ନିଯୁକ୍ତି ତଥ୍ୟ ଚାପୁଛନ୍ତି କେନ୍ଦ୍ର ସରକାର!

ଏବେ ପରିସଂଖ୍ୟାନ କମିସନ୍‌ରେ ବିଦ୍ରୋହ, ଇସ୍ତଫା ଦେଲେ ଅଧ୍ୟକ୍ଷ ଓ ସଦସ୍ୟ

ନୂଆଦିଲ୍ଲୀ : ପ୍ରଥମେ ରିଜର୍ଭ ବ୍ୟାଙ୍କ, ପରେ ସିବିଆଇ ଏବଂ ଏବେ ଜାତୀୟ ପରିସଂଖ୍ୟାନ କମିସନ (ନେସନାଲ ଷ୍ଟ‌ାଟିସଟିକ୍ସ କମିସନ)। ସରକାରୀ ହସ୍ତକ୍ଷେପ ଏବଂ ଏହାକୁ ଗୁରୁତ୍ବ ନଦେବା ଅଭିଯୋଗକୁ ନେଇ ଏବେ ଚର୍ଚାରେ ଜାତୀୟ ପରିସଂଖ୍ୟାନ କମିସନ। ଏହି କାରଣରୁ ଏହାର ଅଧ୍ୟକ୍ଷ ପିସି ମୋହନନ ଏବଂ ସଭ୍ୟ ପ୍ରଫେସର ଜେଭି ମୀନାକ୍ଷି କମିସନରୁ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ବଡ଼ ଧରଣର ବିବାଦ ମୁଣ୍ଡ ଟେକିଛି। ନିଯୁକ୍ତି ସଂପର୍କରେ ତଥ୍ୟ ଚାପି‌ବା ଲାଗି ସରକାର ଉଦ୍ୟମ ଚଳାଇଛନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଅନ୍ୟପକ୍ଷରେ ସରକାର ଏହାକୁ ଖଣ୍ଡନ କରିବା ସହିତ ସଫେଇ ଦେଇଛନ୍ତି ଯେ ତଥ୍ୟ ପ୍ରକାଶନ ଲାଗି ପ୍ରକ୍ରିୟା ଚାଲିଛି।

କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ନିଯୁକ୍ତିକୁ ନେଇ ଗତକିଛି ଦିନ ଧରି ବିବାଦ ଲାଗି ରହିଛି। ପୂର୍ବ ସରକାର ତୁଳନାରେ ମୋଦୀ ସରକାର ସମୟରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଛି ବୋଲି ସରକାର କହୁଛନ୍ତି। କିନ୍ତୁ ବିରୋଧୀ ଅଭିଯୋଗ କରିଛନ୍ତି ଯେ ଗତବର୍ଷ ୧୧ ନିୟୁତ ଲୋକ ଚାକିରି ହରାଇଛନ୍ତି। ଏଭଳି ବିବାଦ ମଧ୍ୟରେ କମିସନ ଅଧ୍ୟକ୍ଷ ଓ ଅନ୍ୟ ଜଣେ ସଭ୍ୟଙ୍କ ଅଚାନକ ଇସ୍ତଫା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ସେମାନେ ମଧ୍ୟ ଗୁରୁତର ଅଭିଯୋଗ କରିଛନ୍ତି।

ସେମା‌େନ ଅଭିଯୋଗ କରିଛନ୍ତି ଯେ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ନିଯୁକ୍ତି ଓ ନିୟୋଜନକୁ ନେଇ କମିସନ୍ ଯେଉଁ ରିପୋର୍ଟ ପ୍ରସ୍ତୁତ କକରିଥିଲା ତାହାକୁ ସରକାର ଚାପି ଦେଇଛନ୍ତି। ରିପୋର୍ଟକୁ କମିସନ ମଞ୍ଜୁର କରିଥିଲେ ମଧ୍ୟ ଜାଣିଶୁଣି ସରକାର ତାହାକୁ ସାର୍ବଜନୀନ କରୁନାହାନ୍ତି। ଏହାଛଡ଼ା ସରକାର କମିସନକୁ ଆଦୌ ଗୁରୁତ୍ବ ଦେଉ ନାହାନ୍ତି। ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ କମିସନକୁ ସାମିଲ କରାଯାଉନାହିଁ। କମିସନର ବିନା ଅନୁମୋଦନରେ ଅର୍ଥନୈତିକ ଗଣନା ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପିଛିଲା ବର୍ଷଗୁଡ଼ିକର ଜିଡିପିର ସଂଶୋଧିତ ତଥ୍ୟ (ବ୍ୟାକ୍ ସିରିଜ୍ ଡାଟା) ଜାରି କରିବାରେ ନିତି ଆୟୋଗର ସଂପୃକ୍ତିକୁ ନେଇ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି।

ଏହି ମାମଲାରେ କଂଗ୍ରେସ ପକ୍ଷରୁ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ଆଉ ଏକ ଅନୁଷ୍ଠାନକୁ ମୋଦୀ ସରକାର ଧ୍ବଂସ କରିଦେଲେ ବୋଲି କଂଗ୍ରେସ ଅଭିଯୋଗ କରିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ କହିଛନ୍ତି ଯେ, ଜାତୀୟ ପରିସଂଖ୍ୟାନ କମିସନର ମୃତ୍ୟୁରେ ଆମେ ଶୋକ ପ୍ରକାଶ କରୁଛୁ। ଦାଗହୀନ ଜିଡିପି ଓ ନିଯୁକ୍ତି ତଥ୍ୟ ଜାରି କରିବାରେ ଏହାର ଅବଦାନ ମନେ ରହିବ। ସବୁ ଅଣ ସରକାରୀ ସଦସ୍ୟ ଇସ୍ତଫା ଦେବା ପରେ କମିସନର ମୃତ୍ୟୁ ହୋଇଛି ବୋଲି କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ୍‌ କହିଛନ୍ତି।

ତେବେ ଇସ୍ତଫା ଦେଇଥିବା ଦୁଇ ସଦସ୍ୟଙ୍କ ସହିତ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ କଥାବାର୍ତା ଆରମ୍ଭ କରାଯାଇଛି। ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରାଯାଉଛି ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେ ସଫେଇ ଦେଇଛନ୍ତି ‌େଯ ନିଯୁକ୍ତି ସମ୍ପର୍କିତ ତଥ୍ୟର ପ୍ରକ୍ରିୟାକରଣ ଚାଲିଛି ଓ ଖୁବ୍‌ଶୀଘ୍ର ଏହି ରିପୋର୍ଟ ସାର୍ବଜନୀନ କରାଯିବ। ଇସ୍ତଫା ଦେଇଥିବା ଦୁଇ ସଦସ୍ୟ ପୂର୍ବରୁ କେବେବି ଏଭଳି ଅଭିଯୋଗ କରିନଥିଲେ। କୌଣସି ତଥ୍ୟକୁ ଚପାଇବାର ପ୍ରଶ୍ନ ଉଠୁନାହିଁ ‌େବାଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ପରିସଂଖ୍ୟାନ କମିସନରେ ସାତ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି। ପୂର୍ବରୁ କିଛି ଅଣ ସରକାରୀ ସଦସ୍ୟ ଇସ୍ତଫା ଦେଇଥିଲେ। ଆଜି ଅନ୍ୟ ଦୁଇ ଜଣ ସଦସ୍ୟ ଇସ୍ତଫା ପ୍ରଦାନ କରିବା ପରେ କମିସନରେ ଏବେ ଆଉ ମାତ୍ର ଦୁଇ ଜଣ ସଦସ୍ୟ ରହିଯାଇଛନ୍ତି। ସେମାନେ ହେଉଛନ୍ତି ମୁଖ୍ୟ ପରିସଂଖ୍ୟାନବିତ୍ ପ୍ରବୀଣ ଶ୍ରୀବାସ୍ତବ ଓ ନିତି ଆୟୋଗର ସିଇଓ ଅମିତାଭ କାନ୍ତ। ‌ଏହି ଦୁଇ ଜଣ ହେଉଛନ୍ତି ସରକାରଙ୍କ ପ୍ରତିନିଧି।

ସମ୍ବନ୍ଧିତ ଖବର