‘ଭାରତ ମାତାକୀ ଜୟ’ ସ୍ଲୋଗାନର ଅପବ୍ୟବହାର କରାଯାଉଛି : ମନମୋହନ ସିଂହ

ନୂଆଦିଲ୍ଲୀ:  ‘ଭାରତ ମାତା କୀ ଜୟ’ ସ୍ଲୋଗାନକୁ ଅପବ୍ୟବହାର କରାଯାଇ  ଭାରତର ଏକ ଉଗ୍ରବାଦୀ ଭାବମୂର୍ତ୍ତି ସୃଷ୍ଟି କରାଯାଉଛି। କେବଳ ସେତିକି ନୁହେଁ, ଏହା ଦ୍ବାରା ମୁଖ୍ୟସ୍ରୋତରୁ କୋଟି କୋଟି ଲୋକଙ୍କୁ ଅଲଗା କରିଦିଆଯାଉଛି ବୋଲି ଶନିବାର ମନ୍ତବ୍ୟ ରଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ।  ବିଜେପିକୁ ଇଙ୍ଗିତ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ସିଂଙ୍କ ଏହି  କଡ଼ା ମନ୍ତବ୍ୟ ଏବେ ଚର୍ଚ୍ଚାର ପରିସରକୁ ଆସିଛି।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଉପରେ ଲିଖିତ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ  ଡ.ମ‌ନମ‌ୋହନ ସିଂହ କହିଛନ୍ତି, ‘ଯଦି ଭାରତକୁ ଆଜି ଏକ ବିଶାଳ  ଲୋକତନ୍ତ୍ର ଭାବେ ଗ୍ରହଣ କରାଯାଉଛି, ଏହାକୁ ବିଶ୍ବର ଏକ ମହତ୍ବପୂର୍ଣ୍ଣ ଶକ୍ତି ଭାବେ ବିବେଚନା କରାଯାଉଛି । ତେବେ ଏହାର ଶ୍ରେୟ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କୁ ଯାଏ, କାରଣ ସେ ହେଉଛନ୍ତି ଭାରତର ନିର୍ମାତା।’

ସେ ଆହୁରି ବି କହିଛନ୍ତି ଯେ, ‘ଦେଶ ଯେତେବେଳେ ଅସ୍ଥିର ଅବସ୍ଥାରେ ଥିଲା ସେ ସମୟରେ ଜବାହରଲାଲ ନ‌େହେରୁ ଦେଶର ନେତୃତ୍ବ ନେଇଥିଲେ। ସେ ସେହି ସମୟରେ  ପରସ୍ପର ବିରୋଧୀ ରାଜନୈତିକ ଓ ସାମାଜିକ ଚିନ୍ତାଧାରାକୁ ଗ୍ରହଣ କରି ଗଣତାନ୍ତ୍ରିକ ଧାରାର ପ୍ରତିଷ୍ଠା କରିଥିଲେ। ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କର ଭାରତର ଐତିହ୍ୟକୁ ନେଇ ବେଶ ଗର୍ବ ଥିଲା। ସେ ତାହାକୁ ବ୍ୟବହାର କରି ଏକ ନୂଆ ଆଧୁନିକ ଭାରତ ଗଠନ କରିବାରେ ସମର୍ଥ ହୋଇଥିଲେ।’

ନେହେରୁଙ୍କ ରଚନାବଳୀ ଓ ଭାଷଣ ଉପରେ ଲେଖାଯାଇଥିବା ପୁସ୍ତକ ‘ହୁ ଇଜ୍‌ ଭାରତ ମାତା’କୁ ଲେଖିଛନ୍ତି ପୁରୁ‌ଷୋତ୍ତମ ଅଗ୍ରୱାଲ୍‌ ଏବଂ ରାଧା କ୍ରିଷ୍ଣା। ପୁସ୍ତକଟିରେ ନେହେରୁଙ୍କ ଜୀବନୀ ବ୍ୟତୀତ ଭାରତର ଐତିହ୍ୟ, ସ୍ବାଧୀନତ ପୂର୍ବର ନେହେରୁଙ୍କ ବକୃତା ଆଦି ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର