ଜାତୀୟ ସୁରକ୍ଷା ପ୍ରତି ‘ଆଧାର’ ବିପଦ: ସୁବ୍ରମଣ୍ୟମ୍‌

ନୂଆଦିଲ୍ଲୀ : ଆଧାର କାର୍ଡକୁ ବାଧ୍ୟତାମୂଳକ କରାଇବା ଦେଶର ସୁରକ୍ଷା ପ୍ରତି ବିପଦ ଆଣିବ ବୋଲି  ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ ସତର୍କ କରାଇଦେଇଛନ୍ତି। ଏହାର ପୁନର୍ବିଚାର କରିବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିବେ ବୋଲି କହିଛନ୍ତି। ସେହିପରି ଏ ପ୍ରସଙ୍ଗରେ ମାନ୍ୟବର ସୁପ୍ରିମ କୋର୍ଟ ମଧ୍ୟ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବେ ବୋଲି ସ୍ୱାମୀ ଆଶା ରଖିଛନ୍ତି।
ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଉପଲବ୍ଧି ପାଇଁ କେନ୍ଦ୍ର ସରକାର ଆଧାର କାର୍ଡକୁ ବାଧ୍ୟତାମୂଳକ କରିବାକୁ ବିରୋଧ କରି ଅନେକ ମାଲା ଆଗତ ହୋଇଛି। ତେବେ ସେଗୁଡ଼ିକର ଶୁଣାଣି ଏକ ସାମ୍ବିଧାନିକ ଖଣ୍ଡପୀଠ କରିବେ ବୋଲି ସୋମବାର ସୁପ୍ରିମ କୋର୍ଟ ସ୍ପଷ୍ଟ କରିଛନ୍ତି। ଏକ ପାଞ୍ଚଜଣିଆ ଖଣ୍ଡପୀଠ ନଭେମ୍ବର ଶେଷ ସପ୍ତାହରେ ଏ ସଂକ୍ରାନ୍ତ ଶୁଣାଣି କରିବେ। ତେବେ ଆଧାର କାର୍ଡର ବ୍ୟବହାର ଉପରେ ଆଜି ସୁବ୍ରମଣ୍ୟମ୍‌ ସ୍ୱାମୀ ପୁଣି ପ୍ରଶ୍ନ ଉଠାଇଛନ୍ତି। ଏପରିକି ଏହା କିପରି ଜାତୀୟ ସୁରକ୍ଷା ପ୍ରତି ବିପଜ୍ଜନକ ସେ ସମ୍ପର୍କରେ ସେ ବିଶଦ ଭାବେ ମୋଦିଙ୍କୁ ଲେଖି ଜଣାଇବେ ବୋଲି କହିଛନ୍ତି।

ଏହା ବିଦେଶୀ ସଂସ୍ଥା ଦ୍ୱାରା ସହଜରେ ଅପବ୍ୟବହାର କରାଯାଇପାରିବ ବୋଲି ମଧ୍ୟ ସ୍ୱାମୀ ପୂର୍ବରୁ ଆଶଙ୍କା ପ୍ରକଟ କରିଥିଲେ। ତାଙ୍କ କହିବା କଥା, ଆଧାର ପ୍ରଣାଳୀର କାର୍ଯ୍ୟାନ୍ଵୟନ ପାଇଁ ଏକ ଆମେରିକୀୟ କମ୍ପାନି ଆବଶ୍ୟକ ସଫେ୍‌ଓ୍ଵର୍‌ ବିକଶିତ କରିବେ ବୋଲି ସରକାର ନେଇଥିବା ନିଷ୍ପତ୍ତି ଠିକ୍‌ ନୁହେଁ। କାରଣ ଏହା ଦ୍ୱାରା ଆଧାର ଜନିତ ତଥ୍ୟର ଗୋପନୀୟତା ରହିବନି ବୋଲି ସେ ପୂର୍ବରୁ ସତର୍କ କରାଇଦେଇଥିଲେ। ତେବେ ମାନ୍ୟବର ଖଣ୍ଡପୀଠ ଏ ଦିଗରେ ଉତ୍କଷ୍ଟ ନିର୍ଯ୍ୟାସ ବାହାର କରିବେ ବୋଲି ସ୍ୱାମୀ ଆଶାବାଦୀ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର