ଦେଶବ୍ୟାପୀ କଂଗ୍ରେସର ଆନ୍ଦୋଳନ: ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ, ଟ୍ରେନ୍‌ ଅଟକାଇଲେ

ନୂଆଦିଲ୍ଳୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭା ସାଂସଦ ଭାବେ ଅଯୋଗ୍ୟ ଘୋଷିତ ହେବାର ଦିନକ ପରେ ଦଳୀୟ କର୍ମୀମାନେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ କରିଛନ୍ତି। ଅଯୋଗ୍ୟ ଘୋଷିତ ହେବା ପର୍ଯ୍ୟନ୍ତ ରାହୁଲ ୱାୟନାଡ଼ରୁ ଲୋକସଭା ସାଂସଦ ଥ‌ିଲେ। ତେଣୁ ୱାୟନାଡ଼ରେ କଂଗ୍ରେସ କର୍ମୀମାନେ ଶନିବାର ଦିନ କଳା ଦିବସ ପାଳନ କରିଛନ୍ତି। ଦଳୀୟ କର୍ମୀମାନେ ଆଜି ପୁଲିସ ବ୍ୟାରିକେଡ୍‌ ଭାଙ୍ଗିବା ଓ ସରକାରୀ ସମ୍ପତ୍ତି ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ‌ଏଥିପାଇଁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକ ରଖିଛି। ଦିଲ୍ଲୀରେ ଭାରତୀୟ ଯୁବ କଂଗ୍ରେସର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବହୁ କର୍ମୀ ରାହୁଲ ଗାନ୍ଧିଙ୍କ ମୁଖା ପିନ୍ଧି ଏବଂ ‘ଡରୋ ମତ୍‌’ ପ୍ଲାକାର୍ଡ ଧରି ଆନ୍ଦୋଳନରେ ସାମିଲ ହୋଇଥିଲେ।

ଚଣ୍ଡିଗଡ଼ ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ଚଣ୍ଡିଗଡ଼ ରେଳ ଷ୍ଟେସନ୍‌ରେ ଶନିବାର ଦିନ ରେଳ ରୋକ ଆନ୍ଦୋଳନ କରାଯାଇଛି। କଂଗ୍ରେସ କର୍ମୀମାନେ ଶନିବାର ଦିନ ଆନ୍ଦୋଳନ କରି ନୂଆଦିଲ୍ଲୀ-ଚଣ୍ଡିଗଡ଼ ଶତାବ୍ଦୀ ଟ୍ରେନ୍‌ ଅଟକାଇଥିଲେ। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରକ୍ରିୟା ଦେଖିବାକୁ ମିଳିଥିଲା।

ଭୋପାଳରେ ମଧ୍ୟ କଂଗ୍ରେସ ସଦସ୍ୟମାନେ ରାହୁଲଙ୍କ ଦଣ୍ଡାଦେଶ ଓ ସଦସ୍ୟତା ରଦ୍ଦ ବିରୋଧରେ ଆନ୍ଦୋଳନ କରିଥିଲେ। ସେମାନେ ପାଟିରେ ପଟି ବାନ୍ଧି ଆନ୍ଦୋଳନ କରିଥିଲେ। ତେଲେଙ୍ଗାନାର ହାଇଦ୍ରାବାଦରେ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରି ସରକାର ବିରୋଧରେ ସ୍ଲୋଗାନ୍‌ ଦେଇଛନ୍ତି। କେତେକ କର୍ମୀ ଆନ୍ଦୋଳନକୁ ଉଗ୍ର ରୂପ ଦେବାକୁ ପ୍ରୟାସ କରିବାରୁ ପୁଲିସ ସେମାନଙ୍କୁ ଅଟକ ରଖିଥି‌ଲା। ଝାଡ଼ଖଣ୍ଡରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ରାହୁଲ ‌ଗାନ୍ଧିଙ୍କ ଲୋକପ୍ରିୟତା ଦେଖି ବିଜେପି ଭୟ କରୁଛି ବୋଲି ସେମାନେ ଦାବି କରିଛନ୍ତି। ସେହିପରି ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ମେଣ୍ଟର ସଦସ୍ୟମାନେ ରାହୁଲଙ୍କ ସଦସ୍ୟତା ରଦ୍ଦ ବିରୋଧରେ ରାଜ୍ୟ ବିଧାନସଭା ବାହାରେ ଆନ୍ଦୋଳନ କରିଛନ୍ତି।

ସମ୍ବନ୍ଧିତ ଖବର