ସ୍ପଷ୍ଟ କଲେ କେନ୍ଦ୍ର ସରକାର : ଏନ୍‌ପିଆର୍‌ ପାଇଁ କୌଣସି କାଗଜପତ୍ର ଆବଶ୍ୟକ ପଡ଼ିବନି

ନୂଆଦିଲ୍ଲୀ : ଜାତୀୟ ଜନଗଣନା ପଞ୍ଜିକା (ଏନ୍‌ପିଆର୍‌) ପାଇଁ କୌଣସି କାଗଜପତ୍ର କିମ୍ବା ଅଙ୍ଗୁଳି ଛାପର ଆବଶ୍ୟକତା ପଡ଼ିବ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେବଳ ଗୋଟିଏ ଫର୍ମରେ ଥିବା ପ୍ରଶ୍ନାବଳୀର ଉତ୍ତର ଦେବାକୁ ପଡ଼ିବ। ଏନ୍‌ପିଆର୍‌ ପାଇଁ ପ୍ରସ୍ତୁତ ପ୍ରଶ୍ନାବଳୀରେ କେବଳ ଜନସଂଖ୍ୟା ଏବଂ ବାୟୋମେଟ୍ରିକ୍‌ ସମ୍ବଳିତ ପ୍ରଶ୍ନ ରହିବ। ଦେଶରେ ବାସ କରୁଥିବା ଜଣେ ସାଧାରଣ ବାସିନ୍ଦାଙ୍କ ସମ୍ପର୍କରେ ଏକ ସଂକ୍ଷିପ୍ତ ଡାଟାବେସ୍‌ ପ୍ରସ୍ତୁତ କରିବା ଏନ୍‌ପିଆର୍‌ର ଲକ୍ଷ୍ୟ ବୋଲି ଗୃହମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଏନ୍‌ପିଆର୍‌ କେବଳ ସାଧାରଣ ବାସିନ୍ଦାଙ୍କର ଏକ ପଞ୍ଜିକା ଛଡ଼ା ଆଉ କିଛି ନୁହେଁ। ୧୯୫୫ ନାଗରିକତା ଆଇନ୍‌ ଏବଂ ୨୦୦୩ (ନାଗରିକ ପଞ୍ଜିକା ଏବଂ ପରିଚୟ ପତ୍ର ପ୍ରଦାନ) ନିୟମ ଅନୁସାରେ, ଏନ୍‌ପିଆର୍‌ ଗ୍ରାମ, ଉପ ସହର, ଉପ ଜିଲ୍ଲା, ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ ପ୍ରସ୍ତୁତ କରାଯିବ। ତେବେ ଏହି ନିୟମରେ କେହି ଖିଲାପ କଲେ ସର୍ବାଧିକ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା‌ ରହିଛି। ୨୦୨୦ ଏପ୍ରିଲ୍‌ରୁ ସେପ୍ଟେମ୍ବର ଯାଏ ଏନ୍‌ପିଆର୍‌ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

ସମ୍ବନ୍ଧିତ ଖବର