ନୂଆଦିଲ୍ଲୀ: ମଣିଷଙ୍କ ପରି ପଶୁମାନଙ୍କର ବି ଜୀବନ ଅଛି। ସେମାନଙ୍କର ବି ସ୍ବାସ୍ଥ୍ୟଗତ ସମସ୍ୟା ରହିଛି। ସେହି ସକାଶେ ପଶୁଚିକିତ୍ସା ସେବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ଅଧୀନସ୍ଥ ପଶୁପାଳନ ଏବଂ ଦୁଗ୍ଧ ବିଭାଗ, ପଶୁ ରକ୍ତ ସ୍ଥାନାନ୍ତର ଏବଂ ରକ୍ତଭଣ୍ଡାର ପାଇଁ ଦେଶର ପ୍ରଥମ ବ୍ୟାପକ ଜାତୀୟ ନିର୍ଦ୍ଦେଶାବଳୀ ଏବଂ ମାନକ ସଂଚାଳନ ପ୍ରକ୍ରିୟା (ଏସଓପି) ଜାରି କରିଛି। ଏଣିକି ପଶୁମାନଙ୍କ ପାଇଁ ବି ତିଆରି ହେବ ବ୍ଲଡ୍‌ ବ୍ୟାଙ୍କ୍‌। 

Advertisment

ଏଥିରେ, ଅସଙ୍ଗତ ରକ୍ତସଂଯୋଗକୁ ରୋକିବା ପାଇଁ ବ୍ଲଡ୍‌ ଗ୍ରୁପ୍‌ର ମେଳ ଖାଇବା ବାଧ୍ୟତାମୂଳକ ହେବ। ନୂତନ ଢାଞ୍ଚା ଅନୁସାରେ, ରାଜ୍ୟ ନିୟମ ଅନୁଯାୟୀ ପ୍ରାଣୀମାନଙ୍କ ପାଇଁ ରକ୍ତଭଣ୍ଡାର ସ୍ଥାପନ କରାଯିବ। ଯାହାର ଭିତ୍ତିଭୂମି ଜୈବ ସୁରକ୍ଷା ପାଳନ କରିବ। ଆଘାତ, ରକ୍ତହୀନତା, ଅସ୍ତ୍ରୋପଚାରରେ ରକ୍ତ ହ୍ରାସ, ପ୍ରାଣୀମାନଙ୍କରେ ସଂକ୍ରାମକ ରୋଗର ଚିକିତ୍ସା ଆଦି କାର୍ଯ୍ୟ ବେଳେ ଯେପରି ରକ୍ତ ସମସ୍ୟା ନଉପୁଜେ, ସେଥିପାଇଁ ଏପରି ପଦକ୍ଷେପ ନିଆଯାଇଛି। ତେବେ ଏପର୍ଯ୍ୟନ୍ତ ଭାରତରେ ଏଥିପାଇଁ କୌଣସି ଜାତୀୟ ଢାଞ୍ଚା ନଥିଲା।

ପ୍ରାଣୀମାନଙ୍କ ମଧ୍ୟରେ ଅଧିକାଂଶ ରକ୍ତ ଦେବା କେବଳ ଜରୁରୀକାଳୀନ ପରିସ୍ଥିତିରେ କରାଯାଉଥିଲା। ତାହା ପୁଣି ବିନା ବ୍ଲଡ୍‌ ଗ୍ରୁପ୍‌ ମ୍ୟାଚ୍‌ରେ। ନୂତନ ନିର୍ଦ୍ଦେଶାବଳୀର ଲକ୍ଷ୍ୟ ହେଉଛି ପଶୁଚିକିତ୍ସାରେ ରକ୍ତ ସ୍ଥାନାନ୍ତରଣର ସମସ୍ତ ଦିଗ ପାଇଁ ଏକ ବୈଜ୍ଞାନିକ, ନୈତିକ ଏବଂ ସଂରଚିତ ଢାଞ୍ଚା ପ୍ରଦାନ କରିବା।

ଏଥିରେ ଦାତା ଚୟନ, ରକ୍ତ ସଂଗ୍ରହ, ଉପାଦାନଗୁଡ଼ିକର ପ୍ରକ୍ରିୟାକରଣ, ସଂରକ୍ଷଣ, ରକ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା, ତଦାରଖ ଏବଂ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଭାରତୀୟ ପଶୁଚିକିତ୍ସା ପରିଷଦ, ପଶୁଚିକିତ୍ସା ବିଶ୍ୱବିଦ୍ୟାଳୟ, ଆଇସିଏଆର୍‌ ପ୍ରତିଷ୍ଠାନ, ରାଜ୍ୟ ସରକାର, ପଶୁଚିକିତ୍ସା ବିଶେଷଜ୍ଞ ଏବଂ ବିଶେଷଜ୍ଞଙ୍କ ସହିତ ବ୍ୟାପକ ପରାମର୍ଶ ପରେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି।