ନୂଆଦିଲ୍ଲୀ : ଦେଶରେ ଏବେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ବିଗତ ୭ ଦିନ ମଧ୍ୟରେ ସଂକ୍ରମଣ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି ଏବଂ ଏହି ସମୟ ଭିତରେ ପ୍ରାୟ ୪ ଲକ୍ଷ ୬୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଦେଶବ୍ୟାପୀ ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ କଟକଣା ଅଧିକ କଡ଼ାକଡ଼ି ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧,୪୬୬ ନୂଆ ମାମଲା ଚିହ୍ନଟ ହୋଇଛି। ୬ ମାସରେ ଏହା ସର୍ବାଧିକ। ଗତବର୍ଷ ଅକ୍ଟୋବର ୨ରେ ଶେଷ ଥର ପାଇଁ ଦେଶରେ ସଂକ୍ରମଣ ମାମଲା ୮୧,୪୮୪ ଥିଲା। ଆଜିର ମାମଲା ସହ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୨୩, ୦୩,୧୩୧ରେ ପହଞ୍ଚିଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୧,୬୩,୩୯୬କୁ ବୃଦ୍ଧି ପାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୪୬୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଲଗାତାର ୨୩ ଦିନ ଧରି ସକ୍ରିୟ ମାମଲା ବଢ଼ୁଥିବାରୁ ଆଜି ଏହା ୬ ଲକ୍ଷ ଟପିଯାଇଛି। ମୋଟ୍ ସକ୍ରିୟ ମାମଲା ୬,୧୪,୬୯୬ରେ ପହଞ୍ଚିଛି।
ଏହା ମୋଟ୍ ସଂକ୍ରମଣ ମାମଲାର ୫ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୩.୬୭ ପ୍ରତିଶତକୁ ହ୍ରାସ ପାଇଛି। ତେବେ ସକ୍ରିୟ ମାମଲା ୫ ଲକ୍ଷରୁ ୬ ଲକ୍ଷ ହେବାପାଇଁ ମାତ୍ର ୪ ଦିନ ଲାଗିଛି। ମାର୍ଚ୍ଚ ଶେଷ ସପ୍ତାହର କରୋନା ମୃତ୍ୟୁକୁ ଯଦି ସେପ୍ଟେମ୍ବର ଶେଷ ସପ୍ତାହ ସହ ତୁଳନା କରାଯାଏ ତେବେ ମୃତ୍ୟୁହାର ଏବେ କମ୍ ରହିଛି। ଏପ୍ରିଲ୍ ୧ରେ କରୋନା ମୃତ୍ୟୁ ୪୬୮ ଥିବାବେଳେ ଗତ ଅକ୍ଟୋବର ୧ରେ ଏହା ୧,୧୦୨ ଥିଲା। ମହାରାଷ୍ଟ୍ରରେ ଲଗାତାର ସଂକ୍ରମଣ ବଢ଼ୁଛି। ମହାରାଷ୍ଟ୍ରରେ ଗତକାଲି ୨୪୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ନଭେମ୍ବର ୫ରେ ଶେଷ ଥର ପାଇଁ ମହାରାଷ୍ଟ୍ରରେ ୨୫୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ଚଳିତ ମାର୍ଚ୍ଚରେ ଦେଶରେ କୋଭିଡ୍ ବୃଦ୍ଧି ହାର ୬.୮ ପ୍ରତିଶତ ରହିଥିବା ବେଳେ ଗତ ଜୁନ୍ ୨୦୨୦ରେ ଥିବା ପୂର୍ବ ରେକର୍ଡ ୫.୫ ପ୍ରତିଶତକୁ ଏହା ଟପିଯାଇଛି। ସଂକ୍ରମଣ ବଢ଼ିବାରୁ ରାଜ୍ୟମାନଙ୍କୁ ଆର୍ଟିପିସିଆର ଟେଷ୍ଟ୍ ଉପରେ ଫୋକସ୍ କରିବାକୁ କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/corona-in-india.jpg)