ଗଣମାଧ୍ୟମର ସମସ୍ୟା ଦୂର କରିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି: ଅନୁରାଗ ସିଂହ ଠାକୁର

ଭାରତୀୟ ପ୍ରେସ ପରିଷଦ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ସ୍କୋପ ସମ୍ମିଳନୀ କେନ୍ଦ୍ରଠାରେ ବୁଧବାର ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ‘ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା’ ବିଷୟବସ୍ତୁକୁ ନେଇ ପ୍ରେସ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସାମ୍ବାଦିକତା ଆଚାର ମାପଦଣ୍ଡ ୨୦୨୨’କୁ ଉନ୍ମୋଚନ କରିଥିଲେ। ସମାରୋହରେ ଯୋଗ ଦେଇଥିବା ଅତିଥିମାନେ ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ। ଭାରତରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଉଥିବା ଗଣମାଧ୍ୟମର ମାନକୁ ସୁରକ୍ଷିତ ରଖିବା ଉପରେ ସେମାନେ ଗୁରୁତ୍ବାରୋପ କରିଥିଲେ।

ଉଦ୍‌ଘାଟନୀ ଅଧିବେଶନରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ, ଗଣମାଧ୍ୟମକୁ ଏକ ଶକ୍ତିଶାଳୀ ସ୍ବର ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭରେ ପରିଣତ କରିବାରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ଯୋଗଦାନକୁ ସ୍ମରଣ କରିବା ଲାଗି ଆଜିର ଦିନ ହେଉଛି ପ୍ରକୃଷ୍ଟ ଅବସର। ଜରୁରି ପରିସ୍ଥିତି ଭଳି କଳାଦିନ ଭାରତୀୟ ପ୍ରେସ ପରିଷଦର କ୍ଷମତାକୁ ସଙ୍କୁଚିତ କରି ଦେଇଥିଲା। କିନ୍ତୁ ଏଲ୍‌କେ ଆଡଭାନି ସୂଚନା ଓ ପ୍ରସାରଣ ମନ୍ତ୍ରୀ ହେବା ପରେ ଭାରତୀୟ ପ୍ରେସ ପରିଷଦର ପୁନରୁଦ୍ଧାର ହୋଇଥିଲା। ବଡ଼ ସହରରେ ଥିବା ସାମ୍ବାଦିକମାନେ ଛୋଟ ସହରମାନଙ୍କରେ ଥିବା ନିଜର ପ୍ରତିପକ୍ଷମାନଙ୍କୁ ସମ୍ମାନ ଜଣାଇବା ଉଚିତ। ସ୍ଥାନ ନୁହେଁ ବରଂ ଖବର ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ଶ୍ରୀ ଠାକୁର କହିଥିଲେ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଗଣମାଧ୍ୟମ ଆଗରେ ଦେଖା ଦେଉଥିବା ସମସ୍ୟା ଦୂର କରିବା ଲାଗି ସରକାର ଅନେକ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗାନ କହିଥିଲେ ଯେ, ଉଚ୍ଚମାନର ସାମ୍ବାଦିକତାକୁ ସୁନିଶ୍ଚିତ କରିବା, ଗଣମାଧ୍ୟମର ସ୍ବାଧୀନତା ଓ ଉତ୍ତରଦାୟିତ୍ବକୁ ବଜାୟ ରଖିବା ଦିଗରେ ଜାତୀୟ ପ୍ରେସ ପରିଷଦର ଉଲ୍ଲେଖନୀୟ ଭୂମିକା ରହିଛି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ସାମ୍ବାଦିକ ସ୍ବପନ ଦାସଗୁପ୍ତା କହିଥିଲେ ଯେ, ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦେଶରେ ସମଗ୍ର ଗଣମାଧ୍ୟମ ପରିଦୃଶ୍ୟକୁ ବଦଳାଇ ଦେଇଛି। ସାରା ବିଶ୍ବରେ ସମ୍ବାଦପତ୍ର ଏବଂ ଟେଲିଭିଜନ ଭଳି ମୁଖ୍ୟଧାରା ଗଣମାଧ୍ୟମର ପ୍ରଭାବ ୧୧% ହ୍ରାସ ପାଇଛି।

ସମ୍ବନ୍ଧିତ ଖବର