ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦୀର୍ଘ ୭୦ବର୍ଷ ଧରି ଚାଲି ଆସିଥିବା ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ରାୟ ଶୁଣାଣି କରିଛନ୍ତି। ଏହି ଶୁଣାଣି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାତ୍ର ୩୦ ମିନିଟ ମଧ୍ୟରେ ସର୍ବସମ୍ମତି କ୍ରମେ ରାୟ ଦେଇ ୭୦ ବର୍ଷର ବିବାଦର ପୂର୍ଣ୍ଣଛେଦ ଟାଣିଛନ୍ତି।
ଅଯୋଧ୍ୟାର ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ହେବ ଏବଂ ମସ୍ଜିଦ୍ ନିର୍ମାଣ ଲାଗି ଅନ୍ୟତ୍ର ୫ ଏକର ଜମି ଦିଆଯିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।
ତେବେ ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ଅନ୍ୟତମ ଚର୍ଚ୍ଚିତ ଅଙ୍ଗ ଥିଲେ ବର୍ଷିଆନ୍ ଓକିଲ କେ ପରାଶରନ୍ । କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ଦାୟିତ୍ୱ ତୁଲାଇ ସାରିଥିବା ଏହି ବରିଷ୍ଠ ଓକିଲ ୯୨ ବର୍ଷ ବୟସରେ ମଧ୍ୟ ଏହି ମାମଲା ଲଢ଼ୁଥିଲେ। ଅଯୋଧ୍ୟା ମାମଲାର ଶୁଣାଣି ସମୟରେ ଅତ୍ୟନ୍ତ ଚତୁରତାର ସହ ରଖିଥିବା ଯୁକ୍ତି ପାଇଁ ବହୁ ବରିଷ୍ଠ ଓକିଲ ପରାଶରନଙ୍କ ବୁଦ୍ଧିମତାକୁ ସମ୍ମାନ ଦିଅନ୍ତି।
ଚଳିତ ବର୍ଷ ପରାଶରନ୍ଙ୍କୁ ଅଯୋଧ୍ୟା ମାମଲାର ଶୁଣାଣି କରୁଥିବା ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ କହିଥିଲେ, ଆପଣ ବୟସ ଦୃଷ୍ଟିରୁ ଠିଆ ହୋଇ ଯୁକ୍ତି ରଖିବାରେ କାଳେ ସମସ୍ୟା ହେଉଥିବ, ତେଣୁ ଆପଣ ବସିକରି ଯୁକ୍ତି ରଖିପାରିବେ। ପରାଶରନ୍ ଏଥିରେ ରାଜି ନ ହୋଇ କହିଥିଲେ, ଠିଆ ହୋଇ ଯୁକ୍ତି ରଖିବା ବାରରେ ପରମ୍ପରା। ମୁଁ ଏହାକୁ ବଜାୟ ରଖିବି।
୨୦୦୩ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ପଦ୍ମଭୂଷଣରେ ଏବଂ ମନମୋହନ ସିଂହଙ୍କ ସରକାର ସମୟରେ ୨୦୦୩ ମସିହାରେ ତାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା।
ତେବେ ୧୯୨୭ ମସିହାରେ ତାମିଲନାଡ଼ୁର ଶ୍ରୀରଙ୍ଗମ୍ଠାରେ ଜନ୍ମ ନେଇଥିବା ପରାଶରନ୍ଙ୍କ ବାପା ମଧ୍ୟ ଜଣେ ଓକିଲ ଥିଲେ। ୧୯୫୮ରେ ସେ ଓକିଲ ବୃତ୍ତି ଆରମ୍ଭ କରି ୧୯୭୬ ମସିହାରେ ତାମିଲନାଡ଼ୁ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଦାୟିତ୍ୱ ନେଇଥିଲେ। ପ୍ରଥମେ ଭାରତ ସରକାରଙ୍କ ସଲିସିଟର ଜେନେରାଲ ଏବଂ ପରେ ଆଟର୍ଣ୍ଣି ଜେନେରାଲର ଦାୟିତ୍ୱ ତୁଲାଇଥିଲେ ପରାଶରନ୍।