ନୂଆଦିଲ୍ଲୀ: ଆସନ୍ତାକାଲି ହେବାକୁ ଥିବା ଦେଶବ୍ୟାପୀ ସୁରକ୍ଷା ପ୍ରସ୍ତୁତି ଅଭ୍ୟାସରେ ଦେଶର ମୋଟ ୨୪୪ଟି ସ୍ବତନ୍ତ୍ର ଭାବେ ଚିହ୍ନଟ ସିଭିଲ ଡିଫେନ୍ସ ଜିଲ୍ଲା ଅଂଶଗ୍ରହଣ କରିବେ। ଏହି ଅଭ୍ୟାସରେ ମୁଖ୍ୟତଃ ଏୟାର୍ ରେଡ୍ ସାଇରନ୍ ଓ ବ୍ଲାକଆଉଟ୍ ଭଳି ପରିସ୍ଥିତିର ପ୍ରଥମ ପ୍ରତିକ୍ରିୟା ପାଇଁ ଅଭ୍ୟାସ ଓ ପ୍ରଶିକ୍ଷଣ ଉପରେ ଧ୍ୟାନ ଦିଆଯିବ। ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ଏହି ଅଭ୍ୟାସ କରାଯାଉଛି।
ଆସନ୍ତାକାଲି (ମେ ୭) ହେବାକୁ ଥିବା ଦେଶବ୍ୟାପୀ ମକ୍ ଡ୍ରିଲ୍ ପୂର୍ବରୁ ସମଗ୍ର ଦେଶରେ ବେସାମରିକ ପ୍ରତିରକ୍ଷା ପ୍ରସ୍ତୁତିର ସମୀକ୍ଷା ଓ ସମନ୍ୱୟ ପାଇଁ ମଙ୍ଗଳବାର ଗୃହ ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ବେସାମରିକ ପ୍ରତିରକ୍ଷା ମୁଖ୍ୟମାନେ ସାମିଲ ହୋଇଥିବା ବେଳେ ୨୦୧୦ରେ ବିଜ୍ଞାପିତ ୨୪୪ଟି ନିର୍ଦ୍ଦିଷ୍ଟ ବେସାମରିକ ପ୍ରତିରକ୍ଷା ଜିଲ୍ଲା ଉପରେ ବିଶେଷ ଧ୍ୟାନ ଦିଆଯାଇଛି।
ରାଜସ୍ଥାନ, ପଞ୍ଜାବ, ଜମ୍ମୁ ଓ କାଶ୍ମୀର, ପଶ୍ଚିମବଙ୍ଗ ଓ ଉତ୍ତରପୂର୍ବ ଭଳି ସୀମାନ୍ତ ରାଜ୍ୟରେ ଅବସ୍ଥିତ ଏହି ଜିଲ୍ଲାଗୁଡ଼ିକୁ ସମ୍ଭାବ୍ୟ ବିପଜ୍ଜନକ ପରିସ୍ଥିତିର ଅନୁକରଣ କରି ଏହି ଅଭ୍ୟାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାରେ ମଧ୍ୟ ଏହି ମକ୍ ଡ୍ରିଲ୍ ଅନୁଷ୍ଠିତ ହେବ। ଏଥିରେ ଶ୍ରେଣୀ ୧ରେ ତାଳଚେର, ଶ୍ରେଣୀ ୨ରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା ଓ ତୃତୀୟ ଶ୍ରେଣୀରେ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ରହିଛି। ସୂଚନାଯୋଗ୍ୟ, ଦିଲ୍ଲୀ, ପଶ୍ଚିମବଙ୍ଗ ଓ ପଞ୍ଜାବ ଭଳି ରାଜ୍ୟରେ ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ସମେତ ନାଗରିକ ସେବାରେ ନିୟୋଜିତ ସକ୍ରିୟ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀଙ୍କ ଦୃଢ଼ ଉପସ୍ଥିତି ରହିଛି। ଗୃହ ମନ୍ତ୍ରଣାଳୟରେ ହୋଇଥିବା ବୈଠକରେ ଦେଶର ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠାନର ସ୍ଥିତି ସମୀକ୍ଷା କରାଯାଉଛି। ଉପଲବ୍ଧ ଯନ୍ତ୍ରପାତି କାର୍ଯ୍ୟକ୍ଷମ ଅଛି ନା ମରାମତିର ଆବଶ୍ୟକତା ରହିଛି, ତାହା ଉପରେ ଆକଳନ କରାଯିବ।
ଜରୁରିକାଳୀନ ପରିସ୍ଥିତି ପାଇଁ ସାଧାରଣ ନାଗରିକଙ୍କୁ କିପରି ପ୍ରଶିକ୍ଷଣ ଦିଆଯିବ, ସେ ନେଇ ମଧ୍ୟ ବୈଠକରେ ବିଚାରବିମର୍ଶ କରାଯାଉଛି। ଏୟାର ଷ୍ଟ୍ରାଇକ୍ ସାଇରନ୍ ପ୍ରତି ଜନସାଧାରଣଙ୍କ ପ୍ରତିକ୍ରିୟା, ବ୍ଲାକ୍ ଆଉଟ୍ ସମୟରେ ନିଆଯିବାକୁ ଥିବା ପଦକ୍ଷେପ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ପ୍ରସ୍ତୁତି ଉପରେ ଗୁରୁତ୍ବ ଦିଆଯାଇଛି। ସମ୍ଭାବ୍ୟ ଇଲେକ୍ଟ୍ରୋନିକ୍ ବିଫଳତା ପାଇଁ ପ୍ରସ୍ତୁତ ରହିବାକୁ ପରିବାରଗୁଡ଼ିକ ମେଡିକାଲ କିଟ୍, ଟର୍ଚ୍ଚ, ମହମବତି ଓ ନଗଦ ଟଙ୍କା ରଖିବା ଉପରେ ଅଧିକାରୀମାନେ ଗୁରୁତ୍ୱାରୋପ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ୨୪୪ଟି ସ୍ଥାନ ମଧ୍ୟରୁ ୧୦୦ରୁ ଅଧିକ ସ୍ଥାନକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି।