ଔଷଧ କାରଖାନା ଉପରେ ଚଢ଼ଉ କରି ୧୦୦୦ କୋଟିର ନିଶାଦ୍ରବ୍ୟ ଜବତ କଲା ମୁମ୍ବାଇ ପୁଲିସ

ମୁମ୍ବାଇ: ଗୁଜରାଟରେ ଏକ ଔଷଧ କାରଖାନା ଉପରେ ଚଢ଼ଉ କଲା ମୁମ୍ବାଇ ପୁଲିସ। ଗୁଜରାଟର ଅଙ୍କଲେଶ୍ୱରରେ ଥିବା ଏକ ଔଷଧ କାରଖାନା ଉପରେ ଚଢ଼ଉ କରି ମୁମ୍ବାଇ ପୁଲିସ ୧,୦୨୬କୋଟି ଟଙ୍କାର ମେଫେଡ୍ରୋନ୍ସ ନିଶା ଔଷଧ ଜବତ କରିଥିବା ଜଣାପଡ଼ିଛି। ଅଧିକାରୀମାନେ ମଙ୍ଗଳବାର କହିଛନ୍ତି ଯେ, ୧୦ଦିନ ମଧ୍ୟରେ ମୁମ୍ବାଇ ପୁଲିସ ଦ୍ବାରା ଆଉ ଏକ ବଡ଼ ସଫଳତା ହାସଲ କରାଯାଇଛି। ଏତେ କୋଟି ଟଙ୍କାର ଡ୍ରଗ୍ସ ଜବତ ହେବା ସହ ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି।

ମାର୍ଚ୍ଚ ୨୯ରେ ଗୁଜରାଟର ଅଙ୍କଲେଶ୍ୱର ବ୍ୟତୀତ ମୁମ୍ବାଇର ଗୋବଣ୍ଡି, ଥାଣେର ଅମ୍ବରନାଥ ଏବଂ ପାଲଘରର ନାଲାସୋପାରାଠାରେ ଏକାଧିକ ଚଢ଼ଉ କରି ମୁମ୍ବାଇ ପୁଲିସ ନିଜର ଯାଞ୍ଚ ଆରମ୍ଭ କରିଥିଲା। ଏହି ଯାଞ୍ଚ ଦ୍ବାରା ମୁମ୍ବାଇ ପୁଲିସ ଏପର୍ଯ୍ୟନ୍ତ ୨୪୩୫କୋଟିର ନିଶାଦ୍ରବ୍ୟ ଜବତ କରିଛି।

ଏହି ବିଷୟରେ ଅଧିକ ବିବରଣୀ ପ୍ରଦାନ କରି ଜଣେ ଅଧିକାରୀ କହିଛନ୍ତି ଯେ ଅଗଷ୍ଟ ୧୩ରେ କରାଯାଇଥିବା ଚଢ଼ାଉରେ ୱର୍ଲି ୟୁନିଟର ଆଣ୍ଟି ନାର୍କୋଟିକ୍ସ ସେଲ ୮୧୨କିଲୋଗ୍ରାମ ବ୍ରାଉନ୍ ସୁଗାର ଏବଂ ୩୯୭କିଲୋଗ୍ରାମ ରାସାୟନିକ ପଦାର୍ଥ ଜବତ କରିଥିଲା। ଏଗୁଡିକ ନିଶା ଔଷଧ ତିଆରି କରିବା ପାଇଁ ବ୍ୟବହାର କରାଯାଉଥିଲା। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଅଙ୍କଲେଶ୍ୱରର ପାନୋଲିଠାରେ ଥିବା ଜିଆଇଡିସି ପରିସରରେ ଥିବା କାରଖାନାରେ ଏହି ଚଢ଼ାଉ କରାଯାଇଥିଲା।

ଏଥି ସହିତ ଗୁଜୁରାଟ ସୀମାବର୍ତ୍ତୀ ପାଲଘର ଜିଲ୍ଲାର ନାଲାସୋପାରା ସହରରୁ ୧୪୦୩ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରାଯାଇଛି। ଏହି ମାମଲାରେ ଏ ପର୍ଯ୍ୟନ୍ତ ୭ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଜଣେ ମହିଳା ଏବଂ ଦୁଇଜଣ ରାସାୟନିକ ବିଶେଷଜ୍ଞ ମଧ୍ୟ ସାମିଲ ଥିଲେ। ଦୁହେଁ ଡ୍ରଗ୍ସ ତିଆରି କରିବା ପାଇଁ ବିଭିନ୍ନ ରାସାୟନିକ ପଦାର୍ଥର ମିଶ୍ରଣ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର