ହଂକଂରେ ଜାତୀୟ ନିରାପତ୍ତା ଆଇନ ପ୍ରସଙ୍ଗ: ଚୀନର ପ୍ରବଳ ବିରୋଧ

ନିରାପତ୍ତା ପରିଷଦରେ ଆଲୋଚନା ପାଇଁ ଆମେରିକାର ପ୍ରସ୍ତାବ

ବେଜିଂ/ୱାସିଂଟନ: ହଂକଂ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ହଂକଂରେ ଚାଲିଥିବା ଆନ୍ଦୋଳନକୁ ଦବାଇବା ପାଇଁ ଚୀନ୍ ସରକାର ଜାତୀୟ ନିରାପତ୍ତା ଆଇନ ପ୍ରଣୟନ କରିଛନ୍ତି। ହଂକଂରେ ଏହି ନୂଆ ଆଇନ ଲାଗୁ କରାଯିବା ପ୍ରସଙ୍ଗରେ ଆଲୋଚନା ପାଇଁ ଜାତିସଂଘର ନିରାପତ୍ତା ପରିଷଦ ବୈଠକ ଡାକିବାକୁ ଆମେରିକା ପ୍ରସ୍ତାବ ଦେଇଛି। କିନ୍ତୁ ଆମେରିକାର ଏହି ପ୍ରସ୍ତାବକୁ ଚୀନ୍ ଘୋର ବିରୋଧ କରିଛି। ଜାତିସଂଘରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ଝାଙ୍ଗ୍ ଜୁନ୍ କହିଛନ୍ତି, ତାଙ୍କ ଦେଶ ଏଭଳି ଅମୂଳକ ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରୁଛି।

ହଂକ‌ଂରେ ଜାତୀୟ ନିରାପତ୍ତା ନିୟମ ଲାଗୁ ସଂପୂର୍ଣ୍ଣ ଭାବେ ଚୀନର ଆଭ୍ୟନ୍ତରୀଣ ବିଷୟ ବୋଲି ସେ କହିଛନ୍ତି। ରୁଷ୍‌ ମଧ୍ୟ ଚୀନ ସମର୍ଥନରେ ବାହାରିଛି। ଜାତିସଂଘରେ ରୁଷ୍‌ର ରାଷ୍ଟ୍ରଦୂତ ଥିବା ଡିମିଟ୍ରି ପୋଲିଆନସ୍କି କହିଛନ୍ତି, କୌଣସି ସଦସ୍ୟ ରାଷ୍ଟ୍ରର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ଆମେ ଆଦୌ ଆଲୋଚନା କରୁନା। ଏହି ବିଷୟକୁ ଆଲୋଚନା କଲେ ଅନେକ ସମସ୍ୟା ଦେଖାଦେବ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର କ୍ଷତି ଏହା କରିବ। ଅନ୍ୟପକ୍ଷରେ ଆମେରିକାର ‌ପରରାଷ୍ଟ୍ର ସଚିବ ଜାତିସଂଘର ଅନ୍ୟତମ ସ୍ଥାୟୀ ସଦସ୍ୟ ବ୍ରିଟେନ୍‌ ପ୍ରତିପକ୍ଷଙ୍କ ସହ ଏହି ବିଷୟରେ ଆଲୋଚନା କରିଛନ୍ତି। ଆମେରିକା ପ୍ରଶାସନ ପକ୍ଷରୁ ଏ ସଂପର୍କରେ ଏକ ବିବୃତି ଜାରି କରାଯାଇଛି। ହଂକଂକୁ ଅନ୍ତର୍ଜାତୀୟ ସମୁଦାୟ ନିଶ୍ଚିତଭାବେ ସମର୍ଥନ କରିବା ଆବଶ୍ୟକ ଓ ହଂକଂର ସ୍ବାୟତ୍ତତା କ୍ଷୁଣ୍ଣ ହେବା ଭଳି ବେଜିଂର କୌଣସି ପ୍ରକାର କାର୍ଯ୍ୟର ଜବାବ ଦିଆଯିବା ଆବଶ୍ୟକ ବୋଲି ଦୁଇ ଦେଶ ରାଜିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର