ଏନ୍‌ଏମ୍‌ସି ବିଲ୍‌ -୨୦୧୭କୁ ଗତ ୧୮ ତାରିଖରେ କେନ୍ଦ୍ର କ୍ୟବିନେଟ ମଞ୍ଜୁରି ଦେଇଥିଲେ। ଏମ୍‌ସିଆଇରେ ବ୍ୟାପକ ଦୁର୍ନୀତିର ପର୍ଦ୍ଦାଫାସ ହେବା ସହିତ ପୂର୍ବତନ ସଭାପତି ଡକ୍ଟର କେତନ ଦେଶାଇ ଗିରଫ ହେବା ପରେ କେନ୍ଦ୍ର ସରକାର ଏହି କାଉନ୍‌ସିଲକୁ ପରିବର୍ତ୍ତନ କରି ଏକ ସ୍ୱତନ୍ତ୍ର କମିସନରେ ପରିଣତ କରିବାକୁ ଯାଉଛନ୍ତି ଏବଂ କମିସନ ପାଇଁ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପକୁ ଭାରତୀୟ ଡାକ୍ତର ସଂଘ ଜୋର୍‌ଦାର ବିରୋଧ କରିଛି।

ଏହି ବିଲ୍‌ ଆଇନ୍‌ରେ ପରିଣତ ହେବା ପରେ ପୂର୍ବଭଳି ଆଉ ନିର୍ବାଚିତ ଡାକ୍ତର ଏହି କମିଟି ବା କମିସନର ନେତା ହୋଇ ପାରିବେ ନାହିଁ। କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ନିଯୁକ୍ତ ଅଧିକାରୀ ଏହି କମିସନର ଦାୟିତ୍ୱ ନେବେ। ରାଜ୍ୟଗୁଡିକର ସ୍ୱାସ୍ଥ୍ୟ, ମାନବସମ୍ବଳ, ଫାର୍ମାସୀ ଆଦି ବିଭାଗର ଅଧିକାରୀ ତଥା ସ୍ୱାସ୍ଥ୍ୟ, ବିଜ୍ଞାନ ଓ ଅର୍ଥନୀତିର ପ୍ରବୀଣ ବ୍ୟକ୍ତିତ୍ୱଙ୍କୁ ଏହି କମିସନର ଦାୟିତ୍ୱ ଦିଆଯିବ। ଦେଶବ୍ୟାପୀ ଡାକ୍ତରୀ ଶିକ୍ଷା ଓ ପେସାକୁ ଏହି କମିସନ ପରିଚାଳିତ କରିବ। ଏହି କମିସନକୁ ସହଯୋଗ କରିବା ପାଇଁ ଏକ ସ୍ୱତନ୍ତ୍ର ମେଡିକାଲ ଉପଦେଷ୍ଟା କାଉନସିଲ(ଏମ୍‌ଏସି) ଗଠନ କରାଯିବ ଯେଉଁଥିରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ ସମେତ ଜାତୀୟ ମେଡିକାଲ କାଉନସିଲର ଅଧିକାରୀ ରହିବେ। ଏହି ନୂତନ କମିସନର ଅଧ୍ୟକ୍ଷ ପଦରେ ପୁରୁଣା ମେଡିକାଲ କାଉନସିଲର ପୂର୍ବତନ ଅଧ୍ୟକ୍ଷ ରହିପାରିବେ। ସେହିଭଳି ଆୟୁର୍ବେଦ, ହୋମିଓପାଥି, ଯୋଗ ଓ ଅନ୍ୟ ବିକଳ୍ପ ଚିକିତ୍ସା ପଦ୍ଧତିର ଡାକ୍ତର ଓ ଛାତ୍ରଛାତ୍ରୀ ଏକ ସ୍ୱତନ୍ତ୍ର ‘ବ୍ରିଜ୍‌ କୋର୍ସ’ ବା ସର୍ତ୍ତମୂଳକ ପାଠ୍ୟକ୍ରମ ଶେଷ କରିବା ପରେ ଏଲୋପାଥି ମେଡିସିନ ମଧ୍ୟ ଲେଖିପାରିବେ। ଜାତୀୟ ମେଡିକାଲ କମିସନ(ଏନ୍‌ଏମ୍‌ସି)ର ଶିକ୍ଷା ବ୍ୟବସ୍ଥା ପାଇଁ ୪ଟି ସ୍ୱୟଂଶାସିତ ବୋର୍ଡ ରହିବ। ଆଗଭଳି ଡାକ୍ତରମାନେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ସରିବା ପରେ ସିଧାସଳଖ ଆଉ ଲାଇସେନ୍ସ ପାଇପାରିବେନି। ଡାକ୍ତରଙ୍କୁ ପାଠ୍ୟକ୍ରମ ଶେଷ କରିବା ପରେ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ଭଳି ଆଉ ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଯାଇ ଡାକ୍ତରୀ ସେବା ଲାଇସେନ୍ସ ମିଳିପାରିବ। ଫଳରେ ଘରୋଇ ମେଡିକାଲ କଲେଜରେ ହେଉଥିବା ଦୁର୍ନୀତିରେ ମଧ୍ୟ ରୋକ୍‌ ଲଗାଯାଇ ପାରିବ ବୋଲି ମନ୍ତ୍ରୀ ନଡ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର