ନୂଆଦିଲ୍ଲୀ: ଦିଲ୍ଲୀରେ ଆଜିଠାରୁ ଦୁଇ ଦିନିଆ ଜାତୀୟ ସୁରକ୍ଷା ରଣନୀତି (ଏନ୍‌ଏସ୍‌ଏସ୍‌) ସମ୍ମିଳନୀ-୨୦୨୩ ଆରମ୍ଭ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ଦେଶବ୍ୟାପୀ ମୋଟ ୭୫୦ ଜଣ ଅଧିକାରୀ ଉଭୟ ପ୍ରତ୍ୟକ୍ଷ ଏବଂ ଭର୍ଚୁଆଲ ମାଧ୍ୟମରେ ଏଥିରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ ସମ୍ମିଳନୀରେ ଶାହଙ୍କ ସହିତ ଦୁଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ, ଗୃହ ସଚିବ, ‌ଡେପୁଟି ଏନ୍‌ଏସ୍‌ଏ, ସବୁ ରାଜ୍ୟର ପୁଲିସ ଡିଜି ଏବଂ ଆଇଜି ଆଦି ଯୋଗ ଦେଇଛନ୍ତି। ସମ୍ମିଳନୀ ଆରମ୍ଭ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସହିଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଦାୟିତ୍ବରେ ଥାଇ ଅଜ୍ଞାତ ସହିଦଙ୍କ ସ୍ମୃ୍ତିରେ ଏହି ସ୍ତମ୍ଭ ସ୍ଥାପନ ହୋଇଛି।

Advertisment

ପ୍ରଥମ ଦିନରେ ଜାତୀୟ ସୁରକ୍ଷା ସହିତ ଆତଙ୍କବାଦ ଏବଂ ନିଶା କାରବାର ସଂପର୍କିତ ଅର୍ଥ ଯୋଗାଣ, ଫରେନସିକ୍ ସାଇନ୍ସ ତଦନ୍ତ, ସାମାଜିକ ଆହ୍ବାନ, ନ୍ୟୁକ୍ଲିୟର ଏବଂ ରେଡିଓଲଜିକାଲ ଜରୁରୀକାଳୀନ ପରସ୍ଥିତି ସଂପର୍କରେ ଜରୁରୀ ପ୍ରସ୍ତୁତି ଏବଂ ସାଇବର ସୁରକ୍ଷା ଢାଞ୍ଚା ଉପରେ ଆଲୋଚନା ହୋଇଥିଲା। ଆଭ୍ୟନ୍ତରୀଣ ଶାନ୍ତି ଶୃଙ୍ଖଳା ରକ୍ଷାରେ ଜିଲ୍ଲାସ୍ତରୀୟ ପୁଲିସ ଅଧିକାରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋଚନା ହୋଇଥିଲା। ତଦନ୍ତରେ ବୈଜ୍ଞାନିକ ଉପକରଣର ଉପଯୋଗିତା ବଢ଼ାଇବା ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ। ଶୁକ୍ରବାର ଉଦ୍‌ଯାପନୀ ଉତ୍ସବରେ ମଧ୍ୟ ଗୃହମନ୍ତ୍ରୀ ଶ୍ରୀ ଶାହ ଉଦ୍‌ବୋଧନ ଦେବେ।