ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନରେ ବିଶୃଙ୍ଖଳ ଆଚରଣ ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାର ୧୪୬ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିବାରୁ ଏହାର ଦେଶବ୍ୟାପୀ ପ୍ରତିବାଦ ଆଜି ବିରୋଧୀ ଇଣ୍ଡିଆ ମେଣ୍ଟ ପକ୍ଷରୁ କରାଯାଇଛି। ଜନ୍ତରମନ୍ତରଠାରେ ଇଣ୍ଡିଆ ମେଣ୍ଟର ବରିଷ୍ଠ ନେତାମାନେ ଏ ନେଇ ପ୍ରତିବାଦରେ ଏଜଜୁଟ ହୋଇ ‘ଗଣତନ୍ତ୍ର ବଞ୍ଚାଅ’ ଆହ୍ବାନ ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସଭାପତି ରାହୁଲ ଗାନ୍ଧି, ଏନ୍ସିପି ମୁଖ୍ୟ ଶରଦ ପାୱାର, ସିପିଏମ୍ର ସୀତାରାମ ୟେଚୁରୀ ଓ ଅନ୍ୟ ବରିଷ୍ଠ ନେତାମାନେ ଜନ୍ତରମନ୍ତରଠାରେ ଆୟୋଜିତ ଆନ୍ଦୋଳନରେ ଯୋଗଦେଇ ମୋଦୀ ସରକାର ଉପରେ ବର୍ଷିଛନ୍ତି।
ଏନ୍ଡିଏ ସରକାର ଗଣତନ୍ତ୍ର ପାଇଁ ବିପଦ: ଖଡ଼ଗେ
ସରକାର ୬୦% ଲୋକଙ୍କ ସ୍ବର ଚାପି ଦେଇଛନ୍ତି: ରାହୁଲ
କଂଗ୍ରେସ ସଭାପତି ଶ୍ରୀ ଖଡ଼ଗେ ତାଙ୍କ ବକ୍ତବ୍ୟରେ କହିଛନ୍ତି ବର୍ତ୍ତମାନର ସରକାର ଅଧୀନରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଛି। ବିରୋଧୀଙ୍କୁ ଏକାଠି ହେବା ପାଇଁ ସେ ଆହ୍ବାନ ଦେଇଛନ୍ତି। ଯେତେବେଳେ ସମସ୍ତେ ଏକାଠି ହେବେ ସେତେବେଳେ ନରେନ୍ଦ୍ର ମୋଦୀ ସରକାର କିଛି କରିବାକୁ ସମର୍ଥ ହେବେ ନାହିଁ। ଆମକୁ ମୋଡି ମକଚି ଦେବା ପାଇଁ ତୁମେ ଯେତେ ପ୍ରୟାସ କରିବ ଆମେ ସେତେ ଅଧିକ ଉପରକୁ ଯିବୁ। ଦେଶ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମେ ଏକାଠି ଲଢ଼ୁଛୁ ବୋଲି ସେ କହିଛନ୍ତି। ରାହୁଲ ମଧ୍ୟ ସମାନ ଧରଣର ମତ ପୋଷଣ କରିଛନ୍ତି। ସଂସଦରୁ ୧୪୬ ସାଂସଦଙ୍କ ନିଲମ୍ବନ କରି ସରକାର ୬୦ ପ୍ରତିଶତ ଭାରତୀୟଙ୍କ ସ୍ବରକୁ ଚାପି ଦେଇଛନ୍ତି ବୋଲି ସେ କହିଛନ୍ତି।
ନିଲମ୍ବିତ ସାଂସଦ ଶଶୀ ଥରୁର କହିଥିଲେ, ଲୋକମାନେ ଜାଣିବା ଉଚିତ ଯେ ଗଣତନ୍ତ୍ର ବିପଦରେ ରହିଛି। ସମାଧାନ କେବଳ ଗୋଟିଏ ରହିଛି। ତାହାହେଲା ଏହି ସରକାରକୁ ବଦଳାଇ ଇଣ୍ଡିଆ ମେଣ୍ଟକୁ କ୍ଷମତାକୁ ଆଣିବା ବୋଲି ସେ ମତ ଦେଇଛନ୍ତି। ଆନ୍ଦୋଳନ ସ୍ଥଳରେ ନିଲମ୍ବିତ ସାଂସଦମାନେ ମଧ୍ୟ ଉପସ୍ଥିତ ଥିଲେ। ଅଧିକନ୍ତୁ କଂଗ୍ରେସ ଦଳ ପକ୍ଷରୁ ଦେଶର ସବୁ ଜିଲ୍ଲା ମୁଖ୍ୟାଳୟରେ ଏ ନେଇ ପ୍ରତିବାଦ କରାଯାଇଛି। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧୩ ତାରିଖରେ ସଂସଦର ସୁରକ୍ଷା ଭଙ୍ଗ ମାମଲାରେ ଗୃହମନ୍ତ୍ରୀଙ୍କ ବିବୃତି ଦାବି କରି ବିରୋଧୀ ସାଂସଦମାନେ ହଟ୍ଟଗୋଳ କରିବାରୁ ପର୍ଯ୍ୟାୟକ୍ରମେ ୧୪୬ ସାଂସଦଙ୍କୁ ନିଲମ୍ବନ କରାଯାଇଛି।