ନର୍ଥ କାରୋଲିନା/ନୂଆଦିଲ୍ଲୀ/ଭୁବନେଶ୍ୱର : ବିଶ୍ୱ ଓଡ଼ିଶା ସମାଜ (ବିଓସ) ଏବଂ ଭାରତୀୟ ଯକୃତ ରୋଗୀ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଜାତୀୟ ଅଙ୍ଗଦାନ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଙ୍ଗଦାନ ବାବଦରେ ରାଜ୍ୟର ସରକାରୀସ୍ତରରେ ବ୍ୟାପକ ସୁବିଧା ଓ ସୁଯୋଗ ମହଜୁଦ୍ ଥିବା ଜଣାଇଥିଲେ। ବରିଷ୍ଠ ପ୍ରଶାସକ ପ୍ରସନ୍ନ କୁମାର ହୋତା ଅଙ୍ଗଦାନ ବାବଦରେ ସାଧାରଣରେ ସଚେତନତା ଉଜାଗର କରିବାଠାରୁ ଭିତ୍ତଭୂମିଗତ ସୁବିଧା ଉପଲବ୍ଧ କରାଇବାର ଆବଶ୍ୟକତା ଢେର୍ ଅଧିକ ରହିଥିବା ଦର୍ଶାଇଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଙ୍ଗଦାନକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ବାନ ଦେଇଥିଲେ। ଏଥିପାଇଁ ସରକାରୀ ପ୍ରୋତ୍ସାହନ, ଭିତ୍ତଭୂମିର ବିକାଶ ଏବଂ ଚିକିତ୍ସା କର୍ମୀମାନଙ୍କ ମଧ୍ୟରେ ଆବଶ୍ୟକ ସୂଚନା ଓ ସଚେତନତା ଆଦି ଉପଲବ୍ଧ ହେବା ନିତାନ୍ତ ଜରୁରୀ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ)ର ଓଡ଼ିଶା ମଣ୍ଡଳର ସମ୍ପାଦକ ପ୍ରଫେସର୍ ବ୍ରଜକିଶୋର ଦାଶ କହିଥିଲେ ଯେ ଲୋକମାନେ ଅଙ୍ଗଦାନ କରିବାକୁ ଇଚ୍ଛୁକ ଥିଲେ ହେଁ ଏ ସଂକ୍ରାନ୍ତରେ ଅଗ୍ରସର ହେବା ପାଇଁ ସେମାନଙ୍କୁ ପ୍ରକୃତ ମାର୍ଗଦର୍ଶନ ମିଳି ପାରୁନାହିଁ। ଏଣୁ ଅଙ୍ଗଦାନ ସମ୍ପର୍କରେ ଆଇଏମ୍ଏର ସଦସ୍ୟମାନଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ କରାଯାଉଥିବା ଶ୍ରୀ ଦାଶ ଉଲ୍ଲେଖ କରିଥିଲେ। ଅଙ୍ଗଦାନ ନେଇ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ବ ଓଡ଼ିଶା ସମାଜ ତରଫରୁ ଆରମ୍ଭ କରାଯାଉଥିବା ପ୍ରଚାର ଅଭିଯାନରେ ଓଲିଉଡ୍ ଅଭିନେତ୍ରୀ ନୈନା ଦାଶ ‘ବ୍ରାଣ୍ଡ ଆମ୍ବାସଡର୍’ ହୋଇ ଏହାର ନେତୃତ୍ୱ ନେବାକୁ ପ୍ରସ୍ତୁତ ଥିବା କହିଥିଲେ।
ଅପରପକ୍ଷେ ଏହି ଉପଲକ୍ଷେ ‘ଅଙ୍ଗ ଅନୁଦାନ: ପୁନର୍ଜୀବନ ପ୍ରଦାନ’ ଶୀର୍ଷକ ଏକ ୱେବିନାର୍ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ପ୍ରବାସୀ ଓଡ଼ିଆ, ଓଡ଼ିଶାର ଶୁଭେଚ୍ଛୁ, ବିଭିନ୍ନ ଦେଶର ଓଡ଼ିଆ ସମାଜର କର୍ମକର୍ତ୍ତା, ବିଓସର ସଦସ୍ୟ ଏବଂ ବିଶ୍ବଭରି ଅଙ୍ଗଦାନ କ୍ଷେତ୍ରରେ କାର୍ଯ୍ୟରତ ଚିକିତ୍ସା ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ବିଓସର ଉପାଧ୍ୟକ୍ଷ ଡ. ନଳିନୀ ପତି ଏବଂ ସୁସ୍ଥତା ଯୁଗ୍ମ ସାଧାରଣ ସମ୍ପାଦକ ଡ. ଅଶୋକ ଚୌଧୁରୀଙ୍କ ମିଳିତ ତତ୍ତ୍ବାବଧାନରେ ସମ୍ପାଦିତ କର୍ମଶାଳାରେ ବହୁ ଲବ୍ଧପ୍ରତିଷ୍ଠିତ ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଶାରଦମାନେ ଯୋଗଦେଇ ଅଙ୍ଗଦାନ ସଂପର୍କରେ ବହୁ ଅଜଣା ତଥ୍ୟ ଉପରେ ଆଲୋକପାତ କରିଥିଲେ। ଏହାସହ ପ୍ରଶ୍ନୋତ୍ତର ଜରିଆରେ ସମାଜରେ ରହିଥିବା ଜଣାଶୁଣା ଭ୍ରାନ୍ତ ଧାରଣା ଓ ଅନ୍ଧବିଶ୍ୱାସଗୁଡ଼ିକୁ ଦୂର କରିବାକୁ ସକ୍ଷମ ହୋଇଥିଲେ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ମାନବିକ ଓ ବଦାନ୍ୟ କାର୍ଯ୍ୟକ୍ରମରେ ଶତାଧିକ ଦର୍ଶକ ସାମିଲ ହୋଇଥିବା ବେଳେ ସାମାଜିକ ଗଣମାଧ୍ୟମଗୁଡ଼ିକ ଦ୍ବାରା ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ଦେଶ ବିଦେଶର ସହସ୍ରାଧିକ ଜନସାଧରଣ ଏହାକୁ ଦେଖିଥିଲେ।
ବିଓସର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ସାରା ପୃଥିବୀରେ ଥିବା ବିଶ୍ବ ଓଡ଼ିଶା ସମାଜର ସଦସ୍ୟମାନେ ଅଙ୍ଗଦାନ ନେଇ ଜନମତ ଜାଗ୍ରତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ନିବେଦନ କରିଥିଲେ। ଏହି ଅବସରରେ ସ୍ବନାମଧନ୍ୟ ସଙ୍ଗୀତଜ୍ଞ ଅନିନ୍ଦିତା ଦାସ ଓ ଉଦୀୟମାନ ଗାୟକ ସନ୍ତୋଷ ରାଉତ ସେମାନଙ୍କ ସୁଲଳିତ ସଙ୍ଗୀତର ମଧୁର ମୂର୍ଚ୍ଛନାରେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସମଗ୍ର ଅଧିବେଶନକୁ ରାଉଲକେଲାସ୍ଥିତ ଇଏସ୍ଆଇସି ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଅର୍ଚ୍ଚନା ବାରିକ ଏବଂ ବିଓସର ମହିଳା ଶାଖା ସାଧାରଣ ସମ୍ପାଦକ ଡ. ଚିଦାତ୍ମିକା ଖଟ୍ଟୁଆ ପରିଚାଳନା କରିଥିଲେ। ବିଓସର ପ୍ରତିଷ୍ଠାତ୍ରୀ ଡ. ଅରୁନ୍ଧତୀ ଦେବୀ ଧନ୍ୟବାଦ ଦେଇଥିଲେ।